ନରସିଂହଙ୍କ ବଲାଙ୍ଗିର ବ୍ଲକ ସମୀକ୍ଷା

  • ଭୁଲ ତଥ୍ୟ ପ୍ରଦାନ କଲେ ଅଧିକାରୀ : ବିଧାୟକ ନରସିଂହ ମିଶ୍ର
  • ନିଜ ଭିତରେ ସୁଧାର ଆଣି ଗରିବଙ୍କ ସେବା କରନ୍ତୁ ଅଧିକାରୀ : ବିଧାୟକ ନରସିଂହ ମିଶ୍ର
  • ପ୍ରକଳ୍ପ ଗୁଡିକର ବିଳମ୍ବକୁ ନେଇ ଅସନ୍ତୁଷ୍ଟ ହେଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାଁ ଗହଳିର ଲୋକେ ବିଭିନ୍ନ ଜନହିତକର ଯୋଜନା ପାଇଁ ବ୍ଲକସ୍ତରୀୟ ସରକାରୀ କର୍ମଚାରୀ ଓ ଅଧିକାରୀଙ୍କ ଉପରେ ଭରସା ରଖିଥାନ୍ତି କିନ୍ତୁ ଆଜିର ସମୀକ୍ଷା ବୈଠକରୁ ଜଣାପଡୁଛି ଅଧିକାରୀ ଓ କର୍ମଚାରୀ ଲୋକଙ୍କୁ ସେବା ଯୋଗାଇବା ମନୋବୃତ୍ତିରୁ ବହୁ ଦୂରରେ । ବୈଠକ ଡାକିବା ଆଗରୁ ସମସ୍ତ ତଥ୍ୟ ପ୍ରଦାନ କରିବା ପାଇଁ କୁହାଯାଇଥିଲା । କାଗଜରେ ଦିଆଯାଇଥିବା ତଥ୍ୟରୁ ଜଣାପଡୁଛି ଯେ, ଅଧିକାରୀ ଓ କର୍ମଚାରୀ କେହିବି କୌଣିସି ପ୍ରକଳ୍ପ ସହ ଜଡିତ ନାହାନ୍ତି, ସେମାନେ ଲୋକଙ୍କ ସମସ୍ୟା ବୁଝିବେ କେମିତି । ତେଣୁ ବ୍ଲକ କର୍ମଚାରୀ ଓ ଅଧିକାରୀମାନେ ନିଜର ବେପରୁଆ ମନୋଭାବରେ ସୁଧାର ଆଣନ୍ତୁ ଓ ହୃଦୟତାର ସହିତ ଗରିବ ଲୋକଙ୍କ ସେବା କରନ୍ତୁ । ଏହା ହେଲେ ହିିଁ ଗରିବଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନାର ଫଳ ସେମାନେ ପାଇ ପାରିବେ ବୋଲି ଆଜି ବଲାଙ୍ଗିର ବ୍ଲକ ଅନ୍ତର୍ଗତ ମିର୍ଦ୍ଧାପାଲି ରାଜୀବଗାନ୍ଧୀ ସେବା କେନ୍ଦ୍ରରେ ଅନୁଷ୍ଠିତ ବଲାଙ୍ଗିର ବ୍ଲକ ସମୀକ୍ଷା ବୈଠକରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କ୍ଷୋଭର ସହ କହିଛନ୍ତି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଇପସିତା ପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ନାନ୍ସିରାଣୀ ପୁର୍ତ୍ତି, ଏବିଡିଓ ରାମଦତ୍ତ ଭୋଇ, ସହକାରୀ ଯନ୍ତ୍ରୀ ବୃଷଭ ହୋତାଙ୍କ ଉପସ୍ଥିତିରେ ହୋଇଥିବା ସମୀକ୍ଷା ବୈଠକରେ ବ୍ଲକ ତରଫରୁ ଦିଆଯାଇଥିବା ବିଭିନ୍ନ ଯୋଜନାର ଷ୍ଟାଟସ ରିପୋର୍ଟ ସମ୍ପୂର୍ଣ୍ଣ ଭୁଲ ଥିବା ଦେଖାଯାଇଥିଲା । ବିଭିନ୍ନ ପ୍ରକଳ୍ପକୁ ନେଇ ବିଧାୟକ ପଚାରିଥିବା ପ୍ରଶ୍ନର ଗୋଟିଏବି ସଠିକ୍‌ ଉତ୍ତର କୌଣସି ବି ଅଧବକାରୀ ଦେଇପାରିନଥିଲେ । ଏପରିକି ସେମାନେ ଦେଉଥିବା ଉତ୍ତର ଏବଂ ବିଭାଗ ପକ୍ଷରୁ ଦିଆଯାଇଥିବା ଲିଖିତ ବିବରଣୀର କୌଣସି ମେଳ ନଥିବା ଦେଖାଯାଇଥିଲା । ତେଣୁ ବିଧାୟକ ଶ୍ରୀ ମିଶ୍ର ରିପୋର୍ଟ ପ୍ରସ୍ତୁତ କରିଥିବା କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଥିଲେ । ବିଶେଷକରି ବିଧାୟକ ପାଣ୍ଠି, ବିଜୁ କେବିକେ, ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠି, ସ୍ପେଶାଲ ପ୍ରୋବ୍ଲେମ୍‌ ଫଣ୍ଡରେ ଅନେକ ଅନିୟମିତତା ଥିବା ଜଣାପଡିଥିଲା । ମିର୍ଦ୍ଧାପାଲି ଗ୍ରାମ ପଞ୍ଚାୟତର ବୀରମୁଣ୍ଡାରୁ ସିନ୍ଦୁରବାହାଲ ରାସ୍ତା ଏଫ୍‌ଡିଆର ଫଣ୍ଡରୁ ବିଲ୍‌ ଉଠାଯାଇଥିଲେ ହେଁ ସେଠାରେ କୌଣସି ପ୍ରକାର ରାସ୍ତା ତିଆରି ହୋଇନଥିବା ଜଣାପଡିଥିଲା । ଠିକ୍‌ ସେହିପରି ସିନ୍ଦୁରବାହାଲ ଠାରେ କଲ୍ୟାଣ ମଣ୍ଡପ ନାଁରେ ବିଲ୍‌ କରି ଟଙ୍କା ଆତ୍ମସାତ୍‌ ହୋଇଥିବା ଜଣାପଡିଥିଲା । ତେଣୁ ଏହା ଉପରେ ଅନୁସନ୍ଧାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଧାୟକ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ଆଜିର ସମୀକ୍ଷାରେ ଗାଈଗୁହାଳ, ସାମାଜିକ ସୁରକ୍ଷା ବିଭାଗ ତରଫରୁ ବିଧବା, ବିକଲାଙ୍ଗ ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ଅନିୟମିତତା, ପୂର୍ତ୍ତ ରାସ୍ତା, ପ୍ରାଣୀଧନ, କୃଷି, ଗ୍ରାମ୍ୟ ପାନୀୟ ଜଳ ବିଭାଗରେ ଚାଲିଥିବା ବିଭିନ୍ନ ପ୍ରକଳ୍ପକୁ ନେଇ ଆଲୋଚନା ହୋଇଥିଲା । ଯାହାକିଛି ବି ଅସଙ୍ଗତି ଅଛି ଆଗାମୀ ୧୦ ତାରିଖରେ ହେବାକୁ ଥିବା ବିଧାନସଭା ମଣ୍ଡଳୀସ୍ତରୀୟ ସମୀକ୍ଷା ବୈଠକ ପୂର୍ବରୁ ତାର ସମସ୍ତ ବିବରଣୀ ପ୍ରଦାନ କରିବାକୁ ବିଧାୟକ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ପୂର୍ବତନ ଅଧ୍ୟକ୍ଷ ଘାସିରାମ ବେହେରା, ବ୍ଲକ କଂଗ୍ରେସ କମିଟି ସଭାପତି ରାମ ମିଶ୍ର, ସରୋଜ ରଥ, ବିଶ୍ୱଜିତ ନାଥ, ସଂକୀର୍ତ୍ତନ ମେହେର, ଲକ୍ଷ୍ମୀ ନାଏକ, ପିଣ୍ଟୁ ପଟେଲ, ଦୀନବନ୍ଧୁ ପଟେଲ, କୈଲାସ ମିଶ୍ର, ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ଯଶୋବନ୍ତୀ ବଘାରଙ୍କ ସମେତ ଅଭିଯୋଗ ପାଇଁ ଆସିଥିବା ଅନେକ ଅଞ୍ଚଳବାସୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.