ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ କଳିଙ୍ଗ ଘାଟି ନିକଟରୁ ୨୫ କେଜି ଗଞ୍ଜେଇ ଜବତ ହୋଇଥିବା ଜଣାପଡିଛି । ଶନିବାର ଅବକାରୀ ବିଭାଗ ଚଢ଼ାଉ କରି ଏହି ଗଞ୍ଜେଇ ଜବତ କରିଛି । ଏହି ଘଟଣାରେ ତିନି ଜଣ ଚୋରା ଗଞ୍ଜେଇ ବେପାରୀଙ୍କୁ ଗିରଫ କରାଯାଇଛି । ଚୋରା ଚାଲାଣକାରୀଙ୍କ ନିକଟରୁ ଦୁଇଟି ବାଇକ୍ ମଧ୍ୟ ଜବତ କରାଯାଇଛି । ମିଳିଥିବା ସୂଚନା ଅନୁୟାୟୀ, ଚୋରା ଚାଲାଣକାରୀମାନେ ଏକ ଏଲପିଜି ସିଲିଣ୍ଡର ଭିତରେ ଏହି ଗଞ୍ଜେଇକୁ ପ୍ୟାକିଂ କରି ଅଭିନବ ଉପାୟରେ ଚାଲାଣ କରୁଥିଲେ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ ଅଧିକାରୀମାନେ କଳିଙ୍ଗ ଘାଟି ନିକଟରେ ଗାଡ଼ିକୁ ଅଟକାଇ ଚୋରା ଚାଲାଣକାରୀଙ୍କୁ କାବୁ କରିଥିଲେ । ଗାଡିକୁ ଯାଞ୍ଚ କରିବା ପରେ ପୋଲିସର ନଜରରୁ ବର୍ତ୍ତିବା ପାଇଁ ଅଭିନବ ଉପାୟରେ ଗ୍ୟାସ ସିଲିଣ୍ଡର ଭିତରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ଦେଖିବାକୁ ପାଇଥିଲେ । ଜୟନ୍ତ ବେହେରା ନାମକ ଜଣେ ଅଭିଯୁକ୍ତଙ୍କୁ ପଚରାଉଚରା କରିବା ବେଳେ ସେମାନେ ବହୁ ଦିନରୁ ଏଭଳି ଅଭିନୟ ଉପାୟରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ସ୍ୱୀକାର କରିଛନ୍ତି । ଗ୍ୟାସ୍ କଟରରେ ଗ୍ୟାସ୍ ସିଲିଣ୍ଡରକୁ ମଝିରୁ ଖୋଲି ପରେ ଗଞ୍ଜେଇ ଭର୍ତ୍ତି କରି ଚାଲାଣ କରାଯାଏ ବୋଲି ଅଭିଯୁକ୍ତ ଜୟନ୍ତ ବେହେରା କହିଛନ୍ତି । ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି । ଅବକାରୀ ଅଧିକାରୀମାନେ ଚୋରା ଚାଲାଣ ରାକେଟର ମାଷ୍ଟର ମାଇଣ୍ଡକୁ ଖୋଜିବାକୁ ତଦନ୍ତ କରୁଥିବା ସୂଚନା ମିଳିଛି ।