ସର୍ବଭାରତୀୟ ସ୍ତରୀୟ ଅବସରପ୍ରାପ୍ତ ସଂଘ ଗଞ୍ଜାମ ଜିଲ୍ଲା ଶାଖା ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା : ସ୍ମାରକପତ୍ର ପ୍ରଦାନ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସର୍ବଭାରତୀୟ ସ୍ତରୀୟ ଅବସରପ୍ରାପ୍ତ ମହାସଂଘର ନିଷ୍ପତ୍ତି ଓ ନିର୍ଦ୍ଦେଶ ତଥା ଓଡିଶା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚର ଆହ୍ୱାନ କ୍ରମେ ଏବଂ ଦେଶର ସମସ୍ତ ଜିଲ୍ଲାରେ ଧାରଣା ପ୍ରଦାନ ପରିପ୍ରେକ୍ଷୀରେ ଗଂଜାମ ଜିଲ୍ଲା ଶାଖା ପକ୍ଷରୁ ବିଭିନ୍ନ ଦାବୀ ସମ୍ବଳିତ ସ୍ମାରକପତ୍ର ଭାରତର ପ୍ରଧାନମନ୍ତ୍ରୀ ଓ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଂଜାମ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି । ବିଶେଷ କରି ସମସ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କୁ ସ୍ବାସ୍ଥ୍ୟ ଭତ୍ତା ପ୍ରଦାନ, ସପ୍ତମ ବେତନ କମିଶନରଙ୍କ ଅବିକଳ ସୁପାରିଶ ଗ୍ରହଣ, ପ୍ରଥମ ଫର୍ମୁଲା ଅନୁଯାୟୀ ପେନସନ୍ ନିର୍ଦ୍ଧାରଣ, ୬୫ ବର୍ଷ ବୟସରେ ଅତିରିକ୍ତ ପେନସନ୍ ନିର୍ଦ୍ଧାରଣ, ୧୮ ମାସର ଅତିରିକ୍ତ ମହଙ୍ଗାଭତ୍ତା ପ୍ରଦାନ, ପୂର୍ବଭଳି ୧୨ ବର୍ଷରେ କମ୍ୟୁଟେସନ ପ୍ରଦାନ, ନୂତନ ପେନସନ୍ ବ୍ୟବସ୍ଥା ବାତିଲ କରି ପୁରୁଣା ପେନସନ୍ ପ୍ରଚଳନ କରିବା ଦାବୀ ନେଇ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଗଞ୍ଜାମ ଜିଲ୍ଲା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚର ସଭାପତି କାମରାଜୁ ମହାରଣାଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଏହି ଧାରଣା କାର୍ଯ୍ୟକ୍ରମରେ ରାଜ୍ୟ ସଂପାଦକ ଶ୍ୟାମସୁନ୍ଦରପୁର ଖାଡଙ୍ଗା ଯୋଗଦେଇ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ କର୍ମଚାରୀଙ୍କ ପ୍ରତି ବୈମାତୃକ ମନୋଭାବର ସମାଲୋଚନା କରି ପେନସନର୍ସମାନଙ୍କ ଯୁକ୍ତିଯୁକ୍ତ ଦାବୀ ପୂରଣ ନକଲେ ଆଗାମୀ ଦିନରେ ମହାସଂଘ ତରଫରୁ ଦୁର୍ବାର ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚରମବାଣୀ ଶୁଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ରାଜେନ୍ଦ୍ର କୁମାର ପଣ୍ଡା, କାର୍ଯ୍ୟକାରୀ ସଭାପତି କେ.କୃଷ୍ଣ ମୂର୍ତ୍ତି, ସଂପାଦକ ପ୍ରଦୀପ କୁମାର ସାହୁ, ପୁରୁଷୋତ୍ତମପୁର ବ୍ଳକ ସଭାପତି ନରସିଂହ ପଣ୍ଡା, ବିଭୂତି ଭୂଷଣ ଜେନା, ସୋମନାଥ ସାହୁ, ଉପେନ୍ଦ୍ର ନାୟକ, ବିଜୟ କୁମାର ବିଶ୍ବାଳ, ରାଧାଶ୍ୟାମ ପଣ୍ଡା, ସୁବିଷ ମିଶ୍ର, ଇ.କନ୍ୟାକୁମାରୀ, ବିପିନ ଚନ୍ଦ୍ର ଶତପଥୀ, ବାଳକୃଷ୍ଣ ମହାରଣା, କୈବଲ୍ୟ ପ୍ରଧାନ, ମାଧବ ବିଷୋୟୀ (୮୦ ବର୍ଷ) ପ୍ରମୁଖ ପେନସନର୍ସମାନଙ୍କ ଦାବୀ ଉପରେ ବକ୍ତବ୍ୟ ରଖି ଆନ୍ଦୋଳନ ପାଇଁ ପ୍ରସ୍ତୁତ ରହିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମରେ ଗଂଜାମ ଜିଲ୍ଲାର ସମସ୍ତ ବ୍ଲକ ସଂଗଠନର କର୍ମକର୍ତ୍ତା, ଜିଲ୍ଲା ସଂଘର କାର୍ଯ୍ୟକାରୀ କମିଟି ସଭ୍ୟବୃନ୍ଦ ଅଂଶଗ୍ରହଣ କରିଥିଲେ । ଶେଷରେ ଜିଲ୍ଲାପାଳଙ୍କ ଜରିଆରେ ସୋମବାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଲୀନା କୁମାରୀ ଖେସଙ୍କୁ ପ୍ରଦତ୍ତ ହୋଇଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଉକ୍ତ ସ୍ମାରକପତ୍ର ପ୍ରଦାନ କରିବାକୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଛି ।