ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ହେଡ଼କ୍ୱାଟର ଛତ୍ରପୁର ୧୬ ନମ୍ବର ଜାତୀୟ ରାଜପଥ ଏବେ ସମ୍ପୂର୍ଣ୍ଣ ବିପଦଗାମୀ ହୋଇରହିଥିବେ ନେଇ ଅଭିଯୋଗ ହେଉଛି । ଛତ୍ରପୁର ବାଇପାସ ଭାବେ ପରିଚିତ ଅଗସ୍ତି-ନୂଆଗାଁ ଛକ, ତାମ୍ପରା-ବୋଟ କ୍ଲବ ଛକ, ପାଲିଆ-ଛତ୍ରପୁର ଛକ, କଲେଜ ଛକ, ଡିଆର୍ଡିଏ ଛକ, କାଳିଆବାଲି ଛକ, ବଣବୁଲ୍ଲାପଲ୍ଲୀ ଛକ, ଚମାଖଣ୍ଡି ଛକ ସମ୍ପୂର୍ଣ୍ଣ ମରଣଯନ୍ତା ପାଲଟିଥିବା ଅଭିଯୋଗ ହୋଇଛି । ରାତ୍ରିବେଳେ ଜାତୀୟ ରାଜପଥରେ ଆଲୋକ ବ୍ୟବସ୍ଥା ଥିଲେ ମଧ୍ୟ ରାଜପଥରେ ବିଜୁଳିବତୀ ଜଳୁନଥିବା ଅଭିଯୋଗ ହୋଇଛି । ଖରାପ ଥିବା ଖୁଣ୍ଟରୁ ବିଜୁଳିବତୀ ସଜାଡ଼ିବାରେ ପ୍ରଶାସନ ଧ୍ୟାନ ରଖୁନାହିଁ ବୋଲି ଅଭିଯୋଗ ହେଉଛି । ପ୍ରତି ଗାଁର ଛକମାନେ ଅନ୍ଧାରୁଆ ହୋଇ ରହୁଥିବା ବେଳେ ଜଙ୍କସନମାନଙ୍କରେ ଟ୍ରାଫିକ ସୁରକ୍ଷା ଲାଗି ନିରାପତ୍ତା ପ୍ରହରୀ ଅବା ଜଗୁଆଳିର ମୁତୟନ ବ୍ୟବସ୍ଥା ପ୍ରତି ପ୍ରଶାସନ ଧ୍ୟାନ ଦେଉନାହିଁ ବୋଲି ଅଭିଯୋଗ ହେଉଛି । ଫଳରେ ଅନେକଙ୍କର ଜୀବନ ଯାଉଛି ବୋଲି ମତ ପ୍ରକାଶ ପାଉଛି । ଖୋଦ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିବାର ଜାତୀୟ ରାଜପଥ ସହ ସଂଘମସ୍ଥଳ ପଥ କଲେଜଛକ ନିକଟରେ ବ୍ୟବସ୍ଥିତ ଗୋଲେଇ ହାଇମାଷ୍ଟ ଲାଇଟ ଯାହା ଛତ୍ରପୁର ଏନ୍.ଏ.ସି. କର୍ତ୍ତୃପକ୍ଷଙ୍କର ଧ୍ୟାନ ନ ରହିବା ଅତ୍ୟନ୍ତ ପରିତାପର ବିଷୟ ହୋଇଛି ବୋଲି ମତ ପ୍ରକାଶ ପାଇଛି । ସହରର ଅଧିବାସୀ ଏହି ରାସ୍ତାଦେଇ ଅତିକ୍ରମ କଲା ବେଳେ ନାନା ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଏପରିକି ଜିଲ୍ଲା ସଦର ମହକୁମାକୁ ଆସୁଥିବା ବହୁ ଯାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ଅନେକ ଅଦ୍ୟାବଧି ଏହି ମରଣ ଯନ୍ତାରେ ମୃତ୍ୟୁ ମୁଖରେ ପଡି ମୃତ୍ୟୁବରଣ କରୁଛନ୍ତି ବୋଲି ଅଭିଯୋଗ ହେଉଛି । ଆହୁରି ମଧ୍ୟ ଅଭିଯୋଗ ହୋଇଛି ଯେ, ଦୀର୍ଘଦିନ ହେଲା ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ସମୁଖସ୍ଥ ଗୋଲେଇ ଛକରେ ଲାଇଟ ଜଳୁନାହିଁ । ଉକ୍ତ ହାଇମାଷ୍ଟ ଲାଇଟରୁ ଗୋଟିଏ ପଟ ପାର୍ଶ୍ଵକୁ ଅନ୍ୟଟି ସ୍ୱର୍ଗକୁ ନିଶୁଣୀ ସଦୃଶ ଲାଇଟ ଜଳୁଛି । ଛକ ଚାରିପାଖ ଅନ୍ଧାରୁଆ ହୋଇ ରହୁଛି । ଏହି ଛୋଟିଆ କାର୍ଯ୍ୟର ବିକଳ୍ପ ପନ୍ଥା ବ୍ୟବସ୍ଥା ନହେବା ଯୋଗୁଁ ଅନେକ ଦୁର୍ଘଟଣାର ଶିକାର ହେଉଛନ୍ତି । ଉକ୍ତ ସ୍ଥାନରେ ଟ୍ରାଫିକ ଲାଇଟ ଏବଂ ଗୋଲେଇ ଛକର ପୂର୍ଣ୍ଣାଙ୍ଗବତୀ ଜଳାଇବା ବ୍ୟବସ୍ଥା କରିବାକୁ ଜନସାଧାରଣରେ ଦାବୀ ହେଉଛି । ଉଚ୍ଚ କର୍ତ୍ତୃପକ୍ଷ ତଥା ଜିଲ୍ଲାପାଳ ଏଦିଗରେ ଧ୍ୟାନଦେଇ ଏହାର ପ୍ରତିକାର କରିବାକୁ ଦୃଢ଼ ଦାବୀ ହେଉଛି ।