ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୭୫ ହଜାର ଟଙ୍କା ଦାନ କଲେ ପ୍ରଶାସନିକ ସେବାର ଅବସରପ୍ରାପ୍ତ ଅଧିକାରୀ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୭୫ ହଜାର ଟଙ୍କା ଦାନ କଲେ ପ୍ରଶାସନିକ ସେବାର ଅବସରପ୍ରାପ୍ତ ଜଣେ ଅଧିକାରୀ । ଅବସରପ୍ରାପ୍ତ ଅଧିକାରୀ ବିଜୟ କୁମାର ନନ୍ଦ ମଙ୍ଗଳବାର ପୂର୍ବାହ୍ନରେ ଏହି ଅର୍ଥ ପୁରୀ ଜିଲ୍ଲା ପ୍ରଶାସନ ମାଧ୍ୟମରେ ପ୍ରଦାନ ପାଇଁ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କୁ ଅନୁରୋଧ କରିଥିଲେ । ତେବେ ୭୬ ବର୍ଷ ବୟସ୍କ ବିଜୟ ଶାରୀରିକ ଅସୁସ୍ଥ ଥିବାରୁ ଅତିରିକ୍ତ ଜିଲ୍ଲାପାଳଙ୍କ ପରାମର୍ଶ କ୍ରମେ ଜିଲ୍ଲା ରେଡକ୍ରସ ଶାଖାର ସମ୍ପାଦକ ତଥା ଡେପୁଟି କଲେକ୍ଟର ଜିତେନ୍ଦ୍ର ପାତ୍ର ଅପରାହ୍ନରେ ତାଙ୍କ ବାସଗୃହରୁ ଏହି ଅର୍ଥ ରାଶିର ଚେକକୁ ସଂଗ୍ରହ କରିଥିଲେ । ଏହାକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇ ଏହାର ପ୍ରାପ୍ତି ରସିଦ ଶ୍ରୀ ନନ୍ଦଙ୍କୁ ଯଥାଶୀଘ୍ର ପ୍ରଦାନ କରାଯିବ ବୋଲି ଜିତେନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ପୂର୍ବରୁ ଶ୍ରୀ ନନ୍ଦ ବହୁବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଆର୍ଥିକ ସହଯୋଗ ପ୍ରଦାନ କରିଛନ୍ତି । ତାଙ୍କର ଏହି ମହତ ଦାନ ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ତାଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ କରିବା ସହ ଅନ୍ୟମାନେ ଏହା ଦ୍ଵାରା ଅନୁପ୍ରାଣିତ ହେବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.