ମା’ ରାମଚଣ୍ଡୀଙ୍କୁ ଦର୍ଶନ କଲେ ଲକ୍ଷାଧିକ ଭକ୍ତ

  • ଶନିବାର ରାତ୍ରିକାଳରେ ମନ୍ଦିରର ଦଧିନଉତିରେ ତ୍ରୀଶୁଳ ଓ ଧ୍ଵଜା ସ୍ଥାପନ
  • ରବିବାର ପୂର୍ବାହ୍ନରେ ଯୋଗମାୟା ରାମଚଣ୍ଡୀଙ୍କ ସିଂହାସନ ଆରୋହଣ ହୋଇଛି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସପ୍ତ-ମହାଯଜ୍ଞ ଅବସରରେ ରାମଚଣ୍ଡୀମନ୍ଦିର ଦଧିନଉତିରେ ବସିଲା ତ୍ରୀଶୁଳ ଓ ଧ୍ଵଜାବତରଣ ଲାଗି ହୋଇଛି । ରବିବାର ପୂର୍ବାହ୍ନରେ ଯୋଗମାୟା ତ୍ରି-ଶକ୍ତିସ୍ୱରୂପିଣୀ ରାମଚଣ୍ଡୀଙ୍କ ସିଂହାସନ ଆରୋହଣ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଛତ୍ରପୁର ନିକଟସ୍ଥ ପୂଣ୍ୟତ୍ତୋୟା ଋଷିକୂଲ୍ୟା-ତଟବର୍ତ୍ତୀ ପୁରାଣପ୍ରସିଦ୍ଧ ଶକ୍ତିପୀଠ ମା’ରାମଚଣ୍ଡୀଙ୍କ ନୂତନମନ୍ଦିର, ପ୍ରାସାଦ ଏବଂ ପାର୍ଶ୍ଵ ଦେବାଦେବୀଙ୍କ ମୂର୍ତ୍ତି ତଥା ଦେବୀଙ୍କ ନବକଳେବର ଅବସରରେ ପବିତ୍ର ଯଜ୍ଞାନୁଷ୍ଠାନ ସମାହିତ ହୋଇଛି । ପ୍ରତିଷ୍ଠା-ମହୋତ୍ସବର ୪ର୍ଥ ଦିବସ ତଥା ପବିତ୍ର ଶନିବାର ସନ୍ଧ୍ୟାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଶନିବାର ରାତ୍ରି କାଳରେ ଦିଅଁ, ଦେବତାଙ୍କ ସ୍ଥାନ ନିରୂପଣ, ପାର୍ଶ୍ଵ-ଦେବାଦେବୀଙ୍କ ଯଥାରୀତିରେ ସିଂହାସନ ଆରୋହଣ ନିମନ୍ତେ ପୂଜାର୍ଚ୍ଚନା, ମନ୍ଦିର ଚୂଳ ଶୀର୍ଷରେ ତ୍ରୀଶୁଳ ଧାରଣ ଓ ଧ୍ଵଜାବତରଣ ଲାଗି ହୋଇଛି । ଋକ, ସାମ, ଯଜୁ ଓ ଅଥର୍ବ ବେଦ ମାଧ୍ୟମରେ ଚାଲିଥିବା ଘୃତଯଜ୍ଞ ଏବଂ ଦୀପଯଜ୍ଞ, ନାମଯଜ୍ଞ, ଜ୍ଞାନଯଜ୍ଞ, ଗୋ-ଯଜ୍ଞ, ଅନ୍ନ-ଯଜ୍ଞ, ବ୍ରହ୍ମ-ଯଜ୍ଞ ଆଦି ନବଦିନାତ୍ମକ ଯଜ୍ଞାନୁଷ୍ଠାନ ରବିବାର ମଧ୍ୟାହ୍ନରେ ଉଦ୍‌ଯାପିତ ହେଉଅଛି । ଶନିବାର ବିଧିବଦ୍ଧ ଭାବେ ଯଜ୍ଞକୁଣ୍ଡରେ ମନ୍ତ୍ରଧ୍ୱନି, ବେଦପାଠ, ସ୍ତୋତ୍ରପାଠ, ହୋମ ଆହୂତି ଆଦି ମଧ୍ୟରାତ୍ରି ଗୋଟାଏ ଯାଏଁ ଚାଲିଥିଲା । ରାତ୍ରିଶେଷ ପହରରେ ବିଶ୍ରାମ ହୋଇଛି । ଶନିବାର ମଧ୍ୟରାତ୍ରି ପର୍ଯ୍ୟନ୍ତ ଭକ୍ତଙ୍କ ସମାଗମ ହୋଇଥିଲା । ମଧ୍ୟରାତ୍ରି ପର୍ଯ୍ୟନ୍ତ ଲୋକଙ୍କ ଗହଳ ଚହଳ ଲାଗି ରହିଥିବା ସାଂଗକୁ ଆନନ୍ଦର କୋଳାହଳ ହୁଳାହୁଳି ଧ୍ଵନିରେ ମୁଖରୀତ ହୋଇଉଠିଥିଲା । ନବଦିନାତ୍ମକ ଏହି ଯଜ୍ଞାନୁଷ୍ଠାନରେ ଭକ୍ତିମୟ ପରିବେଶରେ ଦୁଲକି ଉଠିଥିଲା ।

Leave A Reply

Your email address will not be published.