jayashree

ଉଦ୍‌ଯାପିତ ହୋଇଯାଇଛି ଗଞ୍ଜାମ ଜିଲ୍ଲାର ପାରମ୍ପରିକ ଦଣ୍ଡବିଧାନ ଯାତ୍ରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ମେରୁ ସଂକ୍ରାନ୍ତିରେ ଶେଷ ଦଣ୍ଡବିଧାନ ପ୍ରଦର୍ଶନ ହୋଇଯାଇଛି । ଯାହାକି ପାଟ-ଭୋକ୍ତାଙ୍କ ମେରୁ ବନ୍ଧନରୁ ଶେଷ ହୋଇଛି । ଉଦ୍‌ଯାପିତ ହୋଇଯାଇଛି ଗଞ୍ଜାମ ଜିଲ୍ଲାର ଦଣ୍ଡବିଧାନ ଯାତ୍ରା । ମେରୁ ବନ୍ଧନରେ ପାଟଭୋକ୍ତାଙ୍କ ଗୋଡ଼ ଦୁଇଟି ଉପରକୁ ମେରୁ ଖୁଣ୍ଟରେ ଝୁଲାଇ ଦିଅନ୍ତି । ମୁଣ୍ଡଟି ନିଆଁ ହୋମ କୁଣ୍ଡ ଆଡକୁ ଝୁଲାଇ ଦେବା ଫଳରେ ପାଟଭୋକ୍ତାଙ୍କ ନାକରୁ ତିନି ଟୋପା ରକ୍ତ ନିଆଁରେ ପଡ଼ିବା ପରେ ପାଟଭୋକ୍ତାଙ୍କୁ ଉଠାଇ ଠାକୁରଙ୍କ ଗମ୍ଭୀର ଘରକୁ ନେଇଯାଇଥାନ୍ତି ।

ଏହି ମହନୀୟ ପରମ୍ପରାର ଦୃଶ୍ୟ ଦେଖିବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଥାଏ । ସର୍ବୋପରି ପାରମ୍ପରିକ ଏହି ସତ୍ୟ ସନାତନ ଧର୍ମର ଦେବୀ ଭଗବତୀଙ୍କ ଭକ୍ତିବାଦର ପରମ୍ପରାର ଯାତ୍ରା ୨୧ ଦିନ ଧରି ନିଷ୍ଠାପର ଭାବେ ପାଳନ ହୋଇ ଆସୁଥିବା ମା’ ଦଣ୍ଡକାଳୀ ଓ ଶିବଙ୍କ ପୂଜା ଆରାଧନା କରି ଆସୁଥିବା ତେର-ଭୋକ୍ତାଙ୍କ ଉପାସନାର ପରିସମାପ୍ତି ଘଟିଛି ।

ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ସ୍ଥିତ କୁଲାଗଡ଼ ଅବା ଅଧୁନାକୁଲାଡ଼ ଠାରେ ପ୍ରାୟତଃ ୪ ଶହ ବର୍ଷ ଧରି ଆରମ୍ଭ ହୋଇଥିବା ଏହି ଦଣ୍ଡବିଧାନ ଯାତ୍ରାର ଅନୁକରଣରେ ଅବିଭକ୍ତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରଚଳିତ ହୋଇ ଆସିଛି ବୋଲି କୁହାଯାଏ । ଦକ୍ଷିଣ ଓଡ଼ିଶାର ଏହି ଶକ୍ତି ପୂଜାର ମହତ୍ତ୍ୱ ଜନମାନସରେ ଭକ୍ତି ଭାବନାରେ ବିକଶିତ କରିଥାଏ ।

Leave A Reply

Your email address will not be published.