ସି.କେ. ନାଇଡୁ ଟ୍ରଫି : ଓଡିଶା – ମେଘାଳୟ ମ୍ୟାଚ୍‌, ଓଡିଶା ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା କ୍ରିକେଟ ଏସୋସିଏସନ ଓ ଜିଲ୍ଲା କ୍ରୀଡା ସଂସଦ ବଲାଙ୍ଗିର ଆନୁକୂଲ୍ୟରେ ଆୟୋଜିତ ଓଡିଶା ବନାମ ମେଘାଳୟ ସି.କେ. ନାଇଡୁ ଟ୍ରଫି କ୍ରିକେଟ ମ୍ୟାଚ୍‌ ଆଜି ଉଦ୍‌ଯାପିତ ହୋଇଯାଇଛି । ସଂସଦର ସାଧାରଣ ସଂପାଦକ ହରିନାରାୟଣ ପୁଜାରୀଙ୍କ ତତ୍ତ୍ୱାବଧାନ ଓ ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଯାପନୀ ପର୍ବରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ କୁମାର ନାଗଭୂଷଣ ଯୋଗ ଦେଇଥିବା ବେଳେ ସଂସଦର ଅନ୍ୟତମ ଉପସଭାପତି ଡ. ପ୍ରହଲ୍ଲାଦ ଶତପଥି, ଯୁଗ୍ମ ସଂପାଦକ ପଦ୍ମଚରଣ ଆଚାର୍ଯ୍ୟ, କ୍ରିକେଟ ସଂପାଦକ ଓମ୍‌ ପ୍ରକାଶ ଚାନ୍ଦ, କୋଷାଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର, ଫୁଟବଲ ସଂପାଦକ ହେମନ୍ତ ବେହେରା, କ୍ରୀଡା ସଂପାଦକ ବିଭୁତି ପଣ୍ଡା, ବରିଷ୍ଠ ସଭ୍ୟ ବିକ୍ରମାନନ୍ଦ ବହିଦାର, ରମାକାନ୍ତ ସେଟ, ସୁଧିର ଚନ୍ଦ୍ର ପଣ୍ଡା, ରବୀନ୍ଦ୍ର କୁମାର ମିଶ୍ର, ସଂଗ୍ରାମ ବହିଦାର, କ୍ରିକେଟ କୋଚ ଅରୁଣ କୁମାର ନାଏକ ଓ ପୃଥ୍ୱୀରାଜ ମିଶ୍ର, ହେମନ୍ତ ପ୍ରଧାନ, ଚାଇନା ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ମେଘାଳୟ ଦଳର ଜଶକିରତଙ୍କୁ ମ୍ୟାନ ଅଫ୍‌ ଦି ମ୍ୟାଚ ଭାବରେ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଯୁଗ୍ମ ସଂପାଦକ ଶ୍ରୀ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।

ସି.କେ. ନାଇଡୁ ଟ୍ରଫିର ତୃତୀୟ ଦିବସରେ ମେଘାଳୟ ଦଳ ୩ ୱିକେଟ ୧୨ ରନ୍‌ରୁ ଖେଳ ଆରମ୍ଭ କରି ସମୁଦାୟ ୨୦୪ ରନ୍‌ କରି ଅଲ ଆଉଟ ହୋଇଯାଇଥିଲେ । ମେଘାଳୟ ଦଳ ତରଫରୁ ଜଶକିରତ ସର୍ବାଧିକ ଅପରାଜିତ ୧୦୦ ରନ୍‌ ସଂଗ୍ରହ କରିଥିବା ବେଳେ ସ୍ୱାସ୍ତିକ ୪୨ ରନ୍‌ ସଂଗ୍ରହ କରିଥିଲେ । ଓଡିଶା ଦଳ ତରଫରୁ ଆଶୁତୋଷ ଛୁରିଆ ଓ ସଂଦୀପ ପଟ୍ଟନାୟକ ଉଭୟେ ୩ ଗୋଟି ୱିକେଟ ଅକ୍ତିଆର କରିଥିଲେ । ଓଡିଶାକୁ ବିଜୟ ପାଇଁ ୭୪ ରନ୍‌ ଆବଶ୍ୟକ ଥିବା ବେଳେ ଓଡିଶା ମାତ୍ର ୨ ୱିକେଟ ହରାଇ ଆବଶ୍ୟକୀୟ ୭୪ ରନ୍‌ ସଂଗ୍ରହ କରି ବିଜୟୀ ହୋଇଥିଲା । ଓଡିଶା ଦଳ ତରଫରୁ ଓମ୍‌ ମୁଣ୍ଡେ ଅପରାଜିତ ୨୨ ରନ୍‌, ସଂଦୀପ ପଟ୍ଟନାୟକ ଅପରାଜିତ ୨୫ ରନ୍‌ ଓ ଗୌରବ ଚୌଧୁରୀ ୨୬ ରନ୍‌ ସଂଗ୍ରହ କରିଥିଲେ ।

Leave A Reply

Your email address will not be published.

error: Content is protected !!