
ହାଡ଼୍ କୋର୍ କ୍ରିମିନାଲ୍ ବବ୍ଲୁ ମହାନନ୍ଦ ନାଁରେ ବି ମିଳିଛି ଫର୍ଜି ସାର୍ଟିଫିକେଟ୍, ସାଇନ୍ସ୍ରେ ଫାଷ୍ଟ କ୍ଲାସ୍

ବଲାଙ୍ଗିର, (କେପିଏନ୍ଏସ୍) : ହାଡ଼୍ କୋର୍ କ୍ରିମିନାଲ୍ ବବ୍ଲୁ ମହାନନ୍ଦ ନାଁରେ ବି ମିଳିଛି ଫର୍ଜି ସାର୍ଟିଫିକେଟ୍ । ଏଭଳି ଏକ ସୂଚନା ଦେଇଛନ୍ତି ଏସ୍ଡ଼ିପିଓ ତୋଫାନ୍ ବାଗ । ରିଲାଏନ୍ସ ଏଜୁକେସନ୍ ସେଣ୍ଟର ଉପରେ ଚଢାଉ କରି ପୁଲିସ ହାତେଇଥିବା ବିଶେଷ ଆପତ୍ତିଜନକ ପ୍ରମାଣ ତଦନ୍ତକୁ ଯୋଗାଇଛି ମଜବୁତ୍ ଖୋରାକ୍ । ମାଳମାଳ ଫର୍ଜି ସାର୍ଟିଫିକେଟ୍କୁ ମାଳମାଳ ଅଭିଯୁକ୍ତ । ଏହି ରାକେଟର ଚେର ଆହୁରି ଲମ୍ବିଥିବା ସୂଚନା ମିଳିଛି । ଯେତେ ଯେତେ ଖୋଳା ଚାଲିଛି, ସେତେସେତେ ବାହାରୁଛି । ଆହୁରି ଅନେକ ବାହାରିବା ସ୍ପଷ୍ଟ ହେବାରେ ଲାଗିଛି । ପୁଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ନକଲି ସାର୍ଟିଫିକେଟ୍ ମାମଲାର ମୂଳରୁ ଶେଷ ଯାଏଁ ପହଂଚିବା ପାଇଁ ବଲାଙ୍ଗିର ଏସ୍ପିଙ୍କ ନିର୍ଦ୍ଦେଶରେ ୪ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ପ୍ରଥମ ଟିମ୍ ଏ ସଂପର୍କିତ ଆର୍ଥିକ ନେଣଦେଣର ଯାଂଚ କରିବ, ଦ୍ୱିତୀୟ ଟିମ୍ ଘଟଣାରେ ସାଇବର ଆନାଲିସିସ୍ କରିବ, ତୃତୀୟ ଟିମ୍ ୟୁପି ଓ ଅନ୍ୟାନ୍ୟ ସ୍ଥାନକୁ ଯାଇ ଅନୁସନ୍ଧାନ କରିବ ଓ ଚତୁର୍ଥ ଟିମ୍ ରାଜ୍ୟ ଭିତରେ ରେଡ୍ କରି କାର୍ଯ୍ୟାନୁଷ୍ଠାନ ନେବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଫର୍ଜି ସାର୍ଟିଫିକେଟ୍ କାରବାରର ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର ଏବଂ ତାଙ୍କ ପାଟର୍ନର ଆଲୋକ ଉଦ୍ଗାତାଙ୍କ ସହ ୧୯ ଜଣ ଅଭିଯୁକ୍ତଙ୍କୁ ଏହି ମାମଲାରେ ଗିରଫ୍ କରି ବଲାଙ୍ଗିର ପୋଲିସ ଦ୍ୱାରା କୋର୍ଟ ଚାଲାଣ କରାଯାଇଛି । ତେବେ ନକଲି ସାର୍ଟିଫିକେଟ୍ର ମାଷ୍ଟର ମାଇଣ୍ଡଙ୍କ ସହ କାହା କାହା ଲିଙ୍କ ରହିଛି, ଦେଶର କେଉଁ କେଉଁ ୟୁନିଭର୍ସିଟି ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନର କିଏ କିଏ ଏହି ମାମଲା ସହ ଜଡିତ ଅଛନ୍ତି, ବିଭିନ୍ନ ଦପ୍ତରରୁ ଆସୁଥିବା ଭେରିଫିକେସନ୍ ଡୋକ୍ୟୁମେଣ୍ଟସ୍କୁ କେମିତି ବାଟବଣା କରି ଫର୍ଜି ଭେରିଫିକେସନ୍ ରିପୋର୍ଟ ପ୍ରଦାନ କରାଯାଉଥିଲା, ଏଠାରୁ ଜାଲ୍ ସାର୍ଟିଫିକେଟ୍ ନେଇ କିଏ କିଏ କେଉଁ କେଉଁ ବିଭାଗରେ ଚାକିରି କରୁଛନ୍ତି, ଏହି କାରବାରରେ ଦଲାଲ ଭାବେ କିଏ କିଏ ସଂପୃକ୍ତ ରହିଛନ୍ତି, ଏବେ ଏ ସମସ୍ତ ଦିଗକୁ ବଲାଙ୍ଗିର ପୋଲିସ କଡା ନଜର ରଖି ଜବର ତଦନ୍ତ ଚଳାଇଥିବା ଜଣାପଡିଛି । ଏପରିକି ଫର୍ଜି ସାର୍ଟିଫିକେଟ୍ ବିକ୍ରି କରି ଏହି କାରବାରର ମାଷ୍ଟର ମାଇଣ୍ଡ ମନୋଜ ହାତେଇଥିବା ଜାଗା, ଜମି, ବ୍ୟାଙ୍କ ବ୍ୟାଲେନ୍ସକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଛି । ନିକଟରେ ମାଳମାଳ ଅପରାଧ ଖୋର୍ ଅପରାଧୀଙ୍କୁ ଗିରଫ୍ କରି ବିଶେଷ ଚର୍ଚ୍ଚାକୁ ଆସିଥିଲା ବଲାଙ୍ଗିର ପୋଲିସ । ବହୁ ସଂଖ୍ୟାରେ ଅପରାଧୀଙ୍କ ବେଆଇନ ଗଡ ଭାଙ୍ଗି ଅପରାଧୀ ଜଗତରେ ଆତଙ୍କ ମଧ୍ୟ ସୃଷ୍ଟି କରିଥିଲା । ଏତିକି ବେଳେ ଦେଶୀ ବିଦେଶୀ କୁଚିଆ ମଦ ବେପାରୀ ପୁଲିସ ପଞ୍ଝାରେ ଅଣନିଶ୍ୱାସୀ ହୋଇ ପଡିଥିଲେ । ପୁଣି ଆହୁରି କମାଲ୍ ଦେଖାଇଲା ପୋଲିସ । ଏକାଥରକୁ ୩୭ ଜଣ ବେଆଇନ୍ କଫ ସିରପ ମାଫିଆ ଓ କୁଚିଆଙ୍କୁ ଗିରଫ୍ କରି ପାଖାପାଖି ୧୩ ହଜାର ଏସ୍କପ୍ କଫ ସିରପ ବୋତଲ ସିଜ୍ କରିଥିଲା ଓ କୋଲକାତା ଯାଏଁ ଲମ୍ବିଥିବା ଏହାର ଚେରକୁ ଉପାଡିବାରେ ସାମର୍ଥ ପ୍ରଦର୍ଶନ କରି ପାରିଥିଲା । ତେବେ ନକଲି ସାର୍ଟିଫିକେଟ୍ ରାକେଟ୍ରେ ସାମିଲ ମାଳମାଳ ଅଭିଯୁକ୍ତଙ୍କୁ ଜେଲ୍ ହାଜତକୁ ପଠାଇଥିବା ବେଳେ ଏହି ମାମଲାରେ ଘମାଘୋଟ ତଦନ୍ତ ଜାରି ରଖିଛି ବଲାଙ୍ଗିର ପୋଲିସ ।