ମୁରିବାହାଲ ପ୍ରଗତି କୃଷକ ଉତ୍ପାଦକ କମ୍ପାନୀର ପ୍ରଥମ ବୈଠକ ଅନୁଷ୍ଠିତ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ଅନ୍ତର୍ଗତ ଜାମପଦରଠାରେ ଗତକାଲି ନବ ଗଠିତ ମୁରିବାହାଲ ପ୍ରଗତି କୃଷକ ଉତ୍ପାଦକ କମ୍ପାନୀର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ କେନ୍ଦ୍ରୀୟ ଯୋଜନାରେ ତଥା କାର୍ଯ୍ୟକାରୀ ସଂସ୍ଥା ନାବାର୍ଡ ଏବଂ ସିବିବିଓ ମହାଶକ୍ତି ଫାଉଣ୍ଡେସନ ଦ୍ୱାରା ଏହି କୃଷକ ଉତ୍ପାଦକ କମ୍ପାନୀ ଚଳିତ ମାସ ୧୯ ତାରିଖରେ ଭାରତ ସରକାରଙ୍କ କମ୍ପାନୀ ଆଇନ ୧୯୫୬ (ସଂଶୋଧିତ ୨୦୧୩) ଅନୁସାରେରେ ପଞ୍ଜିକୃତ ହୋଇଛି । ଭାଗିରଥୀ ଜୁଆଡ଼ିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରଥମ ନିର୍ଦ୍ଦେଶକ ମଣ୍ଡଳୀ ବୈଠକରେ ସମସ୍ତ ନିର୍ଦ୍ଦେଶକ ନିର୍ଦ୍ଦେଶିକା ଉପସ୍ଥିତ ରହି ଉତ୍ପାଦକ କମ୍ପାନୀକୁ ଏକ ଆଦର୍ଶ କମ୍ପାନୀ ଭାବରେ ଗଢି ତୋଳିବା ନିମନ୍ତେ ବହୁତ ଗୁଡିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଥିଲେ । ରୁଦ୍ର ମନହିରାଙ୍କୁ ସର୍ବସମ୍ମତି କ୍ରମେ ପରିଚାଳନା ନିର୍ଦ୍ଦେଶକ ଭାବରେ ମନୋନୀତ କରାଯାଇଥିଲା । ଏହି ଅବସରରେ ସିବିବିଓ ମହାଶକ୍ତି ଫାଉଣ୍ଡେସନର ବରିଷ୍ଠ ପରିଚାଳକ ହୃଷିକେଶ ସାହୁ ଅଧ୍ୟକ୍ଷଙ୍କୁ ଉତ୍ପାଦକ କମ୍ପାନୀର ପଞ୍ଜିକରଣ ପ୍ରମାଣପତ୍ର, ପାନ, ଟାନ ଆଦି ହସ୍ତାନ୍ତର କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ଯୋଜନାରେ ୧୦,୦୦୦ ଏଫପିଓ କାର୍ଯ୍ୟକ୍ରମ ଅଧୀନରେ ମହାଶକ୍ତି ଫାଉଣ୍ଡେସନକୁ ବଲାଙ୍ଗିର ଜିଲ୍ଲାରେ ୧୧ ଗୋଟି କୃଷକ ଉତ୍ପାଦକ କମ୍ପାନୀ ଗଠନ ଏବଂ ପ୍ରୋତ୍ସାହନ ପାଇଁ ଦାୟିତ୍ଵ ମିଳିଥିବା ବେଳେ ବରଗଡ଼, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ ଏବଂ ଜଗତସିଂହପୁର ଜିଲ୍ଲାରେ ମୋଟ ୩୮ଟି କୃଷକ ଉତ୍ପାଦକ କମ୍ପାନୀ ଗଠନ ଏବଂ ପ୍ରୋତ୍ସାହନ ପାଇଁ ଦାୟିତ୍ଵ ଦିଆଯାଇଛି । ଏହି ପ୍ରକାର କୃଷକ ଉତ୍ପାଦକ କମ୍ପାନୀ ଗଠନ ଦ୍ୱାରା କୃଷକମାନେ ଠିକ୍‌ ସମୟରେ ଏବଂ ସୁଲଭ ମୂଲ୍ୟରେ ନିଜେ ନିଜପାଇଁ ସାର, ବିହନ ଓ କୀଟନାଶକ ଆଦି ଯୋଗାଣ କରିପାରିବେ ଏବଂ ଏହି ଉତ୍ପାଦକ କମ୍ପାନୀ ମାଧ୍ୟମରେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ବଜାର ବ୍ୟବସ୍ଥା କରିପାରିବେ । ଆବଶ୍ୟକ ସ୍ଥଳେ ପ୍ରକ୍ରିୟାକରଣ କରି ଉଚ୍ଚ ମୂଲ୍ୟରେ ବିକ୍ରି କରିପାରିବେ । ଏହା ଦ୍ୱାରା କୃଷକର ଆୟ ଦ୍ୱିଗୁଣିତ ହେବା ସହିତ ସେମାନେ ସ୍ଵାବଲମ୍ବୀ ହୋଇପାରିବେ । କେନ୍ଦ୍ର ସରକାରଙ୍କ ତରଫରୁ ଏହି ଉତ୍ପାଦକ କମ୍ପାନୀ ଗୁଡିକୁ ପରିଚାଳନା ଖର୍ଚ୍ଚ ନିମନ୍ତେ ତିନି ବର୍ଷ ପାଇଁ ୧୮ ଲକ୍ଷ ଟଙ୍କାର ଅନୁଦାନ ଏବଂ ଏହା ବ୍ୟତିତ ଜଣ ପ୍ରତି ସର୍ବାଧିକ ୨,୦୦୦ ଟଙ୍କା ହିସାବରେ ଉତ୍ପାଦକ କମ୍ପାନୀ ପ୍ରତି ସର୍ବାଧିକ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମେଳକ ଅନୁଦାନର ବ୍ୟବସ୍ଥା ରହିଛି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଜିଲ୍ଲା ତଦାରଖ କମିଟିର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହେଉଥିବା ବିଷୟ ମହାଶକ୍ତି ଫାଉଣ୍ଡେସନ ତରଫରୁ ହୃଷିକେଶ ସାହୁ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁରିବାହାଲ ପ୍ରଗତି କୃଷକ ଉତ୍ପାଦକ କମ୍ପାନୀର ସମସ୍ତ ନିର୍ଦ୍ଦେଶକ ନିର୍ଦ୍ଦେଶିକାଙ୍କ ସହିତ ଏ ଅଞ୍ଚଳରର ପ୍ରାୟ ୫୦ ଜଣ ଅଗ୍ରଣୀ ଚାଷୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.