ମନ୍ତ୍ରୀ ଓ ସାଂସଦଙ୍କ ଦ୍ଵାରା ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦ୍‌ଘାଟିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ରବିବାର ସକାଳ ୧୦ଟା ୩୦ସମୟରେ ଟିଟିଲାଗଡ ଥାନା ପାର୍ଶ୍ଵରେ ଥିବା ପୁରୁଣା ଗୁଜୁରାତି ସ୍କୁଲ ସ୍ଥାନରେ ଏବେ ଏକ ନୂତନ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଉଦ୍‌ଘାଟନ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ର ବିଧାୟିକା ତଥା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ଜିଲ୍ଲାର ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂଦେଓ, ଟିଟିଲାଗଡ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ପ୍ରଦୀପ କୁମାର ଗୁରୁ, ଟିଟିଲାଗଡ ଉପଜିଲ୍ଲାପାଳ ଦୟାମୟ ପାଢୀ ଏବଂ ରାଜସ୍ଥାନୀ ହେଲଥ୍‌ ଫାଉଣ୍ଡେସନର ଚେୟାରମ୍ୟାନ ଜଗଦୀଶ ପ୍ରସାଦ ଶର୍ମା ଉପସ୍ଥିତ ଥିଲେ । ପ୍ରଥମେ ଅତିଥିଙ୍କ ଦ୍ୱାରା ଫିତା କାଟି ସ୍ୱାସ୍ଥ୍ୟ କେନ୍ଦ୍ର ବୁଲି ଦେଖିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀମତୀ ଟୁକୁନି ସାହୁ ଏହି ସ୍ଵାସ୍ଥ୍ୟ କେନ୍ଦ୍ର ଯୋଗୁଁ ଲୋକେ ଚିକିତ୍ସିତ ହୋଇପାରିବେ ବୋଲି କହିବା ସହ ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂଦେଓଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟ କିପରି ଶୀଘ୍ର ଖୋଲାଯିବ ସେ ନେଇ ପଦକ୍ଷେପ ନେବାକୁ କହିଥିଲେ । ଏହାର ପ୍ରତି ଉତ୍ତରରେ ସାଂସଦ ଶ୍ରୀମତୀ କୁମାରୀ ସଙ୍ଗୀତା ସିଂଦେଓ କହିଥିଲେ ଯେ, ମୁଁ ସାଂସଦ ଭାବେ ନିର୍ବାଚିତ ହେବା ପରଠୁ ପ୍ରଥମରେ ହିଁ ଏହି କେନ୍ଦ୍ରୀୟ ବିଦ୍ୟାଳୟ ବିଷୟରେ ପୂର୍ବରୁ ଆଲୋଚନା କରିସାରିଛି ଏବଂ ରାଜ୍ୟ ସରକାର କାହିଁକି ଆୟୁଷ୍ମାନ ଯୋଜନା ଓଡ଼ିଶାରେ ପ୍ରଣୟନ କରୁ ନାହାନ୍ତି ବୋଲି ପ୍ରଶ୍ନ ପଚାରିଥିଲେ, ରାଜନୀତି ନ କରି ଲୋକଙ୍କୁ ଭଲ ସ୍ଵାସ୍ଥ୍ୟ ସେବା ଯୋଗାଇବାରେ ଆୟୁଷ୍ମାନ ଯୋଜନା ବହୁତ ଭଲ ଯୋଜନା ବୋଲି କହିବା ସହ ରାଜନୀତିରେ କିଛି ଲୋକ ମୋ ପଛରେ ସବୁବେଳେ ଅପପ୍ରଚାର ତଥା ଦୋଷାରୋପ କରୁଛନ୍ତି କିନ୍ତୁ ମୁଁ ସେମାନଙ୍କୁ କହିଦେବାକୁ ଚାହେଁ ଯେ ସେମାନଙ୍କୁ ଉତ୍ତର ଦେବାରେ ତଥା କାର୍ଯ୍ୟ କରିବାରେ ମଧ୍ୟ ସକ୍ଷମ ଅଟେ । କେନ୍ଦ୍ରରେ ଥିବା ମୋଦୀ ସରକାରଙ୍କ ସମସ୍ତ ଯୋଜନା ଅନ୍ତର୍ଗତ ବହୁ ଲୋକ ଆଜି ଉପକୃତ, ଶିକ୍ଷ୍ୟା ଓ ସ୍ଵାସ୍ଥ୍ୟ କ୍ଷେତ୍ରରେ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ସେହିପରି ଏହି ରାଜସ୍ଥାନୀ ହେଲଥ୍‌ ଫାଉଣ୍ଡେସନକୁ ମୋ ତରଫରୁ ଯାହାବି ସହାୟତା ଦରକାର ମୁଁ ନିଶ୍ଚୟ ପ୍ରଦାନ କରିବି ବୋଲି କହିଥିଲେ । ଅନ୍ୟ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଟିଟିଲାଗଡ଼ ପୌରାଧ୍ୟକ୍ଷା ମମତା ଦେବୀ ଜୈନ ଏହି ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ଟିଟିଲାଗଡ ସହରବାସୀଙ୍କ ପାଇଁ ଏକ ବରଦାନ ସଦୃଶ ବୋଲି କହିବା ସହ ବିଗତ ବର୍ଷ ବର୍ଷ ଧରି ଟିଟିଲାଗଡ଼ ସରକାରୀ ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ ଲାଗି ରହିଥିବା ବେଳେ ତାହାର ସମାଧାନ କରିନପାରିବା ସହରବାସୀଙ୍କ ଦୁର୍ଭାଗ୍ୟ ବୋଲି କହିଥିଲେ । ସେ ଯାହା ବି ହେଉ ଏହି ଫାଉଣ୍ଡେସନ ଦ୍ୱାରା ବହୁତ ଲୋକ ଚିକିତ୍ସିତ ହୋଇପାରିବେ ବୋଲି ନିଜ ଅଭିଭାଷଣରେ କହିଥିଲେ ।

ଚେନ୍ନାଇରେ ଏହି ରାଜସ୍ଥାନୀ ହେଲଥ୍‌ ଫାଉଣ୍ଡେସନ ବହୁତ ଭଲ ସେବା ପ୍ରଦାନ କରୁଥିବା ଶ୍ରୀ ଶର୍ମା କହିଥିବା ବେଳେ ଏଠାରେ ମଧ୍ୟ ନିଶୁଳ୍କ ଅତ୍ୟାଧୁନିକ ସେବା ଦିଆଯିବ ବୋଲି କହିଥିଲେ । ଏହା ଜାତୀୟ ସ୍ୱାସ୍ଥ୍ୟ ମିଶନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡିଶା ଦ୍ୱାରା ଏହି ସେବା ଯୋଗାଇ ଦେବେ ଏବଂ ରାଜସ୍ଥାନୀ ହେଲଥ୍‌ ଫାଉଣ୍ଡେସନ ଦ୍ୱାରା ଏହାକୁ ପରିଚାଳନା କରାଯିବ । ଟିଟିଲାଗଡରେ ଏହି ଫାଉଣ୍ଡେସନର କାର୍ଯ୍ୟ ପରିଚାଳନା ପାଇଁ ବିନୋଦ କୁମାର ମରୋଡିଆଙ୍କୁ ଫାଉଣ୍ଡେସନ ତରଫରୁ ଦାୟିତ୍ଵ ପ୍ରଦାନ କରାଯାଇଛି । ତେବେ ଏଠାରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ସହିତ ସ୍ୱାସ୍ଥ୍ୟ ହିଁ ସମ୍ପଦ ତଥା ରୋଗ ସମ୍ବନ୍ଧୀୟ ପ୍ରତିକାର ବ୍ୟବସ୍ଥା ବିଷୟରେ ମଧ୍ୟ ଏଠାରେ ସୁବିଧା ପ୍ରଦାନ କରାଯିବ । ସକାଳ ୮ ଟାରୁ ୧୧, ସଂଧ୍ୟାରେ ୫ରୁ ୮ ଯାଏଁ ଚିକିତ୍ସା ପ୍ରଦାନ କରାଯିବ ବୋଲି ଫାଉଣ୍ଡେସନ ତରଫରୁ କୁହାଯାଇଛି । ତେବେ ସେ ଯାହା ବି ହେଉ ଟିଟିଲାଗଡରେ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ସହରବାସୀ ପାଇ ପାରିବେ ତାହା ହିଁ ବଡ଼ କଥା ।

Leave A Reply

Your email address will not be published.