ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗୋପାଲଜୀ ମନ୍ଦିର ପ୍ରାଙ୍ଗଣରେ ସଂସ୍କୃତ ପରିଷଦ ବଲାଙ୍ଗିରର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ଉତ୍ସବ ପାଳନ କରାଯାଇଛି । ସଭାପତି ନାମଯଜ୍ଞ ମିଶ୍ରଙ୍କ ସଭାପତିତ୍ୱରେ ଟିକେଶ୍ୱର ଗୁରୁ ଓ ନୀଳମଣି ମିଶ୍ରଙ୍କ ଗହଣରେ ଲୋଇସିଂହା ମହାବିଦ୍ୟାଳୟର ଅର୍ଥନୀତି ଅଧ୍ୟାପକ ଡକ୍ଟର ସନ୍ତୋଷ କୁମାର ମେହେରଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ ସହ ହନୁମାନଜୀଙ୍କ ପ୍ରତିଛବିରେ ଫୁଲ ଚନ୍ଦନ ଅର୍ପଣ କରାଯାଇଥିଲା । ପଣ୍ଡିତ ବ୍ରଜ ବିହାରୀ ତ୍ରିପାଠୀ ବେଦ ପାଠ କରିଥିଲେ । ସଭାପତିଙ୍କ ମଙ୍ଗଳାଚରଣ ଏବଂ ସଭାର ଉଦ୍ଦେଶ୍ୟ ଜ୍ଞାପନ ପରେ ମୁଖ୍ୟବକ୍ତା ଡ. ମେହେରଙ୍କ ଭାଷଣ ଭକ୍ତିପୂତ ପରିବେଶ ସୃଷ୍ଟି କରିଥିଲା । ରାଧାକାନ୍ତ ମିଶ୍ର ବିଷୁବ ସଂକ୍ରାନ୍ତି ଓ ହନୁମାନ ଜନ୍ମବୃତ୍ତାନ୍ତକୁ ଆଧାର କରି ଭାଷଣ ଦେଇଥିଲେ । ସମ୍ପାଦକ ଜୟରାମ ମିଶ୍ର ବାର୍ଷିକ ବିବରଣୀ ପାଠ କରି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସହସମ୍ପାଦକ ରାଜକିଶୋର ପଣ୍ଡା ମଂଚ ପରିଚାଳନା ଓ ଅତିଥି ପରିଚୟ କରାଇବା ସହ ଆର୍ଥିକ ବିବରଣୀ ପାଠ କରିଥିଲେ । ପରିଷଦର କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥିବାରୁ ଏହି ତ୍ରୈବାର୍ଷିକ ଅଧିବେଶନରେ ଉପସ୍ଥିତ ୨୨ ଜଣ ସଭ୍ୟମାନଙ୍କ ଦ୍ୱାରା ନୂତନ କର୍ମକର୍ତ୍ତା ଚୟନ ଓ ମନୋନୟନ କାର୍ଯ୍ୟ ସାମୟିକ ନିର୍ବାଚନ ଅଧିକାରୀ ରାଧାକାନ୍ତ ମିଶ୍ରଙ୍କ ଉପସ୍ଥିତିରେ ହୋଇଥିଲା । ଏହି ଅଧିବେଶନରେ ସର୍ବସମ୍ମତି କ୍ରମେ ସଭାପତି ନୀଳମଣି ମିଶ୍ର, ଉପସଭାପତି ଡ. ଦୈତାରୀ ପୂଜାରୀ, ସମ୍ପାଦକ ଜୟରାମ ମିଶ୍ର, ସହସଂପାଦକ ଧନଞ୍ଜୟ ମିଶ୍ର ଓ ସଂକୀର୍ତ୍ତନ ତ୍ରିପାଠୀ, କୋଷାଧ୍ୟକ୍ଷ ରାଜ କିଶୋର ପଣ୍ଡା ଏବଂ କାର୍ଯ୍ୟକାରୀ କମିଟି ସଭ୍ୟ ରୂପେ ଟିକେଶ୍ୱର ଗୁରୁ, ନାମଯଜ୍ଞ ମିଶ୍ର, ସତ୍ୟବନ୍ତ ବେଦବାକ, ରାଧାକାନ୍ତ ମିଶ୍ର, କିଶୋର ମୋହନ ମିଶ୍ର, ପର୍ଶୁରାମ ନାୟକ, ମଦନ ମୋହନ ରଥ, ଆହ୍ଲାଦ କୁମାର ପୂଜାରୀ ଓ ବ୍ରଜ ବିହାରୀ ତ୍ରିପାଠୀ ମନୋନୀତ ହୋଇଛନ୍ତି ।