ଦାଦନଗଡ଼ ଅଞ୍ଚଳରେ ମନରେଗା କାମରେ ମାଟି ବୋହିଲେ ସମିତି ସଭ୍ୟ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ପୋଖରୀର ଉନ୍ନତିକରଣ କାମ କରି ମାଟି ବୋହିଲେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଂଚାୟତର ସମିତି ସଭ୍ୟ କେଦାର ଭୋଇ । ଗାଁରେ ଲୋକେ ମନରେଗା ଯୋଜନାରେ କାମ ପାଉ ନଥିବା ବେଳେ ନୂତନ ସମିତି ସଭ୍ୟ ନିର୍ବାଚିତ ହେବା ପରେ ସେ ଲୋକଙ୍କୁ କାମ ଯୋଗାଇବା ସହ ନିଜେ ମଧ୍ୟ କାମ କରୁଥିବା ଦେଖିବାକୁ ମିଳିଛି । ମନରେଗା ଯୋଜନାରେ ଠିକ ସମୟରେ ପାରିଶ୍ରମିକ ଦେବା ଓ ଦୈନିକ ମଜୁରୀ ବୃଦ୍ଧି କରିବା ପାଇଁ ଶ୍ରମିକମାନେ କହିଛନ୍ତି । ଏହି ଅଂଚଳରୁ ବହୁ ଶ୍ରମିକମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ସେ ନେଇ କିପରି ଭାବେ ଶ୍ରମିକମାନଙ୍କୁ ରୋକାଯାଇ ନିଜ ଅଞ୍ଚଳରେ ରହି କାମ ଯୋଗାଇ ଦିଆଯିବ ସେ ସମ୍ପର୍କରେ ଶ୍ରମିକ ମାନଙ୍କ ସହ ଆଲୋଚନା କରିଥିଲେ । ଶ୍ରମିକ ମାନେ କାମ ଧନ୍ଦା ଅଭାବରୁ ଘରେ ବସି ରହିଥିବା ବେଳେ ସମିତି ସଭ୍ୟ ମନରେଗା ଯୋଜନାରେ ପୋଖରୀ ଖନନରେ ଅନେକ ଶ୍ରମିକମାନଙ୍କୁ ନିୟୋଜିତ କରିଛନ୍ତି । ମନରେଗା କାର୍ଯ୍ୟରେ କାମ କରି ଶ୍ରମିକମାନେ ଦୁଇ ପଇସା ପାଇ ପରିବାର ପ୍ରତିପୋଷଣ କରୁଛନ୍ତି । ଆଗକୁ ମଧ୍ୟ ଏହି ଭଳି କାର୍ଯ୍ୟ ଜାରି ରହିବ ବୋଲି ଶ୍ରୀ ଭୋଇ କହିଛନ୍ତି । ଏହି ଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । ସୂଚନା ଯୋଗ୍ୟ ଯେ, ଏହି ଅଞ୍ଚଳର ହଜାର ହଜାର ଶ୍ରମିକମାନେ ପେଟ ପାଟଣା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ନିର୍ଯାତିତ ହୋଇଥିବା ଖବର ବିଭିନ୍ନ ସମୟରେ ଆସିଥାଏ । ଏଣୁ ଶ୍ରମିକମାନଙ୍କୁ ସ୍ୱତନ୍ତ୍ର କାର୍ଯ୍ୟ ଦେଇ କମ ଦିନରେ ପ୍ରାପ୍ୟ ପ୍ରଦାନ କରିବାକୁ ଦାବୀ ହେଉଛି ।

Leave A Reply

Your email address will not be published.