ନକଲି ସାର୍ଟିଫିକେଟର ମାଷ୍ଟର ମାଇଣ୍ଡ ମନୋଜ ଓ ଆଲୋକଙ୍କ ସହ ୪ ଜଣଙ୍କୁ ୩ ଦିନ ପାଇଁ ରିମାଣ୍ଡରେ ନେଲା କ୍ରାଇମ୍ବ୍ରାଞ୍ଚ
ବଲାଙ୍ଗିର, (କେପିଏନ୍ଏସ୍) : ନକଲି ସାର୍ଟିଫିକେଟର ମାଷ୍ଟର ମାଇଣ୍ଡ ମନୋଜ ଓ ଆଲୋକଙ୍କ ସହ ୪ ଜଣଙ୍କୁ ୩ ଦିନ ପାଇଁ ରିମାଣ୍ଡରେ ନେଇଛି କ୍ରାଇମ୍ବ୍ରାଞ୍ଚ । ଗତକାଲି ସିଭିଲ କୋର୍ଟରେ ଅଧିକ ତଦନ୍ତ ପାଇଁ ମାନ୍ୟବର ଅଦାଲତଙ୍କ ପାଖରେ ରିଲାଏନ୍ସ ଏଜୁକେସନର ମାଲିକ ମନୋଜ ମିଶ୍ର ଏବଂ ତାଙ୍କ ନିକଟତମ ପାର୍ଟନର ଆଲୋକ ଉଦ୍ଗାତା ଓ ଏହି ମାମଲାରେ ଜେଲ ହାଜତରେ ଥିବା ତ୍ରୀବିହାରୀ ପଣ୍ଡା ଏବଂ ପରେଶ ବୁଡେକଙ୍କୁ ପାଞ୍ଚ ଦିନ ରିମାଣ୍ଡରେ ନେବା ପାଇଁ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଆବେଦନ କରାଯାଇଥିଲା । ମାନ୍ୟବର ଅଦାଲତ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ୩ ଦିନ ପାଇଁ ରିମାଣ୍ଡରେ ନେବାକୁ କ୍ରାଇମ୍ବ୍ରାଞ୍ଚକୁ ଅନୁମତି ଦେଇଥିଲେ । ଏହି କ୍ରମରେ ଆଜି କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ମନୋଜ, ଆଲୋକ, ତ୍ରୀବିହାରୀ ଏବଂ ପରେଶଙ୍କୁ ରିମାଣ୍ଡରେ ଆଣି ସାରିଛି । ଅନ୍ୟପକ୍ଷରେ ତଦନ୍ତର ଅଗ୍ରଗତି ସମୀକ୍ଷା କରିବା ପାଇଁ ଆଇଜିପି. ସିଆଇଡି କ୍ରାଇମ୍ବ୍ରାଞ୍ଚ ଅମିତେନ୍ଦ୍ର ନାଥ ସିହ୍ନା(ଆଇପିଏସ୍) ବଲାଙ୍ଗିରରେ ପହଞ୍ଚିଛନ୍ତି । ତେବେ ଏହି ପ୍ରକ୍ରିୟାରେ ବଲାଙ୍ଗିର ପୋଲିସ ବିଭାଗର ଅଧିକାରୀ ସମୂହ ଏବଂ କ୍ରାଇମ୍ବ୍ରାଞ୍ଚ ତଦନ୍ତ ଟିମ୍ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ବଲାଙ୍ଗିର ଏସ୍ପି ନିତିନ କୁଶଲକର ମଧ୍ୟ ଯୋଗଦାନ କରି ନିଜ ତଦନ୍ତ ସମ୍ପର୍କରେ ତଥ୍ୟ ଦେବେ । ଏହି ପ୍ରକ୍ରିୟାରେ ଅଭିଯୁକ୍ତଙ୍କ ଅନଃଜିଲ୍ଲା ଏବଂ ଅନଃରାଜ୍ୟ ଲିଙ୍କ ତଥା ଆର୍ଥିକ ଲେଣଦେଣ ଅପରାଧ ଉପରେ ଖୋଲତାଡ କରାଯିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଅନ୍ୟପଟେ ଇନ୍ସ୍ପେକ୍ଟର ମମତା ରାଣୀ ପଣ୍ଡାଙ୍କ ଏକ ଟିମ୍ ପହଞ୍ଚିଥିବା ବେଳେ ମୁଖ୍ୟ ଟିମ୍ର ତଦନ୍ତ ସମୟରେ ଏହି ଟିମ୍ ଆବଶ୍ୟକୀୟ ସହଯୋଗ କରିବ ବୋଲି କହିଛି । ସୂଚନା ଅନୁସାରେ ପୋଲିସ ରିମାଣ୍ଡରେ ଆସିଥିବା ୪ ଜଣ ଅଭିଯୁକ୍ତଙ୍କୁ ତନ୍ନ ତନ୍ନ କରି ପଚରାଉଚରା କରାଯିବା ସଂଗେ ସଂଗେ ଜଣକୁ ଆର ଜଣକ ସହ ସାମନା ସାମନି କରି ଏହି ମାମଲା ଉପରେ ରିମାଣ୍ଡ ପିରିଅଡ ମଧ୍ୟରେ ମାମଲାର ମୂଳ ତଥା ଅନ୍ୟାନ୍ୟ ଦିଗ ଉନ୍ମୋଚନ କରି ଅଭିଯୁକ୍ତମାନଙ୍କ ଉପରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ମିଳିଥିବା ସୂଚନାରେ କୁହାଯାଇଛି ।