ବଲାଙ୍ଗିର ରେଳ ଉପଭୋକ୍ତା ସଂଘର କାର୍ଯ୍ୟକାରିଣୀ ବୈଠକ

  • ଶୀଘ୍ର ଦାବୀ ପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବ ସଂଘ
  • ମେ’ ମାସ ଶେଷ ସପ୍ତାହରେ ସାଧାରଣ ପରିଷଦ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ମାଲପଡା ସ୍ଥିତ ବଲାଙ୍ଗିର ରେଳ ଉପଭୋକ୍ତା ସଂଘର କାର୍ଯ୍ୟାଳୟଠାରେ ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘର କାର୍ଯ୍ୟକାରିଣୀ ବୈଠକ ସଂଘର ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସଂଘର ସାଧାରଣ ସଂପାଦକ ନାରାୟଣ ପାଢୀ ପୂର୍ବ ବୈଠକର ବିବରଣୀ ପ୍ରଦାନ କରିଥିଲେ । ସଂଘର କାର୍ଯ୍ୟକାରିଣୀ ସଦସ୍ୟମାନେ ବିଭିନ୍ନ ବିଷୟରେ ଆଲୋଚନା କରିବା ସହ ନୂତନ ପ୍ରସ୍ତାବ ବୁଡିକ ଉପସ୍ଥାପନ କରିଥିଲେ । ବଲାଙ୍ଗିର ରେଳ ଷ୍ଟେସନରେ ଲାଗିବାକୁ ଥିବା ଲିପ୍ଟର ଟେଣ୍ଡର ପ୍ରକ୍ରିୟା ସରି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ରେଳ ଷ୍ଟେସନରେ ଲିପ୍ଟ ଲାଗି ପାରି ନଥିବାରୁ ଉଦ୍‌ବେଗ ପ୍ରକାଶ ପାଇଥିଲା । ଲିପ୍ଟ ନ ଲାଗିବା ଦ୍ୱାରା ବରିଷ୍ଠ ନାଗରୀକ ଓ ରୋଗୀମାନେ ଦୁଇ ଏବଂ ତିନି ନମ୍ବର ପ୍ଲାଟଫର୍ମକୁ ଯିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ବରିଷ୍ଠ ନାଗରୀକ ଓ ରୋଗୀମାନଙ୍କ ପାଇଁ ଷ୍ଟେସନ ଭିତରେ ଏକ ବ୍ୟାଟେରୀ ଚାଳିତ ଗାଡିର ବ୍ୟବସ୍ଥା କରିବା, ବଲାଙ୍ଗିର-ଖୋର୍ଦ୍ଧା ରେଳ ପ୍ରକଳ୍ପ କାମ ଶୀଘ୍ର ସମାପ୍ତ କରିବା, ଦିଲ୍ଲୀକୁ ବଲାଙ୍ଗିର ଦେଇ ଟ୍ରେନ୍‌ ଚଳାଇବା ଆଦି ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା । ଏନେଇ ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀ, ବଲାଙ୍ଗିର ଲୋକସଭା ସାଂସଦ, ରାଜ୍ୟସଭା ସାଂସଦଙ୍କ ସମେତ ରେଳ ବିଭାଗର ଅଧିକାରୀଙ୍କୁ ବିଭିନ୍ନ ସମୟରେ ଲିଖିତ ଆକାରରେ ଦାବୀ ଜଣାଇଛି ସଂଘ । କିନ୍ତୁ କିଛି ସୁଫଳ ମିଳି ପାରି ନାହିଁ । ତେଣୁ ସଂଘ ଶେଷଥର ପାଇଁ ସମସ୍ତଙ୍କୁ ଭେଟିବା ସହ ଲିଖିତ ଆକାରରେ ଦାବୀ ଜଣାଇବ । ତିନିମାସ ମଧ୍ୟରେ ଉପସ୍ଥାପନ କରାଯାଇଥିବା ଦାବୀ ଗୁଡିକ ରେଳ ବିଭାଗ ପୂରଣ ନକଲେ ସଂଘ ଆନ୍ଦୋଳନକୁ ଓହ୍ଲାଇବା ସହ ରେଳ ଷ୍ଟେସନ ଭିତରେ ଧାରଣା ଦେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ଆସନ୍ତା ମେ’ ଶେଷ ସପ୍ତାହରେ ସଂଘର ସାଧାରଣ ପରିଷଦ ବୈଠକ କରାଯିବାକୁ ନିଷ୍ପତ୍ତି ହୋଇଥିଲା ଏବଂ ଏହି ସାଧାରଣ ପରିଷଦ ବୈଠକରେ ନୂତନ ପ୍ରସ୍ତାବ ଗୁଡିକୁ ସର୍ବସମ୍ମତି କ୍ରମେ ଗୃହିତ କରାଯିବ ବୋଲି ସଭାପତି ଶ୍ରୀ ମିଶ୍ର ଘୋଷଣା କରିଥିଲେ । ଏହି ବୈଠକରେ ସଂଘର ଉପସଭାପତି ଅଶୋକ କୁମାର ମିଶ୍ର, କାଯ୍ୟକାରିଣୀ ସଦସ୍ୟ ପ୍ରଭାକର ମିଶ୍ର, ମନରଂଜନ ପୁରୋହିତ, ଛବିଲାଲ ବେହେରା, ଯୁଧିଷ୍ଠିର ମିଶ୍ର, ଗୋପବନ୍ଧୁ ପୁରୋହିତ, ଧର୍ମପଦ ରଥ, ରୁତୁରାଜ ସିଂହ ଉପସ୍ଥିତ ରହି ନିଜ ନିଜର ମତ ରଖିଥିଲେ । କୋଷାଧ୍ୟକ୍ଷ ଅଶୋକ କୁମାର ଚାନ୍ଦ ଆୟ ବ୍ୟୟର ବିବରଣୀ ପ୍ରଦାନ କରିଥିବା ବେଳେ ସହସଂପାଦକ ଦିବାକର ହୋତା ଧନ୍ୟବଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.