jayashree

ବଲାଙ୍ଗିରର ବିଭିନ୍ନ ସ୍ଥାନରେ ହନୁମାନ ଜୟନ୍ତୀ ପାଳନ ସହ ପଣା ବଣ୍ଟନ

  • ଜୟନ୍ତୀ ସମନ୍ୱୟ କମିଟି ତରଫରୁ ସହରରେ ବିଶାଳ ଶୋଭାଯାତ୍ରା
  • ୨୫ରୁ ଅଧିକ ସଂଗଠନର ଯୋଗଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଉପଲକ୍ଷେ ବଲାଙ୍ଗିର ସହରର ବିଭିନ୍ନ ସ୍ଥାନରେ ହନୁମାନ ଜୟନ୍ତୀ ସହ ପଣା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗତକାଲି ସକାଳୁ ସକାଳୁ ଭକ୍ତମାନେ ହନୁମାନ ମନ୍ଦିରମାନଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । ବହୁ ସ୍ଥାନରେ ହନୁମାନ ଚାଳିଶା ପାଠ କରାଯାଇଥିଲା । ଦିନସାରା କମିଟିମାନଙ୍କ ତରଫରୁ ବେଲ ପଣା, ଦୁଗ୍ଧ ପଣା, ଲେମ୍ବୁ ପାଣି ଇତ୍ୟାଦି ବଣ୍ଟନ କରାଯାଇଥିଲା । ବଲାଙ୍ରି ସହରର ସୁଦପଡା, ମାଲପଡା, ପାଟଣାଗଡ ରାସ୍ତାର ବଜାର କମିଟି, ଦୈନିକ ବଜାର କମିଟି, ରାମ ମନ୍ଦିର କମିଟି, ପୁରୁଣା ଘରୋଇ ବସ୍‌ଷ୍ଟାଣ୍ଡ, କଳାମଣ୍ଡଳ ବଜାର କମିଟି, କଂସାରୀପଡା, ସହର ଉପକଣ୍ଠରେ ଥିବା ଧୂମାମରା ହନୁମାନ ମନ୍ଦିର, ନରସିଂହ ମନ୍ଦିର ଇତ୍ୟାଦି ସ୍ଥାନରେ ଖୁବ୍‌ ଜାକ୍‌ଜମକ୍‌ରେ ହନୁମାନ ଜୟନ୍ତୀ ପାଳନ କରାଯାଇଥିଲା । ସଂଧ୍ୟାରେ ହନୁମାନ ଜୟନ୍ତୀ ଉପଲକ୍ଷେ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ବଲାଙ୍ଗିରର ବଜରଙ୍ଗ ଦଳ, ବିଶ୍ୱ ହିନ୍ଦୁ ପରିଷଦ, ସତର୍କ ଅନୁଷ୍ଠାନ, ମାହେଶ୍ୱରୀ ଅନୁଷ୍ଠାନ ଇତ୍ୟାଦି ପ୍ରାୟ ୨୫ଟି ସଂଗଠନର ମିଳିତ ଉଦ୍ୟମରେ ପ୍ରାୟ ୧୦ହଜାର ଲୋକ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଶାନ୍ତି ଶୃଙ୍ଖଳାର ସହିତ ଶୋଭାଯାତ୍ରା ସ୍ଥାନୀୟ କୋଶଳ କଳାମଣ୍ଡଳ ପଡିଆରୁ ବାହାରି କଳାମଣ୍ଡଳ ରୋଡ୍‌, ପିପି ଏକାଡେମୀ ଛକ, ଗାନ୍ଧୀ ଛକ, ଦୈନିକ ବଜାର, ସମଲେଶ୍ୱରୀ ମନ୍ଦିର ଛକ, ପୃଥ୍ୱୀରାଜ ହାଇସ୍କୁଲ ଛକ, ଦୁର୍ଗା ମନ୍ଦିର ଛକ, ମୁଖ୍ୟ ବଜାର, କଚେରୀ ଛକ ଦେଇ ପୁଣି କଳାମଣ୍ଡଳ ପଡିଆକୁ ପହଞ୍ଚିଥିଲା । ଏହି ଶୋଭାଯାତ୍ରାରେ ହଜାର ହଜାର ଗୈରୀକ ଝଣ୍ଡା ଓ ପୋଷାକଧାରୀ ପୁରୁଷ ଓ ମହିଳା ଯୋଗ ଦେଇଥିଲେ । ଜୟ ଶ୍ରୀରାମ ଧ୍ୱନୀରେ ସହର ପ୍ରକମ୍ପିତ ହୋଇଥିଲା । ବଜରଙ୍ଗ ଦଳର ଅନ୍ତର୍ଯ୍ୟାମୀ କରନ, ସୌମ୍ୟରଂଜନ ମିଶ୍ର, ଭିଏଚପିର ପବିତ୍ର କୁମାର ଦାସ, କର୍ତ୍ତବ୍ୟ ଫାଉଣ୍ଡେସନର କାହ୍ନା ଶତପଥି, ମାହେଶ୍ୱରୀ ସଂଗଠନର ଅଙ୍କୁଶ ପାଣ୍ଡିଆ, ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ସନ୍ତୋଷ ପଟ୍ଟନାୟକ, ବିଜେପିର ସୁନିଳ ମିଶ୍ର, ଦୈନିକ ବଜାର କମିଟିର ଗଜେନ୍ଦ୍ର ନାଗ ପ୍ରମୁଖଙ୍କ ସମେତ ଶତାଧିକ ସଂଗଠକ ଏହି ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ । ଏହି ଶୋଭାଯାତ୍ରାରେ ବିଷେଶକରି ବହୁ ସଂଖ୍ୟାରେ ମହିଳାମାନେ ଯୋଗ ଦେଇଥିବା ଦେଖାଯାଇଥିଲା । ସେହିପରି ଦିନ ୧୧ଟାରେ ସ୍ଥାନୀୟ ନରସିଂହ ମନ୍ଦିରରେ ଚିତ୍ରଗୁପ୍ତ ମହିଳା ସଂଗଠନ ତରଫରୁ ପଣା ବଣ୍ଟନ କରାଯାଇଥିଲା । ପ୍ରାୟ ୫୦୦୦ ଭକ୍ତଙ୍କୁ ଏଠାରେ ପଣା ବଣ୍ଟନ କରାଯାଇଥିବା ଜଣାପଡିଛି । ଠିକ୍‌ ସେହିପରି ରୁଗୁଡିପଡା ସେରସୁଆଁ ଗୁଡିଠାରେ ମଧ୍ୟ ସଂଧ୍ୟାରେ ପଣା ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା । ଯୁବ ସଂଗଠକ ବାବୁ ପୂଝାରୀ, ରିତୁରାଜ ସିଂ, କମ୍ବୁପାଣି ପୂଜାରୀ, ଶିବ ପୁରୋହିତ, ଶ୍ରୀମନ୍ତ ପଣ୍ଡା, ବାବୁଲା ବହିଦାର, ଶିବ ବେହେରା, ବିନୁ ଶତପଥି, ବିଧୁଭୂଷଣ ତ୍ରିପାଠୀ, ଅନୀଲ ନନ୍ଦ, ଦୀପକ ନନ୍ଦ ପ୍ରମୁଖଙ୍କ ନେତୃତ୍ୱରେ ଏଠାରେ ହଜାର ହଜାର ଭକ୍ତଙ୍କୁ ପଣା ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.