jayashree

ଶାରଳା ସାଂସ୍କୃତିକ ପରିଷଦର ୫୨ତମ ବାର୍ଷିକୋତ୍ସବ ଓ ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୬ ଶାରଳା ସାଂସ୍କୃତିକ ପରିଷଦର ୫୨ତମ ବାର୍ଷିକୋତ୍ସବ ଓ ଆଦିକବି ସାରଳା ଦାସ, ଶାରଳା ସାହିତ୍ୟ ଓ ଶାରଳା ଠାକୁରାଣୀଙ୍କ ସଂପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଆର୍ତ୍ତ ଭଞ୍ଜନ ମଲ୍ଲିକଙ୍କ ସଭାପତିତ୍ୱ, ସାଧାରଣ ସଂପାଦକ ଅରକ୍ଷିତ କୁମାର ପାତ୍ରଙ୍କ ଆବାହକତ୍ୱ ଓ ଉପସଭାପତି ଅଶୋକ କୁମାର ବଳଙ୍କ ସଂଯୋଜନାରେ ଆୟୋଜିତ ଏହି ବାର୍ଷିକୋତ୍ସବରେ ଅର୍ବାନ କୋ- ଅପରେଟିଭ ବ୍ୟାଙ୍କର ସଭାପତି ଦିଲ୍ଲୀପ କୁମାର ମହାପାତ୍ର ମୁଖ୍ୟ ଅତିଥି, ଉପଦେଷ୍ଟା ସମାଜସେବୀ ଆନନ୍ଦ ଚନ୍ଦ୍ର ମହାନ୍ତି ସମ୍ମାନିତ ଅତିଥି ଓ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ପରୀକ୍ଷା ନିୟନ୍ତ୍ରକ ପ୍ରଧ୍ୟାପକ ଶୁଭ୍ରାଂଶୁ କୁମାର ବେହେରା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ସାହିତ୍ୟ ପ୍ରତି ପ୍ରତିବଦ୍ଧତାକୁ ସାଧୁବାଦ ଦେଇଥିଲେ । ସମ୍ମାନିତ ଅତିଥି ଶ୍ରୀ ମହାନ୍ତି କାର୍ଯ୍ୟକ୍ରମର ସଫଳତା ଅନୁଷ୍ଠାନର ପ୍ରତ୍ୟେକ କର୍ମକର୍ତ୍ତାଙ୍କୁ ଦେଇଥିବା ବଳେ ସଂସ୍କୃତି ପ୍ରତି ପ୍ରତିବଦ୍ଧତା ଆଗାମୀ ଦିନରେ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ପ୍ରଧ୍ୟାପକ ଶ୍ରୀ ବେହେରା ଆଲୋଚ୍ୟ ବିଷୟ ସାରଳା ସାହିତ୍ୟ ଉପରେ ଆଲୋଚନା କରି କହିଲେ ଯେ କବିର ଅନ୍ତଃଦୃଷ୍ଟି ନରହିଲେ କବି ହୋଇପାରିବ ନାହିଁ । ସେହିପରି ଜାତିର ଶ୍ରେଷ୍ଠ ପରିଚୟ ଭାଷା ଓ ସଂସ୍କୃତି ବୋଲି ମତ ରଖିଥିଲେ । ଆଦିକବି ସାରଳା ଦାସଙ୍କ ଭାଷା ନିଆରା ଓ ମାର୍ମିକ ତଥା ଶାରିରୀକ, ମାନସିକ ଓ ଆତ୍ମିକ ଶିକ୍ଷାର ବୃଦ୍ଧି ନହେଲେ ଶିକ୍ଷା ନିରର୍ଥକ ବୋଲି କହିଥିଲେ । ଏହି ଅବସରରେ ଡ. ନଗେନ ଦାସଙ୍କୁ ଆଦିକବି ସାରଳା ଦାସ ସମ୍ମାନ, ନାଟ୍ୟକାର ଶରତ କୁମାର ଦାସଙ୍କୁ ଶାରଳା ସମ୍ମାନ ଓ ସମାଜସେବୀ ଅଶୋକ ଅଗ୍ରୱାଲଙ୍କୁ ଶାରଳା ସେବା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଶେଷରେ ପଞ୍ଚାନନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପର୍ଶୁରାମ ପଟ୍ଟନାୟକ ଓ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ । ସେହିପରି ମା’ ବାସନ୍ତିକ ଦୁର୍ଗୋତ୍ସବ ମହାସମାରୋହରେ ପାଳିତ ହେଉଛି । ପୂଜକ ଭାବେ ପଣ୍ଡିତ ଉପେନ୍ଦ୍ର କୁମାର ନନ୍ଦ, ପଣ୍ଡିତ ଅକ୍ଷୟ କୁମାର ମିଶ୍ର ଓ ପଣ୍ଡିତ ନଳିନୀକାନ୍ତ ପାଣିଗ୍ରାହୀ ତଥା କର୍ତ୍ତା ଭାବେ ପ୍ରତାପ ଚନ୍ଦ୍ର ପତି ଦାୟିତ୍ୱ ନିର୍ବାହ କରୁଛନ୍ତି । ସେହିପରି ବାଦୀପାଲାରେ ବୃନ୍ଦାବନ ପଣ୍ଡା ଓ ଗାୟକ ଗୌରବ ସୁବାସ ଚନ୍ଦ୍ର ରାୟ ପାଲା ପରିବେଷଣ କରିଛନ୍ତି । ଏହି ଅବସରରେ ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ ।

Leave A Reply

Your email address will not be published.