ଜିଲ୍ଲାସ୍ତରୀୟ ପୋଷଣ ପକ୍ଷ ପାଳନ

  • ପୋଷଣଯୁକ୍ତ ଖାଦ୍ୟ ଅଭ୍ୟାସ ସମ୍ପର୍କରେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ଵାରୋପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସନ୍ଧ୍ୟାରେ ସ୍ଥାନୀୟ ଜିଲ୍ଲା ସାମ୍ବାଦିକ ଭବନ ପରିସରରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ବଲାଙ୍ଗିର ପକ୍ଷରୁ ଜିଲ୍ଲାସ୍ତରୀୟ ପୋଷଣ ପକ୍ଷ ପାଳିତ ହୋଇଯାଇଛି । ଜିଲ୍ଲାସ୍ତରୀୟ ପୋଷଣ ପକ୍ଷ ପାଳନ ଉପଲକ୍ଷେ ଅନୁଷ୍ଠିତ ସଚେତନତା ସଭାରେ ଜିଲ୍ଲାପାଳ ଚଞ୍ଚଳ ରାଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚଳିତ ବର୍ଷ ଆନ୍ତର୍ଜାତିକ ମିଲେଟ ବର୍ଷ ଭାବେ ପାଳନ କରାଯାଉଛି ବୋଲି ପ୍ରକାଶ କରିବା ସହ ପାରମ୍ପରିକ ଖାଦ୍ୟରେ ପ୍ରଚୁର ପୁଷ୍ଟି ଓ ଶରୀର ପାଇଁ ଉପଯୋଗୀ ପୋଷଣ ତତ୍ଵ ଭରି ରହିଛି । ମାଣ୍ଡିଆ ସହ ସୁଆଁ, ଗୁର୍ଜି, କୁଦୋ, ବାଜରା ଖାଦ୍ୟ ଏହିଭଳି ପୁଷ୍ଟି ସାଧନ କରୁଥିବା ଖାଦ୍ୟଶସ୍ୟର ଉପାଦେୟତା ସମ୍ପର୍କରେ ବ୍ୟାପକ ଜନସଚେତନତା ଉପରେ ସେ ଗୁରୁତ୍ଵାରୋପ କରିଥିଲେ । ପୋଷଣ ଖାଦ୍ୟ, ହାତ ଧୋଇବା, ଉତ୍ତମ ସ୍ୱାସ୍ଥ୍ୟ ସମ୍ପର୍କରେ ବିଭିନ୍ନ ବିଭାଗର ସମନ୍ଵୟ ଜରିଆରେ ସଚେତନତା ସୃଷ୍ଟି କରାଯିବା ନିମନ୍ତେ ପରାମର୍ଶ ଦେଇଥିଲେ । ଏହି ସଚେତନତା ସଭାରେ ଜିଲ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ ଅଲେଖ ବିଶ୍ଵାଳ, ସହକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡ଼. ସୁଧା ବାର୍ଲା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୋଷଣ ତତ୍ଵଯୁକ୍ତ ଖାଦ୍ୟର ଉପାଦେୟତା ଓ ମାଣ୍ଡିଆ ଜାତୀୟ ଖାଦ୍ୟ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରମା ସେଠୀ ଜିଲ୍ଲାସ୍ତରୀୟ ପୋଷଣ ପକ୍ଷ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିବା ସହ ମିଲେଟ ଜାତୀୟ ଖାଦ୍ୟଶସ୍ୟ ଯାହାକୁ ଶ୍ରୀ ଅନ୍ନ ବୋଲି କୁହାଯାଏ ଏବଂ ଏହା ପୁଷ୍ଟିସାର, ଭିଟାମିନ ଓ ଖଣିଜ ତତ୍ଵରେ ଭରପୁର । ତେଣୁ ଏହି ଖାଦ୍ୟର ଉପଯୋଗିତାକୁ ବୁଝି ଏହାକୁ ଦୈନନ୍ଦିନ ଖାଦ୍ୟ ପ୍ରଣାଳୀରେ ସାମିଲ କରିବାକୁ ମତବ୍ୟକ୍ତ କରିଥିଲେ । ମାର୍ଚ୍ଚ ମାସ ୨୦ ତାରିଖଠାରୁ ଜିଲ୍ଲାର ସମସ୍ତ ବ୍ଲକ ଅନ୍ତର୍ଗତ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ସ୍ତରରେ ପୋଷଣ ପକ୍ଷ ପାଳିତ ହୋଇଯାଇଛି । ପ୍ରକଳ୍ପ ସ୍ତରରେ ପୋଷଣ ପକ୍ଷ ପାଳନ ଉପଲକ୍ଷେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ କୁଇଜ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଆଜି ଅନୁଷ୍ଠିତ ଜିଲ୍ଲାସ୍ତରୀୟ ପୋଷଣ ପକ୍ଷ ପାଳନ ଅବସରରେ ଅତିଥିମାନେ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ସଭାରେ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଚିତାକୁଟୁନା ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପର ଅଙ୍ଗନୱାଡି କର୍ମୀ ଅଏଁଲାବତୀ ନାଗଙ୍କୁ ନିରନ୍ତର ସେବା ପାଇଁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ବଙ୍ଗୋମୁଣ୍ଡା ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପର ଅଙ୍ଗନୱାଡି ସହାୟିକା ଉର୍ବଶୀ କପାଟଙ୍କୁ ଘରେ ଘରେ ପୋଷକ ଯୁକ୍ତ ଖାଦ୍ୟାଭ୍ୟାସକୁ ପ୍ରୋତ୍ସାହନ କରିବା ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ସଭାରେ ଦେଓଗାଁ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପର ସେକ୍ଟର ସୁପରଭାଇଜର ମିନତୀ ମିଶ୍ର, ଗୁଡଭେଲା ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପର ପ୍ରତିମା ଚୋପଦାର ଓ ଜିଲ୍ଲା ସ୍ତରରେ ଶୁଭଶ୍ରୀ ମିଶ୍ରଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ସଭାକୁ ମମତାର ଜିଲ୍ଲା ପ୍ରୋଗ୍ରାମ ସଂଯୋଜକ ଶିବାନୀ ଠାକୁର ସଂଯୋଜନା କରିଥିଲେ । ସଭା ପରେ ସେଠାରେ ପୋଷଣଯୁକ୍ତ ଖାଦ୍ୟର ଉପାଦେୟତା ଓ ମିଲେଟ ମିଶନ ସମ୍ପର୍କିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଜିଲ୍ଲାସ୍ତରୀୟ ପୋଷଣ ପକ୍ଷ ପାଳନ ସାମ୍ବାଦିକ ଭବନ ପରିସରରେ ଜିଲ୍ଲାର ବିଭିନ୍ନ ବ୍ଲକ ଅନ୍ତର୍ଗତ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଓ ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ଵାରା ପୋଷଣଯୁକ୍ତ ଖାଦ୍ୟ ଓ ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟର ପ୍ରଦର୍ଶନୀ ଅନୁଷ୍ଠିତ ହେବା ସହ ଏକ ସଚେତନତା ଶୋଭାଯାତ୍ରାର ମଧ୍ୟ ଆୟୋଜିତ ହୋଇଥିଲା ।

Leave A Reply

Your email address will not be published.