ଅଦିନିଆ ବର୍ଷା : ଚାଷୀ ମୁଣ୍ଡରେ ଚଡକ

  • ମୁଗ, ବିରି, ଚିନାବାଦମ ଓ ଟମାଟୋ ଚାଷ ବ୍ୟାପକ କ୍ଷତିଗ୍ରସ୍ତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଗତ ଶୁକ୍ରବାର ରାତିରୁ ହୋଇଥିବା ଅଦିନିଆ ବର୍ଷା ପାଇଁ ଚାଷ ଜମିରେ ବ୍ୟାପକ କ୍ଷୟକ୍ଷତି ଓ ଫସଲ ହାନୀ ହୋଇଥିବା ବେଳେ ଚଳିତ ବର୍ଷର ରବି ଫସଲ ନଷ୍ଟ ହେବା ନେଇ ଚାଷୀ ମୁଣ୍ଡରେ ଚଡକ ପଡିଛି । ଜଣେ ଚାଷୀ ଧାରକରଜ ଓ ଧାନବିକି ରବି ଫସଲରେ ଅର୍ଥ ଲଗାଇଥିଲା । ଭଲ ଫସଲ ହେଲେ ତାହାକୁ ବିକ୍ରିକରି ଧାରକରଜ ସୁଝିବା ସହିତ ଦୁଇପଇସା ପାଇବାର ଆଶା ରଖିଥିଲା । ମୁଣ୍ଡଝାଳ ତୁଣ୍ଡରେ ମାରି ଫସଲକୁ ଗୋରୁ ଗାଈଙ୍କ ଦାଉରୁ ସୁରକ୍ଷା କରିବା ପାଇଁ ଡହଡହ ଖରାରେ ବିଲମୁଣ୍ଡରେ ଜଗି ରହିଥିଲା । ହେଲେ ଗତକାଲି ରାତିରେ ଜିଲ୍ଲା ବ୍ୟାପି ହୋଇଥିବା ଏହି ଅଦିନିଆ ପଶ୍ଚିମା ପବନ ଓ ବର୍ଷା ଚାଷୀର ମେରୁଦଣ୍ଡକୁ ଭାଙ୍ଗିଦେଇଛି । କ୍ଷେତରେ ବିରି, ମୁଗ, କୋଳଥ, ଚଣା, ଚିନାବାଦାମ ପ୍ରଭୃତି ରବି ଫସଲ ପାଚି ଆସୁଥିବା ବେଳେ ଅଦିନିଆ ଛେଚା ବର୍ଷା ପାଇଁ କ୍ଷେତରେ ଛୁଇଁ (ସଶ୍ୟପୂର୍ଣ୍ଣ ଶିଶା) ସବୁ ଫାଟିଯିବା ଯୋଗୁ ମଞ୍ଜିଗୁଡିକ କ୍ଷେତରେ ନଷ୍ଟ ହୋଇଛି । ମୂଳ କାଦୁଆ ହେବା ଯୋଗୁଁ ଗଛଗୁଡିକ ମୂଳ ସଢିବାକୁ ବସିଲାଣି । ସେହିପରି କେତେକ କ୍ଷେତରେ ପାଣି ଜମି ରହିଥିବା ଯୋଗୁଁ ଫସଲ ନଷ୍ଟ ହେବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ଗୁଆଳିପଡା ଗ୍ରାମ ପଞ୍ଚାୟତର ହୁମର ଗ୍ରାମର ଜଣେ ଚାଷୀ ବିଷ୍ଣୁ ଚରଣ ପରିଡା କହିଛନ୍ତି ଯେ, ଗତକାଲି ରାତିରେ ହୋଇଥିବା ଅଦିନିଆ ଲଗାଣ ବର୍ଷା ପାଇଁ ମୋ ବିଲରେ ପାଣି ଜମି ଯାଇଛି । ମୁଁ କରଜ କରି ଦେଢ ଏକର ବାଦାମ ଓ ୧ ଏକର ଜମିରେ ମୁଗ ଚାଷ କରିଥିଲି । ମୁଗ ଓ ବାଦାମ ବିଲରେ ପାଣି ଜମିରହିବା ଯୋଗୁଁ ଫସଲ ନଷ୍ଟ ହୋଇଯାଇଛି । ଏବେ କେମିତି ମୁଁ କରଜ ସୁଝିବି ଓ ମୋ ୫ ପ୍ରାଣୀ କୁଟୁମ୍ବ ଚଳାଇବି ବୋଲି କହି କାନ୍ଦି ଉଠିଥିଲେ । ସେହିପରି ମାଛପଡା ଗ୍ରାମର ଜଣେ ଚାଷୀ ମହେଶ୍ୱର ଜେନା କହିଛନ୍ତି ଯେ, ମୋର ମୋଟ ୩ ଏକର ମୁଗ ଓ ୨ଏକର ବିଲରେ ବିରି ଚାଷ କରିଥିଲି । ବର୍ତ୍ତମାନ ଅଦିନିଆ ବର୍ଷା ପାଇଁ ମୋର ସମ୍ପୂର୍ଣ୍ଣ ଚାଷ ନଷ୍ଟ ହେବା ସହିତ ସବୁ ବିରି, ମୁଗ ମଞ୍ଜି ଛୁଇଁରୁ ଅଲଗା ହୋଇ ବିଲରେ ପଡିରହିଛି । ସେହିପରି ଟମାଟୋ ଚାଷୀ ମଧ୍ୟ କ୍ଷତିଗ୍ରସ୍ତର ଶିକାର ହୋଇଛନ୍ତି । ଚାଷୀ ବ୍ରହ୍ମାନନ୍ଦ ପରିଡା ଦେଢ ଏକର ଟମାଟୋ ଚାଷ କରିଥିବା ବେଳେ ପଶ୍ଚିମା ପବନ ବହିବା ଯୋଗୁ ଗଛଗୁଡିକ ବିଲରେ ଶୋଇପଡିଛି ଏଥିସହ ବର୍ଷା ପାଣି ଜମି ରହିବା ହେତୁ ତାଙ୍କର ଫସଲ ନଷ୍ଟ ହୋଇଥିବା ସେ କହିଛନ୍ତି । ସେହିପରି ପଞ୍ଚୁପଲ୍ଲା, ଗୁଆଳିପଡା, ହୁମର, ପିଢପାଟଣା, ବେରବୋଇ, ମଣିଜିପୁର, ବୋଳକଣା, ମାଛପଡା, ପାଟପୁର, କୁଞ୍ଜର, ଉଡତରବୋଇ, ଖେଲାଉର, ଇନ୍ଦିପୁର, ରେଞ୍ଚ ପଞ୍ଚାୟତ, ଚାଇଁପୁର, ସିଂହବ୍ରହ୍ମପୁର, ଜେନାପୁର, ଅରିସଲ, ସାଉରିଆ ପ୍ରଭୃତି ଗ୍ରାମପୁଞ୍ଜ ସହିତ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଶହଶହ ଏକର ଫସଲ କ୍ଷେତ ବ୍ୟାପକ କ୍ଷୟକ୍ଷତି ହୋଇଛି ।

Leave A Reply

Your email address will not be published.