ପୁଣି ବଲାଙ୍ଗିର ଟାଉନ ପୁଲିସ ହାତରେ ମାଳ ମାଳ କଫ୍‌ ସିରଫ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଣି ଆଜି୨୨୪୦ ବୋତଲ ଏସ୍‌କଫ୍‌ କଫ୍‌ ସିରପ୍‌ ଜବତ କରି ଏହି ମାମଲାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବଲାଙ୍ଗିର ଟାଉନ ଥାନା ପୁଲିସ । ଏନେଇ ଟାଉନଥାନା ପରିସରରେ ଅନୁଷ୍ଠିତ ସମ୍ବାଦିକ ସମ୍ମିଳନୀରେ ଏସ୍‌ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ଏହି କଛି ଦିନ ତଳେ ରେକର୍ଡ ସଂଖ୍ୟାରେ ୧୨୯୬୦ ବୋତଲ ଏସ୍‌କଫ୍‌ କଫ୍‌ ସିରପ ଜବତ କରିବା ସହ ଏକାଥରକୁ ୩୭ ଜଣ କଫ ସିରପ ମାଫିଆ ଓ କୁଚିଆଙ୍କୁ ଗିରଫ କରି ବଲାଙ୍ଗିର ପୁଲିସ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା । ତେବେ ଆଜି ପୁଣି ଏଭଳି ଏକ ମାମାଲା ପୁଲିସ ହାତରେ ଲାଗିଛି । ଦିଆଯାଇଥିବା ସୂଚନା ଅନୁସାରେ କଟକରୁ ବଲାଙ୍ଗିରକୁ ଆସୁଥିବା ଗୋପୀନାଥ ବସ୍‌ରୁ ସ୍ଥାନୀୟ ଏନ୍‌ଏଚ୍‌ ୫୯ ଟିଟିଲାଗଡ ରୋଡ୍‌ର ଶ୍ମଶାନଘାଟ ପାଖରେ ବଲାଙ୍ଗିର ଟାଉନ ପୁଲିସ ପକ୍ଷରୁ ୨୨୪୦ ବୋତଲ ଏସ୍‌କଫ୍‌ କଫ୍‌ ସିରଫ ଜବତ କରାଯାଇଥିବା ବେଳେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ମାନଙ୍କ ଠାରୁ ୪ ଟି ମୋବାଇଲ ଫୋନ୍‌ ଏବଂ ନଗଦ ୫୪୪୦ଟଙ୍କା ମଧ୍ୟ ଜବତ ହୋଇଥିବା ସୂଚନାରେ କୁହାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ କଳାହାଣ୍ଡି ଜିଲ୍ଲା ଡୁମାଲ ଗ୍ରାମର ଲାଲଧର ପୁଟେଲ (୨୪), କଟକ ଜିଲ୍ଲା ମଙ୍ଗଲାବାର ଥାନା ଅନ୍ତର୍ଗତ ଥୋରିଆସାହୀର ବିଶ୍ୱନାଥ ମୁଲିଆ (୨୯) ଓ ଯାଜପୁର ଜିଲ୍ଲାର ବଡଚଣା ଥାନା ଅନ୍ତର୍ଗତ ଛତିଆ ନିବାସୀ ମହେଶ୍ୱର ମହାନ୍ତି (୨୬) ବୋଲି ଏସ୍‌ଡିପିଓ ଶ୍ରୀ ବାଗ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡିପିଓ ଶ୍ରୀ ବାଗଙ୍କ ସହ ବଲାଙ୍ଗିର ଟାଉନ ଥାନା ଆଇଆଇସି ବିଶ୍ୱଜିତ ମନବୋଧ ଏବଂ ଇନସ୍‌ପେକ୍ଟର ରାଜେନ୍ଦ୍ର କୁମାର ବେହେରା ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.