ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ରାଜ ବୋଡାସମ୍ବର କୃଷକ ସଙ୍ଗଠନ ଗାଇସିଲାଟ ବ୍ଲକର ଭେଲୁଆପଦର ଆମ୍ବ ବୁରେଇଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଚାଷୀମାନଙ୍କ ବଡ଼ ପର୍ବ ଅକ୍ଷୟ ତୃତୀୟା ମହୋତ୍ସବ ୨୦୨୩ (ମୁଠି ଛିଆ) ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ସଭାପତି ଅରବିନ୍ଦ ପଣ୍ଡାଙ୍କ ସଭାପତିତ୍ୱରେ ଆରମ୍ଭ ହୋଇଥିଲା । ଏହି ବୈଠକରେ ପୂର୍ବ ବୈଠକର ବିବରଣୀ ପଠନ ଓ ଦୃଢ଼ିକରଣ କରାଯାଇଥିଲା । ଚାଷୀମାନଙ୍କ ସମସ୍ୟା ନେଇ ଆଗକୁ ଲଢେଇ ଜାରି ରଖିବାକୁ ଆଲୋଚନା ହୋଇଥିଲା । ଆଗାମୀ ୨୩/୦୪/୨୦୨୩ ଦିନ ଚାଷୀମାନଙ୍କ ବଡ଼ ପର୍ବ ଅକ୍ଷୟ ତୃତୀୟା ପଡୁଥିବାରୁ ଏହି ପର୍ବକୁ ବହୁତ ଧୁମ୍ଧାମ୍ରେ ପାଳନ କରିବାକୁ ରାଜ ବୋଡାସମ୍ବର କୃଷକ ସଙ୍ଗଠନ ଗାଇସିଲାଟ ବ୍ଲକ ତତ୍ପରତା ସହ ପ୍ରସ୍ତୁତି କରିଥିଲା । ଏହି କାର୍ଯ୍ୟକ୍ରମ ଏହି ବର୍ଷ ଗାଇସିଲାଟ ବ୍ଲକର ମାଲମଣ୍ଡା ଗ୍ରାମରେ ପାଳନ କରିବାକୁ ନିଷ୍ପତ୍ତି ନେଇ ମୁଠି ଛିଆ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଚନ୍ଦନ ଯାତ୍ରାକୁ ବହୁ ଆଡମ୍ବର ସହ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା । ଏହି ବୈଠକରେ ଗାଇସିଲାଟ ବ୍ଲକର ସମସ୍ତ ଚାଷୀ ଭାଇ ଓ ଭଉଣୀମାନେ ଯୋଗ ଦେଇ ଏହି ଉତ୍ସବକୁ ସଫଳ କରିବା ପାଇଁ ସଂଗଠନର ସଭାପତି ଅରବିନ୍ଦ ପଣ୍ଡା ନିବେଦନ କରିଥିଲେ । ଏହି ସଭାରେ ଉପସଭାପତି ସରୋଜ ସାହୁ, ସମ୍ପାଦକ ଗଜପତି ସାହୁ, କୋଷାଧ୍ୟକ୍ଷ ଆନନ୍ଦ ପଧାନ, ବିରେନ୍ଦ୍ର ସାହୁ ଓ ଅନ୍ୟ ସଭ୍ୟମାନେ ଉପସ୍ଥିତ ଥିଲେ ।