ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଉପାନ୍ତ ଅଞ୍ଚଳରେ ଥିବା ଐତିହ୍ୟ ସମ୍ପନ୍ନ ରାଣୀପୁର ଝରିଆଲ ୬୪ ଯୋଗିନୀ ପୀଠକୁ ପୁଣି ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ହୋଇଛି । ରାଜ୍ୟ ରାଜଧାନୀଠାରୁ ୪୫୦ କି.ମି. ଓ ଜିଲ୍ଲା ସଦର ମହକୁମାଠାରୁ ୧୦୫ କି.ମି. ଦୂରରେ ଅବସ୍ଥିତ ନ୍ୟାସନାଲ୍ ହେରିଟେଜ ୬୪ ଯୋଗିନୀ ପୀଠ ଉପରେ ସରକାର ଓ ପ୍ରଶାସନିକ ଅଧିକାରୀମାନଙ୍କ ଦୃଷ୍ଟି ସହଜରେ ପଡିପାରେ ନାହିଁ । ସେଥିପାଇଁ ଷଷ୍ଠରୁ ନବମ ଶତାବ୍ଦୀ ମଧ୍ୟରେ ନିର୍ମିତ ରାଣୀପୁର ଝରିଆଲ ଯୋଗିନୀ ପୀଠ ଏବେବି ସାଧାରଣ ସୁବିଧାରୁ ବଞ୍ଚିତ । ହେଲେ ସମଗ୍ର ପୃଥିବୀରେ ଥିବା ଚାରୋଟି ଯୋଗିନୀ ପୀଠରୁ ରାଣୀପୁର ଝରିଆଲ ଅନ୍ୟତମ । ସମଗ୍ର ଦେଶରେ ଥିବା ଲାଲ ପୋଡା ଇଟାରେ ତିଆରି ମନ୍ଦିରମାନଙ୍କ ମଧ୍ୟରୁ ସୁଉଚ୍ଚ ଇନ୍ଦ୍ରଲାଟ ମନ୍ଦିର । ସେହିପରି ଭାବରେ ଏତେବଡ ବିସ୍ତୀର୍ଣ୍ଣ ପାହାଡ ଓ ପାହାଡରେ ବିଭିନ୍ନ ଦିଗକୁ ମୁହଁ କରି ଛିଡା ହୋଇଥିବା ଛୋଟ ବଡ ପଥରରେ ନିର୍ମିତ ମନ୍ଦିର ଏମିତି ଅନେକ କିଛି ତନ୍ମଧ୍ୟରୁ ଏ ଅଞ୍ଚଳର ଜନସାଧାରଣଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ ଥିବାରୁ ପ୍ରତ୍ୟେକ ଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ସୋମେଶ୍ୱର ମହାଦେବଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ । ଏହାବାଦ ଐତିହାସିକ, କବି, ଗବେଷକ, ତାନ୍ତ୍ରିକ ଓ ପର୍ଯ୍ୟଟକମାନଙ୍କୁ ସ୍ୱତନ୍ତ୍ର ଭାବେ ଆକୃଷ୍ଟ କରିଥାଏ ଏହି ପୀଠ । ବର୍ଷର ବିଭିନ୍ନ ସମୟରେ ଏହି ପୀଠକୁ ଆସିଥାନ୍ତି ବିଦେଶୀ ପର୍ଯ୍ୟଟକ । ତେବେ କରୋନା କଟକଣା ପରେ ଏବେ ପୁଣି ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ଉଭୟ ଯୋଗିନୀ ପ୍ରେମୀ ଓ ଅଞ୍ଚଳବାସୀଙ୍କୁ ଉତ୍ସାହିତ କରିଛି । ଏହି ବିଦେଶୀ ପର୍ଯ୍ୟଟକମାନେ ଫ୍ରାନ୍ସ ଓ ଇଂଲଣ୍ଡରୁ ଆସିଥିବା ଦେଖିବାକୁ ମିଳିଛି ।