କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସହରରେ ଶୁକ୍ରବାର ଦିନ ଶ୍ରୀ ହନୁମାନ ଜୟନ୍ତୀ ଓ ସମ୍ବିଧାନ ପ୍ରଣେତା ଡ. ଆମ୍ବେଦକରଙ୍କ ୧୩୨ତମ ଜନ୍ମ ଜୟନ୍ତୀ ଶାନ୍ତି ଶୃଙ୍ଖଳାର ସହ ପାଳିତ ହୋଇଯାଇଛି । ପୂର୍ବାହ୍ନ ୧୧ଟାରେ ଡ. ଆମ୍ବେଦକର ଜୟନ୍ତୀ ପାଳନ କମିଟି ଦ୍ୱାରା କଂଟାବାଂଜି ଉପକଣ୍ଠସ୍ଥ ଚଟୁଅନକା ଗ୍ରାମରୁ ଏକ ଶୋଭାଯାତ୍ରା ବାହାରି ଦୀର୍ଘ ୩ କି.ମି. ଧରି ସଭାସ୍ଥଳ କଂଟାବାଂଜି ରେଲୱେ ଫୁଟବଲ ଗ୍ରାଉଣ୍ଡକୁ ପହଂଚିଥିଲା । କଡା ପୋଲିସ ସୁରକ୍ଷା ମଧ୍ୟରେ ଶାନ୍ତି ଶୃଙ୍ଖଳାର ସହିତ ଶୋଭାଯାତ୍ରା ସଭାସ୍ଥଳକୁ ପହଂଚିବା ପରେ ଏକ ସଭା ଆୟୋଜିତ ହୋଇଥିଲା । ଏହି ସଭାରେ ପାଳନ କମିଟିର ସଭାପତି ସୁରଦାସ ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସତୀସ ଗଜଭିୟେ(ଆଇ.ଜି. କମ୍ୟୁନିକେସନ ଛତିଶଗଡ, ମୁଖ୍ୟ ଅତିଥି), ବାସୁଦେବ ସୁନାନୀ(ଲେଖକ), ରିପୁନାଥ ସୁନାନି(ବିଡିଓ ବଙ୍ଗୋମୁଣ୍ଡା), ଗୋବିନ୍ଦ ତାଣ୍ଡି, ଗିରିରାଜ ମାଝି, ଅବଦୁଲ ଗଫାର ପରମାର, ମନୋଜ ସାହୁ, ସୁରଥ ବେହେରା(ସମ୍ମାନିତ ଅତିଥି), ଅଭିରାମ ମଲ୍ଲିକ(ସଭାପତି ଏମ.ଏସ.ପି, ଓଡିଶା ମୁଖ୍ୟବକ୍ତା) ଭାବେ ମଂଚାସୀନ ଥିଲେ । ସଭାର ସଂପାଦକ ରୋହନ ମହତ ସଂପାଦକୀୟ ବିବରଣୀ ପାଠ କରିଥିବା ବେଳେ ସଭାକୁ ରମେଶ ମହାନନ୍ଦ ପରିଚାଳନା କରିଥିଲେ । ସେହିପରି ଅପରାହ୍ନ ସାଢେ ୪ଟାରେ ସ୍ଥାନୀୟ ସାପ୍ତାହିକ ବଜାରସ୍ଥିତ ଶ୍ରୀ ହନୁମାନ ମନ୍ଦିର ପରିସରରୁ ଏକ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରାଯାଇଥିଲା । ଶତାଧିକ ହନୁମାନ ଭକ୍ତଙ୍କ ଦ୍ୱାରା ଶୋଭାଯାତ୍ରାରେ ବିଭିନ୍ନ ପ୍ରକାର ବେଶଭୁଷାରେ ସୁସଜ୍ଜିତ ହନୁମାନଙ୍କ ଝାଙ୍କି ଜନସାଧାରଣଙ୍କୁ ଆକୃଷ୍ଟ କରିଥିଲା । ସହରର ଥାନା ପରିସର ଶ୍ରୀ ହନୁମାନ ମନ୍ଦିର, ଏନଏସି ଛକ ହନୁମାନ ମନ୍ଦିର ପରିସରରେ ଅନ୍ନ ମହାପ୍ରସାଦର ବ୍ୟବସ୍ଥା କରାଯାଇଥିଲା, ଯାହା ହଜାର ହଜାର ସଂଖ୍ୟାରେ ଭକ୍ତମାନେ ପ୍ରସାଦ ସେବନ କରିଥିଲେ । ଏପରିକି ଉଭୟ ଦୁଇ ଶୋଭାଯାତ୍ରାରେ ସାମିଲ ଥିବା ଜନସାଧାରଣଙ୍କୁ ବିଭିନ୍ନ ଅନୁଷ୍ଠାନ, ବ୍ୟକ୍ତିବିଶେଷଙ୍କ ତରଫରୁ ସ୍ଥାନେ ସ୍ଥାନେ ଥଣ୍ଡା ପାନୀୟ ଜଳ, ସରବତ୍ ସହ ପଣାର ବ୍ୟବସ୍ଥା କରାଯାଇଥିବା ବେଳେ ହେମାଲ ସଂଘ ଦ୍ୱାରା ହେମାଲ ଭବନ ପରିସରରେ ମଧ୍ୟ ଶ୍ରୀ ଶ୍ରୀ ହନୁମାନ ଜୟନ୍ତୀ ପାଳିତ ହୋଇଥିଲା । ଏପରିକି ପ୍ରିତିନ୍ଦା ମିଶ୍ର ଓ ସ୍ମୃତିନନ୍ଦା ମିଶ୍ରଙ୍କ ଦ୍ୱାରା ପାରାୟଣ ସହ ବୈଠକି କିର୍ତ୍ତନ ମଧ୍ୟ ଆୟୋଜିତ ହୋଇଥିଲା । ହେମାଲ ସଂଘ ଦ୍ୱାରା ହେମାଲ ଭବନ ପରିସର ହନୁମାନ ମନ୍ଦିରରେ ମଧ୍ୟ ଅନ୍ନ ମହାପ୍ରସାଦ ଦିଆଯାଇଥିବା ବେଳେ ସ୍ଥାନୀୟ ଗୁରୁଦ୍ୱାରା ପରିସରରେ ମଧ୍ୟ ଅନ୍ନ ମହାପ୍ରସାଦ ଦିଆଯାଇଥିଲା । ଶ୍ରୀ ହନୁମାନ ଜୟନ୍ତୀ ଓ ଆମ୍ବେଦକର ଜୟନ୍ତୀ ଶାନ୍ତି ଶୃଙ୍ଖଳାର ସହ ପାଳନରେ ଦାୟିତ୍ୱରେ ଥିବା ଏସଡିପିଓ ଜ୍ୟୋର୍ତିମୟ ଭୁକ୍ତ, ଥାନା ଆଇଆଇସି ରଶ୍ମିତା ବେହେରା, ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ ଅମୃତଲାଲ ବେହେରାଙ୍କ ଦ୍ୱାରା ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରାଯାଇଥିଲା । ସମ୍ବଲପୁରର ଘଟଣାକୁ ଆଖି ଆଗରେ ରଖି କଂଟାବାଂଜି ସହରରେ ମଧ୍ୟ ଆବଶ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ମାତ୍ର କୌଣସି ପ୍ରକାର ବିଶୃଙ୍ଖଳା ହୋଇ ନ ଥିବା ବେଳେ କୌଣସି ଅପ୍ରିତିକର ଘଟଣା ଘଟି ନଥିଲା । ତେଣୁ ପୋଲିସ ପ୍ରଶାସନ ତରଫରୁ ଉଭୟ କମିଟି ଏବଂ ନଗରବାସୀଙ୍କୁ ଏସଡିପିଓ ଭୁକ୍ତା ଧନ୍ୟବାଦ ଜଣାଇଛନ୍ତି ।