ଆଠଗାଁଠାରେ ସନ୍ଥ ଶିରୋମଣୀ ରବିଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଆଠଗାଁ ରବିଦାସନଗର ଠାରେ ସନ୍ଥ ଶିରୋମଣୀ ରବିଦାସଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ମହାଲିଙ୍ଗ ସନ୍ଥ ରବିଦାସଙ୍କ ବାଣୀ ଉଦ୍ଧାର କରିବା ସହିତ ସେ ଜଣେ ମହାନ ସମାଜ ସୁଧାରକ ଥିଲେ ବୋଲି କହିଥିଲେ । ଆଜି ମଧ୍ୟ ଦେଶରେ ତାଙ୍କର ଅନେକ ଅନୁଯାୟୀ ଅଛନ୍ତି ବୋଲି ସେ କହିଥିଲେ । ଏହା ସହିତ ରବିଦାସନଗରରେ ଏକ କମ୍ୟୁନିଟି ଗୃହ ନିର୍ମାଣ କରିବା ପାଇଁ ତାଙ୍କ ବିଧାୟକ ପାଣ୍ଠିରୁ ୩ ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କରିବା ସହିତ ରାସ୍ତା ଉନ୍ନତିକରଣ, ପୋଖରୀ ପୁନଃ ଉଦ୍ଧାର, କୁଟୀର ଶିଳ୍ପକୁ ପ୍ରୋତ୍ସାହନ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ସହାୟତା ତଥା ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିଥି ଭାବେ ପଂଚାୟତର ସରପଂଚ ସାଳୀନି ସେଠ, ସମିତି ସଭ୍ୟା ଅନିତା ସୁନା, ଓଡିଶା ରବି ଦାସ ସମାଜର ରାଜ୍ୟ ଉପସଭାପତି ବିଜୟ ମେହେର, ଅଧ୍ୟାପକ ମଦନ ମୋହନ, ଶିକ୍ଷକ ମନୋଜ ଭରାସାଗରିଆ, ଅମିନ୍ଦ୍ର ମେହେର ଓ ଶ୍ରୀରାମ ମେହେର ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ଗଜମଣି ବାଗ ପରିଚାଳନା କରିଥିଲେ । ଆଗାମୀ ଦିନରେ ଓଡିଶାର ସବୁ ରବି ଦାସ ପରିବାର ବସବାସ କରୁଥିବା ପଡା ଓ ଗାଁମାନଙ୍କରେ ସନ୍ଥ ରବିଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ସହିତ ସମାଜରେ ସାମାଜିକ ଚେତନା, କ୍ରାନ୍ତି, ଶିକ୍ଷାର ଉନ୍ନତି ଓ ବୈଷୟିକ ଉନ୍ନତି ଅଣାଯିବା ପାଇଁ ସମାଜ କାମ କରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.