jayashree

କନ୍ଧମାଳ ଜିଲ୍ଲାରେ ସ୍ଥାପନ ହେବ ଆଠଟି ଏକଲବ୍ୟ ବିଦ୍ୟାଳୟ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଞ୍ଜୁର ହେଇଥିବା ଆଠଟି ଏକଲବ୍ୟ ଆବାସିକ ବିଦ୍ୟାଳୟ ଖୁବ୍ ଶୀଘ୍ର ଭିତ୍ତିପ୍ରସ୍ତର ଦେବା ପାଇଁ କେନ୍ଦ୍ର ଅନୁସୂଚୀତ ଜନଜାତି ମନ୍ତ୍ରୀ ବିଶ୍ୱେଶ୍ଵର ଟୁଡୁଙ୍କ ନିକଟରେ ଦାବୀ କରିଛନ୍ତି ବାଲିଗୁଡ଼ା ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ । ଜିଲ୍ଲାରେ ବସବାସ କରୁଥିବା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀମାନଙ୍କୁ ସର୍ବଭାରତୀୟ ସ୍ତରରେ ସମକକ୍ଷ ହେବା ନେଇ କେନ୍ଦ୍ର ସରକାର ସିବିଏସ୍‌ଇ ପାଠ ପଢିବା ସହ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ କୃତକାର୍ଯ୍ୟ ହେବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାରଙ୍କ ଅନୁସୂଚିତ ଜନଜାତି ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ସ୍ଥାନ ମାନଙ୍କରେ ଏକଲବ୍ୟ ଆବାସିକ ବିଦ୍ୟାଳୟ ମାନ ସ୍ଥାପନ କରାଯାଉଛି । ସେଥିମଧ୍ୟରୁ କନ୍ଧମାଳ ଜିଲ୍ଲାର ଆଠଟି ସ୍ଥାନରେ ଏକଲବ୍ୟ ଆବାସିକ ବିଦ୍ୟାଳୟ ଖୋଲିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସେଥିମଧ୍ୟରେ ତୁମୁଡ଼ିବନ୍ଧ ବ୍ଲକର ଏକଲବ୍ୟ ଆବାସିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ଦିଆଯାଇଥିବା ବେଳେ କୋଟଗଡ, କ.ନୂଆଗାଁ ବ୍ଲକର ସାରଙ୍ଗଗଡ, ଜି.ଉଦୟଗିରୀ, ଦାରିଙ୍ଗବାଡି, ରାଇକିଆ, ଟିକାବାଲି ଓ ଫୁଲବାଣୀ ଏହି ସାତଟି ଖୁବ ଶୀଘ୍ର ଭିତ୍ତିପ୍ରସ୍ତର କରି କାର୍ଯ୍ୟ ଆରମ୍ଭ କରିବା ପାଇଁ ବାଲିଗୁଡ଼ା ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ଦିଲ୍ଲୀ ଯାଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁଙ୍କ ନିକଟରେ ଦାବୀ କରିଛନ୍ତି । ଶ୍ରୀ ଟୁଡୁ ଚଳିତ ମାସ ଶେଷ ସପ୍ତାହରେ କନ୍ଧମାଳ ଗସ୍ତ କରିବା ସହ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦନ ହୋଇଥିବା ଉକ୍ତ ସାତଟି ଏକଲବ୍ୟ ଆବାସିକ ବିଦ୍ୟାଳୟର ଭୂମି ପୂଜନ କାର୍ଯ୍ୟ ଓ ଭିତ୍ତିପ୍ରସ୍ତର ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି ବୋଲି ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.