csstore

ସମସ୍ୟା ପାଇଁ ଦାବୀ କଲେ ମିଳୁଛି ଏନ୍‌ଏସି ଚେଆର୍‌ମେନଙ୍କ ଧମକ୍, ସାଧାରଣରେ ଅସନ୍ତୋଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମସ୍ୟା ପାଇଁ ଦାବୀ କଲେ ବରପାଲିରେ ମିଳୁଛି ଏନ୍‌ଏସି ଚେଆର୍‌ମେନଙ୍କ ଧମକ୍ । ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ବରପାଲିର କିଛି ବରିଷ୍ଠ ନାଗରିକ ମାନେ ଶୌଚାଳୟ, ପରିସ୍ରାଗାର ଓ ମଶା ସମସ୍ୟା ନେଇ ଗତକାଲି ବରପାଲି ଏନ୍‌ଏସି ଅଫିସକୁ ଯାଇଥିବା ବେଳେ ତାଙ୍କୁ ଏନ୍‌ଏସି ଚେଆର୍‌ମେନ ଦିନେଶ ଗହୀର ଧକ୍କା ମାରିବା ସହ ବିଭିନ୍ନ ପ୍ରକାରର ଖରାପ ଭାଷାରେ ଗାଳି ଗୁଲଜ କରିଥିବା ନେଇ ବରପାଲି ଥାନାରେ ଆଜି ନାଗରିକ ଅଧିକାର ଆନ୍ଦୋଳନର ସକ୍ରିୟ କର୍ମୀ କିରଣ ପଟ୍ଟନାୟକ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ ସହ ବରପାଲିର ବରିଷ୍ଠ ନାଗରିକମାନେ ଥାନାକୁ ଯାଇ ଥାନା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ନିଜ ଜୀବନ ପ୍ରତି ବିପଦ ଥିବା ବେଳେ ଆଗାମୀ ଦିନରେ ଯଦି ତାଙ୍କର କିଛି ହୁଏ, ସେଥିପାଇଁ ଏନ୍‌ଏସି ଚେଆର୍‌ମେନ ଦାୟୀ ରହିବେ ବୋଲି କିରଣ ପଟ୍ଟନାୟକ କହିଛନ୍ତି । କୁହାଯାଉଛି ଯେ, ବରପାଲିର ବିଭିନ୍ନ ସମସ୍ୟାକୁ ନେଇ ନାଗରିକ ଅଧିକାର ଆନ୍ଦୋଳନର କର୍ମକର୍ତ୍ତାମାନେ ବାରମ୍ବାର ଏନ୍‌ଏସି ଇଓ, ଚ୍ୟାରମେନ୍ ଓ ମନ୍ତ୍ରୀ ରୀତା ସାହୁଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ମିଳୁଥିଲା ହେଲେ କାମ ଜିରୋ, ଯାହାକୁ ନେଇ ନାଗରିକ ଅଧିକାର ଆନ୍ଦୋଳନର ସକ୍ରିୟ କର୍ମୀ କିରଣ ପଟ୍ଟନାୟକ ନିଜ ମୋବାଇଲରେ ଭିଡିଓ କରି ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରୁଥିଲେ ବୋଲି କହିଛନ୍ତି । ଏହାକୁ ନେଇ ବରପାଲି ଏନ୍‌ଏସି ଚେଆର୍‌ମେନ ଆକ୍ରୋଶମୂଳକ ଭାବେ ଏଭଳି ଘଟଣା ଘଟାଇବାର ଯୋଜନା କରିଥିଲେ ବୋଲି କିରଣ ପଟ୍ଟନାୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

jayashree
Leave A Reply

Your email address will not be published.