ଖଟିଆ-ରାମଚନ୍ଦ୍ରପୁରର ହରିଜନବସ୍ତିର ଦୁର୍ଘଟଣାଗ୍ରସ୍ତ ମୃତକ ଦୁଇ ଜଣ ଯୁବକଙ୍କ ପରିବାରଙ୍କୁ କ୍ଷତିପୂରଣ ଦାବୀ ନେଇ ଉଠିଛି ଜୋରସୋର ଦାବୀ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବଡ଼ ଅଘଟଣ, ସେ ପୁଣି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗାଁ ରାସ୍ତାରେ ଆଲୋକ ବ୍ୟବସ୍ଥା ନ ଥିଲା । ବାଟରେ ଅଟକାଇଲେ ଦୁଇଜଣ । କହିଲେ, ପଥର କୁଆଁରିରୁ ପଥର ବ୍ଲାଷ୍ଟ ହେଉଛି । ଟିକିଏ ରହିଯାଅ । ସମୟ ସେତେବେଳେ ପ୍ରାୟତଃ ରାତି ଆଠ ଘଣ୍ଟା ହୋଇଥିବ । ପଥର ଫୁଟିଲା, ଏଥର ତୁମେ ଯାଇପାର, ଆଗକୁ ମାଡ଼ିଗଲେ । ଗୋଟିଏ ବାଇକରେ ତିନିଜଣ ଯୁବକ ବସି ଯାଉଥିଲେ । ପ୍ରାୟତଃ ଶହେ ମିଟର ଆଗରେ ପଥର ବ୍ଲାଷ୍ଟ ହୋଇଥିବାର ଧୂଆଁ ଧୁଳିକଣାରେ ଆଗକୁ ଆଉ କିଛି ଦେଖାଗଲାନାହିଁ । ରାସ୍ତାଉପରେ ଅବରୋଧ କରି ରଖାଯାଇଥିଲା । ଏକ ଟ୍ରାକ୍ଟର । ଟ୍ରାକ୍ଟର ସହ ଶକ୍ତ ଧକ୍କାରେ ଘଟିଗଲା, ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଘଟଣାସ୍ଥଳରେ ପ୍ରଥମେ ଜଣଙ୍କର ମୃତ୍ୟୁ, ପରେ ଆଉ କିଛି ସମୟ ପରେ ଡାକ୍ତରଖାନାରେ ଆଉ ଜଣଙ୍କର ମୃତ୍ୟୁ ଘଟିଗଲା । ତୃତୀୟ ବ୍ୟକ୍ତି ଜଣକ ସଂଜ୍ଞାହୀନ ହୋଇ ପଡିଥିଲେ । ତିନିଦିନ ପରେ ତାଙ୍କର ଚେତା ଫେରି ଆସିଲା । ତେବେ ଚେତା ଫେରି ଆସିବା ପରେ ସେ ଧୀରେ ଧୀରେ ସବୁ ବୃତ୍ତାନ୍ତ କହିଥିଲେ ।
ଘଟଣାଟି ଘଟିଛି, ଗଞ୍ଜାମ ବ୍ଳକ୍ ଅନ୍ତର୍ଗତ ସନ୍ତୋଷପୁର ଠାରୁ ଖଟିଆ-ରାମଚନ୍ଦ୍ରପୁର ଯିବା ରାସ୍ତାରେ । ମୃତକ ହେଲେ ଖଟିଆ-ରାମଚନ୍ଦ୍ରପୁରର ହରିଜନବସ୍ତିର ରଞ୍ଜନ ଦାସ(୨୬), ଶିଶିର ଦାସ (୩୫) ଏବଂ ଚେତା ଫେରି ପାଇଥିବା ଯୁବକ ରାଜେଶ ଦାସ ବୋଲି ଜଣାଯାଇଛି । ଗାଁରେ ଏହି ଦୁଇ ପରିବାରର ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏହି ଘଟଣାକୁ କେନ୍ଦ୍ର କରି ଜଣେ ସଦ୍ୟ-ବିଧବା ହୋଇଗଲେ । ତେବେ ତାଙ୍କରି ପରିବାର ବର୍ଗଙ୍କ ହୃଦୟବିଦାରକ କ୍ରନ୍ଦନର ରୋଳ ସତରେ ଶୁଣି ସହଜରେ ହଜମ କରି ହେଉନି । ସେମାନେ ତାଙ୍କର ନ୍ୟାୟ ଚାହୁଁଛନ୍ତି । ଘଟଣାଟି ଘଟିବାର ଆଜକୁ ଦଶ ଦିନ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ନିକଟରେ ପ୍ରଶାସନ ପକ୍ଷରୁ କୌଣସି ସାହାଯ୍ୟ ମିଳିନାହିଁ । କି ସରକାରୀ ଲୋକ କେହି ପହଞ୍ଚିନାହାଁନ୍ତି । ରମ୍ଭା ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ତାହାକୁ ଚପାଇ ଦିଆଯାଇଥିବା କୁହାଯାଇଛି । ଖଟିଆ-ରାମଚନ୍ଦ୍ରପୁରର ହରିଜନ ବସ୍ତି ଅଞ୍ଚଳରେ ପ୍ରାୟ ୪୦ ପରିବାର କୁଲି, ମୂଲ କାମ କରି ଚଳନ୍ତି । ଆଉ କେତେଜଣ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥାନ୍ତି । ଏହି ମୃତକ ଦୁଇଜଣ ମଧ୍ୟ ଦାଦନ ଖଟିବାକୁ ଯାଇ ଘରକୁ ଆସିଥିଲେ । ଆଉ ଦୁଇ ଦିନ ପରେ ବାହାର ରାଜ୍ୟକୁ ପୁଣି ଯାଇଥାନ୍ତେ । ତାଙ୍କ ସହ ଘଟିଗଲା ଏହି ଅଘଟଣ । ତାଙ୍କୁ ଉଚିତ ନ୍ୟାୟ ନ ମିଳିଲେ ସେମାନେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି ।