ବେସରକାରୀ କଲେଜ ଶିକ୍ଷକ ସଂଘ, ବରଗଡ଼ ଜିଲ୍ଲା ଶାଖାର ସମ୍ମିଳନୀ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ନିଖିଳ ଉତ୍କଳ ବେସରକାରୀ କଲେଜ ଶିକ୍ଷକ ସଂଘ, ବରଗଡ଼ ଜିଲ୍ଲା ଶାଖାର ସମ୍ମିଳନୀ ଗତକାଲି ପୂର୍ବାହ୍ନ ୧୧.୩୦ଘ.ରେ ଜିଲ୍ଲାର ମେଲଛାମୁଣ୍ଡା କନିଷ୍ଠ ମହାବିଦ୍ୟାଳୟରେ ସଭାପତି ପ୍ରାଧ୍ୟାପକ ସାଧୁଚରଣ ଗଡତିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମଞ୍ଚାସୀନ ଅତିଥିବୃନ୍ଦ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ବାଗଦେବୀଙ୍କ ଫୋଟୋଚିତ୍ରରେ ପୁଷ୍ପ ପ୍ରଦାନ କରିଥିଲେ । ଏହି ସମ୍ମିଳନୀରେ ଅନୁଦାନପ୍ରାପ୍ତ, ବ୍ଲକଗ୍ରାଣ୍ଟପ୍ରାପ୍ତ ଓ ଅଣ-ଅନୁଦାନପ୍ରାପ୍ତ ସମସ୍ତ ବର୍ଗର ବେସରକାରୀ କଲେଜ ଶିକ୍ଷକ ଓ କର୍ମଚାରୀମାନଙ୍କ ବିଭିନ୍ନ ପ୍ରକାରର ସମସ୍ୟା ଓ ଏହାର ସମାଧାନ ପାଇଁ ବିଚାର ବିମର୍ଶ କରାଯାଇଥିଲା । ରାଜ୍ୟ ସଂଘର ଯୁଗ୍ମ ସମ୍ପାଦକ ପ୍ରାଧ୍ୟାପକ ଅଶ୍ଵିନୀ ସୁପକାର ଓ ସଂଗଠନ ସମ୍ପାଦକ ପ୍ରାଧ୍ୟାପକ ପ୍ରଣୟାନନ୍ଦ ତ୍ରିପାଠୀ ମଧ୍ୟ ଏହି ସମ୍ମିଳନୀରେ ଉଦ୍‌ବୋଧନ ଦେଇଥିଲେ । ଏହି ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀରେ ଜିଲ୍ଲାର ପ୍ରାୟ ସମସ୍ତ ବେସରକାରୀ କଲେଜର ଅଧ୍ୟାପକ ଓ କର୍ମଚାରୀବୃନ୍ଦ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । ଦିବଂଗତ ଅଧ୍ୟାପକ ନୀଳାଚଳ ବାରିକ ଓ ଅଧ୍ୟାପକ ଡ଼. ମିତ୍ରଭାନୁ ସାହୁ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଅକାଳ ବିୟୋଗରେ ନୀରବ ପ୍ରାର୍ଥନା କରାଯାଇଥିଲା । ଜିଲ୍ଲା ସଂଘର ସାଧାରଣ ସମ୍ପାଦକ ପ୍ରାଧ୍ୟାପକ ପ୍ରଫୁଲ୍ଲ ମିଶ୍ର, କାର୍ଯ୍ୟକାରୀ ସଭାପତି ପ୍ରାଧ୍ୟାପକ ବିଦ୍ୟାଧର ଦାଶ, ସଂଗଠନ ସମ୍ପାଦକ ପ୍ରାଧ୍ୟାପକ ସୁଦୀପ୍ତ କୁମାର ଦାଶ ତଥା ମେଲଛାମୁଣ୍ଡା ମହାବିଦ୍ୟାଳୟର କନିଷ୍ଠ ଅଧ୍ୟକ୍ଷ ବିନୋଦ ବିହାରୀ ମିଶ୍ର ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସଭାପତି ତଥା ରାଜ୍ୟ ନେତୃବୃନ୍ଦଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ଦ୍ଵିତୀୟ ପର୍ଯ୍ୟାୟରେ ସଂଘର କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା । ନିମ୍ନ ଲିଖିତ ବ୍ୟକ୍ତି ଗଣ ନିର୍ବାଚିତ ହୋଇଥିଲେ । ସଭାପତି ପ୍ରାଧ୍ୟାପକ ବିଦ୍ୟାଧର ଦାଶ, କାର୍ଯ୍ୟକାରୀ ସଭାପତି ପ୍ରାଧ୍ୟାପକ ପ୍ରଦୀପ କୁମାର ପ୍ରଧାନ, ଉପସଭାପତି ପ୍ରାଧ୍ୟାପକ ବିନୋଦ ବିହାରୀ ମିଶ୍ର ଓ ସରୋଜ କୁମାର ପାଣିଗ୍ରାହୀ, ସାଧାରଣ ସମ୍ପାଦକ ପ୍ରାଧ୍ୟାପକ ସୁଦୀପ୍ତ କୁମାର ଦାଶ, ସଂଗଠନ ସମ୍ପାଦକ ପ୍ରାଧ୍ୟାପକ ଧ୍ରୁବ ଚରଣ ସା’, ଯୁଗ୍ମ ସମ୍ପାଦକ ପ୍ରାଧ୍ୟାପିକା ଶ୍ରୀମତୀ ଜୟଶ୍ରୀ ସାହୁ ଓ ପ୍ରମୋଦ ସାହୁ, ସହସମ୍ପାଦକ ଅଧ୍ୟାପକ ଶାନ୍ତନୁ କୁମାର ସାହୁ ଓ ପ୍ରାଧ୍ୟାପିକା ଶ୍ରୀମତୀ ପଦ୍ମିନୀ ଦାଶ, କୋଷାଧ୍ୟକ୍ଷ ଅଧ୍ୟାପକ ନାରାୟଣ ମିଶ୍ର । ଶେଷରେ ଅଧ୍ୟାପକ ସୁଶାନ୍ତ କୁମାର ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.