
ଦେଓଗାଁ, (ମନୀଷ କୁମାର ସାହୁ) : ଅଖିଳ ଭାରତୀୟ ଅଘରିଆ ସମାଜର ରାଜ୍ୟସ୍ତରୀୟ ଅଷ୍ଟମ ମହାସମ୍ମିଳନୀ ଓ ବଲାଙ୍ଗିର ଜିଲ୍ଲା ୮୪ ଘର ଅଘରିଆ ସମାଜର ଆଞ୍ଚଳିକ କମିଟିର ଚତୁର୍ଦ୍ଦଶ ମହାସଭା ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଭଇଁସା ଗାଁରେ ଅନୁଷ୍ଠିତ ହେବ । ପ୍ରଥମ ଦିନରେ ଭଇଁସା ଗାଁରୁ ପଦଯାତ୍ରା ବାହାରି ପାଟଣାଗଡ ପାଟଣେଶ୍ୱରୀ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ମା’ ପାଟଣେଶ୍ୱରୀଙ୍କ ଦର୍ଶନ କରିବା ସହ ମନ୍ଦିରରୁ ଶୁଭ ମାଟି ସହ ଆଜ୍ଞାମାଳା ଅଣାଯାଇଥିଲା । ଏହି ଅବସରରେ ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହେବା ସହ ଲଇଡା ଅଘରିଆ ଧାମରୁ ଅଣାଯାଇଥିବା ଶୁଭ ମାଟି ସ୍ଥାପନ ସହ ପୂଜାର୍ଚ୍ଚନା କରାଯାଇଥିଲା । ଏଥିରେ କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ଯୋଗ ଦେଇଥିଲେ ।