jayashree

ବଲାଙ୍ଗିର ସଦେଇପାଲିରେ ୨୪ ପ୍ରହର ନାମଯଜ୍ଞ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦେଇପାଲିରେ ୨୪ ପ୍ରହର ନାମଯଜ୍ଞ ବଡ଼ ଧୁମ୍‌ଧାମ୍‌ରେ ଚାଲିଛି । ହରେ କୃଷ୍ଣ ହରେ ରାମ ଧ୍ୱନୀରେ ଉଛୁଳି ପଡ଼ୁଛି ସଦାଇପାଲି । ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଏଠାରେ ଗତ ୨୯ ତାରିଖ ଦିନ କଳସ ଶୋଭାଯାତ୍ରାର ଆୟୋଜନ ହୋଇଥିବା ବେଳେ ସଦେଇପାଲିର ଆବାଳ ବୃଦ୍ଧ ବନିତା ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ୩୦ ତାରିଖ ଦିନରୁ ଆରମ୍ଭ ହୋଇଥିଲା ବିଭିନ୍ନ କାର୍ଯ୍ୟକ୍ରମ ସହ ରାମାୟଣ ପାରାୟଣ କାର୍ଯ୍ୟକ୍ରମ । କଳାହାଣ୍ଡି ଜିଲ୍ଲାର ବିଶିଷ୍ଟ କଣ୍ଠଶିଳ୍ପୀ ତଥା ପୁରାଣ ଗାୟିକା ଗୀତାଂଜଳି ମହାପାତ୍ର ଏଠାରେ ପାରାୟଣ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ବହୁସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ଏଥିରେ ଯୋଗଦାନ କରି ଭକ୍ତି ରସାମୃତ ପାନ କରିଥିଲେ । ସୀତା ବିବାହ ପାଳନ ଅବସରରେ ମଧ୍ୟ ନିଆରା ଉତ୍ସବ ପାଳନ କରାଯାଇଥିବା ଦେଖିବାକୁ ମିଳିଥିଲା । ଗ୍ରାମବାସୀଙ୍କ ସଂପୂର୍ଣ୍ଣ ସହଯୋଗରେ ଗାଁର ଗଉନ୍ତିଆ ସୁନୀଲ ସାଏଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଚାଲିଛି । ପ୍ରତ୍ୟେକ ସଂଧ୍ୟାରେ ଭଜନ କାର୍ଯ୍ୟକ୍ରମ ଏବଂ ପରେ ପରେ ରାବଣ ଦରବାର ଚାଲିଥିବା ବେଳେ ଗତ ୬ ତାରିଖ ଦିନ ଶ୍ରୀରାମଙ୍କ ବିଗ୍ରହ ପ୍ରତିଷ୍ଠା ହୋଇଛି ଏବଂ ୭ ତାରିଖ ଦିନଠାରୁ ୨୪ ପ୍ରହର ନାମଯଜ୍ଞ ଖୁବ୍‌ ଉତ୍ସାହର ସହ ପାଳିତ ହେଉଥିବା ଦେଖିବାକୁ ମିଳିଛି । ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ପାଇଁ ଗତ ୩୦ ତାରିଖ ଦିନଠାରୁ ଅନ୍ନ ପ୍ରସାଦର ବ୍ୟବସ୍ଥା ଜାରି ରହିଥିବା ବେଳେ ସଦାସର୍ବଦା ଅନ୍ନ ପ୍ରସାଦ ପ୍ରସ୍ତୁତି ଲାଗି ରହିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.