ବଲାଙ୍ଗିରରେ ଜିଲ୍ଲାସ୍ତରୀୟ ବିଶ୍ଵ ଯକ୍ଷ୍ମା ଦିବସ ପାଳିତ

  • ଯକ୍ଷ୍ମା ରୋଗକୁ ସମ୍ପୂର୍ଣ୍ଣ ନିରାକରଣ ନିମନ୍ତେ ସମସ୍ତଙ୍କର ସହଭାଗିତା ଓ ସହଯୋଗିତା ଉପରେ ଗୁରୁତ୍ଵାରୋପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ସ୍ଥାନୀୟ ଜାତୀୟ ସ୍ୱାସ୍ଥ୍ୟ ମିଶନ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ବିଶ୍ଵ ଯକ୍ଷ୍ମା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରଦୀପ ଗୁରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା ସଭାରେ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ମେଡିକାଲ ଅଧିକ୍ଷକ ଡା. ମାନସୀ ପଣ୍ଡା, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଦିବ୍ୟକିଶୋର ପତି, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଭିବିଡି) ଡା. କୁବେର ଚନ୍ଦ୍ର ମହନ୍ତ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡା. ନମୀତା ମିଶ୍ର, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ଯକ୍ଷ୍ମା) ଡା. ସିଦ୍ଧେଶ୍ଵର ମାଝୀ, ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଯକ୍ଷ୍ମା ଓ ଛାତି ରୋଗ ବିଭାଗର ମୁଖ୍ୟ ଡ଼ା ସସ୍ମିତା ମେହେର, ଯକ୍ଷ୍ମା ଓ ଛାତି ରୋଗ ବିଶେଷଜ୍ଞ ଡ଼ା. ଗିରିଜା ଶଙ୍କର ଉଦ୍‌ଗାତା, ଡା. ଶରତ ଚନ୍ଦ୍ର ନାଗ, ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପ୍ରୋଗ୍ରାମ ମେନେଜର ମୃତ୍ୟୁଞ୍ଜୟ ମୁଣ୍ଡ ପ୍ରମୁଖ ଯୋଗଦେଇ ଚଳିତ ବର୍ଷର ବିଷୟ ବସ୍ତୁ, ବିଶ୍ଵ ଯକ୍ଷ୍ମା ଦିବସ ପାଳନର ତାତ୍ପର୍ଯ୍ୟ ଓ ଯକ୍ଷ୍ମା ମୁକ୍ତ ଭାରତ ଉପରେ ଆଲୋଚନା କରିଥିଲେ । ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ଯକ୍ଷ୍ମା) ଡା. ମାଝୀ ବଲାଙ୍ଗିର ଜିଲ୍ଲାରେ ଯକ୍ଷ୍ମା ରୋଗର ସ୍ଥିତି ଏବଂ ଏହାର ନିରାକରଣ ଗ୍ରହଣ କରାଯାଉଥିବା ପଦକ୍ଷେପ ଉପରେ ବିବରଣୀ ଉପସ୍ଥାପନ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଗୁରୁ ଯକ୍ଷ୍ମା ରୋଗକୁ ସମ୍ପୂର୍ଣ୍ଣ ନିରାକରଣ ନିମନ୍ତେ ସମସ୍ତଙ୍କର ସହଭାଗିତା ଓ ସହଯୋଗିତା ଉପରେ ଗୁରୁତ୍ଵାରୋପ କରିଥିଲେ । ଡ଼ା. ଉଦ୍‌ଗାତା ଯକ୍ଷ୍ମା ରୋଗ ଓ ଏହାର ନିରାକରଣ ସମ୍ପର୍କରେ ବିଷଦ ଭାବେ ଆଲୋଚନା କରିବା ସହ ଉପସ୍ଥିତ ଥିବା ଅଧିକାରୀ, ଆଶା ଏବଂ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ “ହଁ ଆମେ ଯକ୍ଷ୍ମା ଅନ୍ତ ନିଶ୍ଚୟ କରିପାରିବା’ ସମ୍ପର୍କିତ ଶପଥ ପାଠ କରାଇଥିଲେ । ଜିଲ୍ଲା ଯକ୍ଷ୍ମା ବିଭାଗ ପକ୍ଷରୁ ଆଶା, ଏଲ୍‌ଟି ଏବଂ ଟିବି ଚମ୍ପିଆନମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଯକ୍ଷ୍ମା ରୋଗ ନିରାକରଣ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ଟିବି ଚମ୍ପିଆନ ଆଗଲପୁରର ବସନ୍ତ ପ୍ରଧାନ, ଏଲ୍‌ଟି ବାଦିମୁଣ୍ଡାର ଜ୍ୟୋତ୍ସ୍ନା ପାଣ୍ଡେ ଓ ଚୁଡାପାଲିର ଦିବ୍ୟବ୍ରତ କରଣ, ଆଶାକର୍ମୀ ସଇଁତଲାର ବାସନ୍ତୀ ସାହୁ, ଚୁଡାପାଲିର ରୁକ୍ମଣୀ ବାରିକ ଓ ବଲାଙ୍ଗିର ପୌର ପରିଷଦର ନିନା ପ୍ରଧାନଙ୍କୁ ସଭାରେ ପୁରସ୍କୃତ କରାଯାଇଥିଲା । ସଭାରେ ଜିଲ୍ଲା ପ୍ରୋଗ୍ରାମ ସଂଯୋଜକ ସୌମ୍ୟଶ୍ରୀ ମିଶ୍ର, ପିପିଏମ୍‌ ସଂଯୋଜକ ଜୟନ୍ତୀ ମେହେରଙ୍କ ସମେତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ସଂଯୋଜକଙ୍କ ସମେତ ଆଶାକର୍ମୀ ଓ ଏଏନ୍‌ଏମ୍‌ମାନେ ଉପସ୍ଥିତ ଥିଲେ । ଏହି ଦିବସ ପାଳନ ଉପଲକ୍ଷେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଏକ ଦସ୍ତଖତ ସଂଗ୍ରହ ଅଭିଯାନର ଆୟୋଜନ କରାଯାଇଥିଲା ।

Leave A Reply

Your email address will not be published.