ୟୁନିଟି ଇନ୍ କ୍ରିଏଟିଭିଟିର ଗ୍ରାଣ୍ଡ ଫିନାଲେରେ ସମ୍ମାନିତ ହେଲେ ଶିଶିର କୁମାର ପାଣିଗ୍ରାହୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ୟୁନିଟି ଇନ୍ କ୍ରିଏଟିଭିଟିର ଗ୍ରାଣ୍ଡ ଫିନାଲେରେ ରାଜ୍ୟ ତଥା ଜାତୀୟ ସ୍ତରରେ ସମ୍ମାନିତ ହୋଇଛନ୍ତି ବରଗଡ ଜିଲ୍ଲା ପଦ୍ମପୁର ଜମଲାର ଶିଶିର କୁମାର ପାଣିଗ୍ରାହୀ । ସୂଚନାଯୋଗ୍ୟ ଯେ, ଆଜାଦି କା ଅମୃତ ମହୋତ୍‌ତ୍ସବ ପାଳନ ଅବସରରେ ସଂସ୍କୃତି ମନ୍ତ୍ରଣାଳୟ ୟୁନିଟି ଇନ୍ କ୍ରିଏଟିଭିଟିର ନାମରେ ତିନୋଟି ଦେଶବ୍ୟାପୀ କଣ୍ଟେଷ୍ଟ ଯଥା ରଂଗୋଲି ମେକିଂଗ, ଦେଶଭକ୍ତି ଗୀତ ରଚନା ଏବଂ ଲୋରିଗୀତ ରଚନା ପ୍ରତିଯୋଗିତାର ଆୟୋଜନ କରିଥିଲେ । ଯାହାର ଚୟନ ପ୍ରକ୍ରିୟା ତିନୋଟି ସ୍ତରରେ ହୋଇଥିଲା । ପ୍ରତି ଜିଲ୍ଲାରୁ ତିନି ଜଣ ବିଜେତା ରାଜ୍ୟ ସ୍ତରରେ ତଥା ପ୍ରତି ରାଜ୍ୟରୁ ତିନି ଜଣ ବିଜେତା ଜାତୀୟ ସ୍ତର ପ୍ରତିଯୋଗିତା ପାଇଁ ନିର୍ବାଚିତ ହୋଇଥିଲେ । ଜାତୀୟ ସ୍ତରରେ ପ୍ରତି କଣ୍ଟେଷ୍ଟ ପାଇଁ ୫ ଜଣ ଜାତୀୟ ବିଜେତା ରହିବାର ବ୍ୟବସ୍ଥା ଥିଲା । ଗତ ୩ ଫେବୃଆରୀ ଦିନ ଏହାର ଜାତୀୟ ବିଜେତାଙ୍କର ତାଲିକା ଘୋଷଣା କରାଗଲା । ଦେଶ ବ୍ୟାପି ପ୍ରାୟ ୫.୬ ଲକ୍ଷ ପ୍ରତିଯୋଗୀଙ୍କ ମଧ୍ୟରୁ ୧୬ ଜଣ ଜାତୀୟ ବିଜେତା ହୋଇଛନ୍ତି । ଶିଶିର ପାଣିଗ୍ରାହୀ ଜାତୀୟ ସ୍ତରରେ ଲୋରି ଲିଖନ କଣ୍ଟେଷ୍ଟରେ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି । ସେ ମୁଖ୍ୟ ଅତିଥି ଅର୍ଜୁନ ରାମ ମେଘୱାଲ (Minister of State For Parliamentary Affairs And Culture, GOI)ଙ୍କଠାରୁ ତାଙ୍କର ଜାତୀୟ ସମ୍ମାନ ଗ୍ରହଣ କରିଚନ୍ତି । ତାଙ୍କର ଲିଖିତ ଲୋରି ଗୀତର କିଛି ଧାଡି ଏମିତି – “ଆକାଶରେ ଲକ୍ଷେ ତାରା ମିଂଜି ମିଂଜି ଜଳେ, ଟିକି ତାରାଙ୍କୁ ଦେଖି ମୋ ସୁନା ସ୍ଵପ୍ନଝୁଲଣାରେ ଝୁଲେ । ” ଜାତୀୟ ବିଜେତା ମାନଙ୍କର ଗୀତଗୁଡିକୁ ସଂଗୀତ ନାଟକ ଏକାଡେମୀ ଦ୍ଵାରା ପ୍ରଦର୍ଶିତ କରାଯାଇଥିଲା । ଅନ୍ୟାନ୍ୟ ସାଂସ୍କୁୃତିକ କାର୍ଯ୍ୟକ୍ରମ ମଧ୍ୟରେ ମିଜୋରାମ ଏବଂ ମଣିପୁରର ମ୍ୟୁଜିକ ବ୍ୟାଣ୍ଡ, ପ୍ରସିଦ୍ଧ ଗାୟିକା ମୈଥିଳୀ ଠାକୁରଙ୍କ ଲୋକଗୀତ, ନାଥୁଲାଲ ସୋଲାଙ୍କି ଏବଂ ଟିମ୍‌ର ରାଜସ୍ଥାନୀ ଲୋକଗୀତ, ଗୁଜୁରାଟର ଦାଣ୍ଡିଆ, ଆନ୍ଧ୍ରପ୍ରଦେଶର ମଥୁରି ଏବଂ ଲମ୍ବଡିନାଚ ଓ ଉତ୍ତର ପ୍ରଦେଶର ମୟୂରନାଚ ଅନ୍ୟତମ ଥିଲା ।

Leave A Reply

Your email address will not be published.

error: Content is protected !!