ଡେଲାଙ୍ଗରେ ଦୋଳ ଯାତ୍ରା ଓ ହୋଲି ପର୍ବ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଧ୍ୟାତ୍ମିକ ଚେତନାରେ ପର୍ଯ୍ୟବେଶିତ ଏହି ଗଣପର୍ବ ହୋଲି ଓ ଦୋଳ ଯାତ୍ରାର ସାଂସ୍କୃତିକ କାର୍ଯ୍ୟକ୍ରମ ମାନବ ସମାଜକୁ ପ୍ରଭାବିତ କରିଥିବାରୁ ଓଡିଆ ଜନଜୀବନରେ ବସନ୍ତ ଋତୁରେ ପ୍ରେମମୟ ମହାପ୍ରଭୁ ଶ୍ରୀକୃଷ୍ଣ ଓ ପ୍ରାଣପ୍ରିୟା ରାଧାଙ୍କ ଦୋଳ ଶୋଭାଯାତ୍ରା ଉତ୍ସବ ଓ ହୋଲି ପର୍ବ ପ୍ରତିଟି ଓଡିଆଙ୍କ ପାଇଁ ଅତ୍ୟନ୍ତ ଭାବପୂର୍ଣ୍ଣ ପାର୍ବଣ । ଏହି ଅବସରରେ ଡେଲାଙ୍ଗ ବ୍ଲକର ବିଭିନ୍ନ ପୁରପଲ୍ଲୀରେ ଆନନ୍ଦ ଉଲ୍ଲାସ, ରଙ୍ଗର ସହିତ ଦୋଳ ପୂର୍ଣ୍ଣିମା ଓ ହୋଲି ପର୍ବ ମହାସମାରୋହରେ ପାଳିତ ହୋଇଯାଇଛି । ଡେଲାଙ୍ଗର ଆଠଦେଶ ଠାକୁର ଶ୍ରୀ ଶ୍ରୀ ସୋମନାଥ ଦେବ, ଶ୍ରୀ ଶ୍ରୀ ରାଧାକାନ୍ତ ଦେବ, ଶ୍ରୀ ଶ୍ରୀ ବଣିବକ୍ରେଶ୍ୱର ଦେବ, ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ଦେବ ଦୋଳ ବିମାନରେ ବସି ବାଜା, ବାଣ, ଶଙ୍ଖ, ତୂରୀ, ଅଲଟ, ଚାମର ଛତି, ସୁଶୋଭିତ ଫୁଲମାଲ ସହ ଆଲୋକ ମାଲାରେ ସୁସଜ୍ଜିତ ହୋଇ ତଥା ନଦିଆ ସଂକୀର୍ତ୍ତନ ମଣ୍ଡଳୀ ସହିତ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବିଭିନ୍ନ ଗ୍ରାମ ପରିକ୍ରମା କରି ଘୋରଡିଆର ଚାରି ସାହି, କଚେରୀ, କୁଆପଦା, ବାଲିହୁଙ୍କା ଶିଶୁଆପଡା, ନୂଆ ହାଟ, ଘନିପୁର, ଓଉପଡା ଠାରେ ଭୋଗ ଖାଇଥାନ୍ତି । ସେହିପରି ଶ୍ରୀ ଶ୍ରୀ ରାଧାମୋହନ ଦେବ, ଶ୍ରୀ ଶ୍ରୀ ପତିତପାବନ ଦେବମଧ୍ୟ ଦୋଳ ବିମାନରେ ବସି ଗାଁ ପରିକ୍ରମା କରି ଭୋଗ ଖାଇଥାନ୍ତି । ଅପରାହ୍ନରେ ଦୋଳ ମଣ୍ଡପରେ ଦୋଳିରେ ବସି ପୂଜା ପାଇଥାନ୍ତି । ସଂଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହେବା ସହ ବହୁ ସଂଖ୍ୟାରେ ଭକ୍ତ, ଶ୍ରଦ୍ଧାଳୁମାନଙ୍କ ଭିଡ ଦେଖିବାକୁ ମିଳିଥିଲା । ଏଠାରେ ପଣ୍ଡିତମାନେ ନୂତନ ପଞ୍ଜିକା ପାଠ କରି ଚଳିତ ବର୍ଷ ରାଜ୍ୟ ଓ ଦେଶର ଭବିଷ୍ୟତ, ଭଲମନ୍ଦ ସଂପର୍କରେ ଆଲୋକପାତ କରିଥିଲେ । ଏଥି ସହିତ ଡେଲାଙ୍ଗର ଗଡବେଗୁନିଆପଡା, ଘନିପୁର, ଯୋରକଣୀ, ତିଗିରିଆ, ସୁଜନପୁର, କଲ୍ୟାଣପୁର, ନୂଆହାଟ, ମୁନିନ୍ଦା ଡେଲାଙ୍ଗ ହାଟ, ବେରବୋଇ, ଅରିଶଲ, ଗୁଆଳିପଡା, ଅଭୟମୁଖୀ, ମୋଟରୀ, ଧାନକେରା, ରେଙ୍ଗଳ, ଗୋଡିପୁଟ, ମାଟିଆପଡା, ସିଙ୍ଗବ୍ରହ୍ମପୁର, ହରିରାଜପୁର, ଜେନାପୁର, ଶ୍ରୀପୁରଷସ୍ତମପୁର ଆଦି ବିଭିନ୍ନ ସ୍ଥାନରେ ମଧ୍ୟ ଦୋଳ ପର୍ବ ଉତ୍ସାହ ଉଦ୍ଦିପନା ସହ ପାଳନ କରିଥିବା ଦେଖିବାକୁ ମିଳିଥିଲା । ସେହିପରି ପ୍ରତ୍ୟେକ ବର୍ଷ ଫାଲ୍‌ଗୁନ ମାସରେ ପାରସ୍ପରିକ ସ୍ନେହ, ଶ୍ରଦ୍ଧା, ଭଲପାଇବା, ସୌହାଦ୍ର୍ୟର ପ୍ରତୀକ ହେଉଛି ରଙ୍ଗର ପର୍ବ ହୋଲି । ଏହି ଅବସରରେ କରୋନା ଭୟ ଓ କଟକଣା ସତ୍ୱେ ଡେଲାଙ୍ଗର ବିଭିନ୍ନ ଗାଁ ଗହଳି, ସାହିପଡିଶା, ଗଳିକନ୍ଦିରେ ବିଶେଷ କରି ଯୁବପିଢି ତଥା ଛୋଟରୁ ବଡ ପର୍ଯ୍ୟନ୍ତ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଧନୀ ଦରିଦ୍ର, ଛୁଆଁ ଅଛୁଆ, ହିନ୍ଦୁ ମୁସଲମାନ ଭେଦଭାବ ଭୁଲି ଭାଇଚାରା ଭାବ ନେଇ ପାରମ୍ପରିକ ରଙ୍ଗ, ଅବିର, ପିଚିକାରୀ ସହ ବାଜା, ବାଣ, ନାଚ, ଗୀତର ତାଳେ ତାଳେ ରଙ୍ଗିନ୍‌ ହୋଇ ଆନନ୍ଦ ଉଲ୍ଲାସର ସହ ରଙ୍ଗର ପର୍ବ ହୋଲିକୁ ଉପଭୋଗ କରିଥିଲେ ।

Leave A Reply

Your email address will not be published.

17 − thirteen =