jayashree

ଗଞ୍ଜାମ ଜିଲ୍ଲାସ୍ତରୀୟ ପୋଷଣ ପଖୱାଡା କାର୍ଯ୍ୟକ୍ରମ ଉଦ୍‌ଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦେଶକୁ ସୁଦୃଢ କରିବା ସକାଶେ ପୋଷଣର ଆବଶ୍ୟକତା ରହିଛି । ପୁଷ୍ଟିକର ସୁସ୍ଥତା ସକାଶେ ଶ୍ରୀ ଅନ୍ନ ବା ମିଲେଟର ଅଭିବୃଦ୍ଧି ଓ ଲୋକପ୍ରିୟତା କରିବା ଜରୁରୀ ହୋଇପଡିଛି ।

ଗତ ମାର୍ଚ୍ଚ ମାସ ୨୦ ତାରିଖଠାରୁ ଜିଲ୍ଲାରେ ଆରମ୍ଭ ହୋଇଥିବା ପୋଷଣ ପଖୱାଡା(ପକ୍ଷ) କାର୍ଯ୍ୟକ୍ରମ ସୋମବାର ଉଦ୍‌ଯାପିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚାଲିଥିବା ଏହି କାର୍ଯ୍ୟକ୍ରମର ଶେଷ ପଦଯାତ୍ରା ଛତ୍ରପୁର ପବ୍ଲିକ ସ୍କୁଲରୁ ଶୁଭାରମ୍ଭ ହୋଇ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାଠାରେ ଶେଷ ହୋଇଥିଲା । ଜିଲ୍ଲାପାଳ ଶ୍ରୀ ପରିଡା ଏହି ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ପରେ ପରେ ଜିଲ୍ଲା ଶିଶୁ ମଙ୍ଗଳ ଓ ମହିଳା ସୁରକ୍ଷା ଅଧିକାରୀ ଶୁଭଶ୍ରୀ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ସଭା କାର୍ଯ୍ୟ ପ୍ରାରମ୍ଭିକ ସୂଚନା ପ୍ରଦାନ ଦ୍ୱାରା ଜିଲ୍ଲା ପରିଷଦ ଋଷିକୂଲ୍ୟା ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷା ଏସ୍.ରାଜେଶ୍ୱରୀ ଦୋରା, ଅନ୍ୟତମ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ ମଞ୍ଚାସୀନ ଥିଲେ । କୁପୋଷଣର ଶିକାରରୁ ବଞ୍ଚିତ କରିବା ସକାଶେ ପୋଷଣ ପକ୍ଷ ପାଳନ ଦ୍ୱାରା ପୃଷ୍ଟିକର ଖାଦ୍ୟ ଖାଇବା ଦିଗରେ ସଚେତନ କରାଇବା ଏହି ପକ୍ଷ ପାଳନର ଉଦ୍ଦେଶ୍ୟ । ପୋଷଣଯୁକ୍ତ ଖାଦ୍ୟ କ’ଣ ଏବଂ ସେଗୁଡିକୁ କେମିତି ଖାଦ୍ୟ ପ୍ରସ୍ତୁତ କରି ମା’ ଓ ଶିଶୁମାନଙ୍କୁ ଦିଆଯିବା ଆବଶ୍ୟକ ସେ ସମ୍ପର୍କରେ ଅତିଥିଗଣ ନିଜନିଜ ବକ୍ତବ୍ୟରେ ଜଣାଇଥିଲେ । ଏହି ଦିବସଟିକୁ ଉତ୍ସବ ପାଳନ ଦିବସ ରୂପେ ପରିଗଣିତ ନ କରି ମା’ ଓ ଶିଶୁମାନଙ୍କ କିଭଳି ପୁଷ୍ଟିକର ଖାଦ୍ୟର ଆବଶ୍ୟକତା ମେଣ୍ଟାଇ ହେବ ସେହି ଦିଗରେ ବର୍ଷ ତମାମ କାର୍ଯ୍ୟ କରି ଜିଲ୍ଲାରୁ କୁପୋଷଣକୁ ରୋକିବା ଦିଗରେ କାର୍ଯ୍ୟ କରିବା ପାଇଁ ଉପସ୍ଥିତ ସମସ୍ତ ସିଡିପିଓ, ସୁପରଭାଇଜର, ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି, କିଶୋରୀ ବାଳିକା, ସ୍ୱୟଂ ସହାୟିକା ଗୋଷ୍ଠୀର ମା’, ଭଉଣୀମାନଙ୍କୁ ବୁଝାଇ ଦିଆଯାଇଥିଲା । ସମସ୍ତେ ଯେପରି ପୋଷଣଯୁକ୍ତ ଖାଦ୍ୟ ଖାଇବେ ସେହି ଦିଗରେ ସଚେତନ କରାଇବାର ଆବଶ୍ୟକତା ଉପରେ ବକ୍ତବ୍ୟରେ ଅତିଥିଗଣ ଅବଗତ କରାଇଥିଲେ । ମାଣ୍ଡିଆ ପ୍ରସ୍ତୁତି ଖାଦ୍ୟ ଏବଂ ସମସ୍ତ ଶିଶୁ ଓ ମହିଳା ବିଭାଗର ସୁପରଭାଇଜରମାନଙ୍କ ଦ୍ୱାରା ପ୍ରଦର୍ଶନୀକୁ ଅତିଥିଗଣ ଉଦ୍‌ଘାଟନ କରିଥିଲେ । ଏହି ପକ୍ଷ ପାଳନ ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ । ସହକାରୀ ଜିଲ୍ଲା ଶିଶୁ ଓ ମହିଳା ଉନ୍ନୟନ ଅଧିକାରୀ ସାଧନ ଚନ୍ଦ୍ର ଦାଶଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମଟିକୁ ବାଲ୍ୟବିବାହ ମୁକ୍ତ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ଦେବବ୍ରତ ମାହୁନ୍ତ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବା ବେଳେ ମହିଳା ଓ ଶିଶୁ ସୁରକ୍ଷା ଅଧିକାରୀ ସଙ୍ଗୀତା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଆଇସିଡିଏସ୍‌ର ସୁପରଭାଇଜର କବିତା ପଣ୍ଡା ସ୍ୱାଗତ ସଙ୍ଗୀତ ସହ କବିତା ଆବୃତ୍ତି କରିଥିଲେ ।

Leave A Reply

Your email address will not be published.