csstore

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଦ୍ଵାଦଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଷ୍ଟେସନ ବଜାର ଭାରତୀ ବିହାର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଦ୍ୱାଦଶତମ ବାର୍ଷିକ ଉତ୍ସବ ଶନିବାର ସନ୍ଧ୍ୟାରେ ବିଦ୍ୟା ମନ୍ଦିର ସନ୍ନିକଟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତି, ଓଡିଶା ଦ୍ଵାରା ପରିଚାଳିତ ଏହି ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡେଲାଙ୍ଗ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲାବନ୍ୟେନ୍ଦୁ ମହାନ୍ତି, ମୁଖ୍ୟ ବକ୍ତା ଭାବେ ଓଡ଼ିଶା ଶିକ୍ଷା ବିକାଶ ସମିତି ସଭାପତି ଡ଼. କିଶୋର ଚନ୍ଦ୍ର ମହାନ୍ତି ଓ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ତହସିଲଦାର ସୁଶ୍ରୀ ନିବେଦିତା ପରିଡ଼ା ପ୍ରମୁଖ ଯୋଗଦେଇ ପ୍ରଦୀପ ଜାଳି ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ପ୍ରାରମ୍ଭରେ ବୌଦ୍ଧିକ ମଣ୍ଡପରେ ଅବସ୍ଥିତ ଓଁ କାର, ବାଗଦେବୀ ଓ ବିଦ୍ୟାଭାରତୀଙ୍କ ବନ୍ଦନା ଗାନ କରାଯିବା ପରେ ବିଦ୍ୟା ମନ୍ଦିରର ଛାତ୍ରୀମାନେ ମନମୁଗ୍ଧକର ସ୍ଵାଗତ ସଙ୍ଗୀତ ଗାନ କରି ଉପସ୍ଥିତ ଅତିଥିମାନଙ୍କୁ ବିମୋହିତ କରିଥିଲେ । ବିଦ୍ୟା ମନ୍ଦିରର ପ୍ରଧାନାଚାର୍ଯ୍ୟ ନବକିଶୋର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ କିଶୋର କୁମାର ପ୍ରଧାନ ବାର୍ଷିକ ବିବରଣୀ ପଠନ କରିଥିଲେ । ବିଦ୍ୟା ମନ୍ଦିରର ସଭାପତି ଡ଼. ପୁଷ୍ପିତା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଏବିଇଓ ଯୁଧିଷ୍ଠିର ପରିଡ଼ା, ରାଧାକାନ୍ତ ବିଦ୍ୟାପୀଠର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗନ୍ଧର୍ବ ଜେନା, ଶିକ୍ଷାବିତ୍ ସୁରେଶ ଚନ୍ଦ୍ର ହାତୀ, ପୁରୀ ବିଭାଗ ନିରୀକ୍ଷକ ପ୍ରସନ୍ନ କୁମାର ମହାନ୍ତି, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ବୋଳକଣାର ପ୍ରଧାନ ଶିକ୍ଷକ ଜଳନ୍ଧର ସେନାପତି ପ୍ରମୁଖ ଯୋଗଦେଇ ପିଲାମାନେ ପାଠ ପଢି ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ । ଗୁରୁଜୀ ସର୍ବେଶ୍ଵର ବାରିକ ମଞ୍ଚ ପରିଚାଳନା ଦାୟିତ୍ଵ ନିର୍ବାହ କରିଥିଲେ । ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମୁଦାୟ ୩୦୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ଏହି ଶିକ୍ଷା ମନ୍ଦିରରେ ପଞ୍ଚ ଆଧାରରେ ଶିକ୍ଷାଦାନ କରାଯାଏ ବୋଲି ମୁଖ୍ୟବକ୍ତା ଡ଼. କିଶୋର ଚନ୍ଦ୍ର ମହାନ୍ତି ମତବ୍ୟକ୍ତ କରିଥିଲେ । ପିଲାମାନେ ଯେଉଁ ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି କୌଣସି ପରିସ୍ଥିତିରେ ସେହି ବିଦ୍ୟାଳୟକୁ ଭୁଲିଯିବା ଉଚିତ ନୁହେଁ ବୋଲି ତହସିଲଦାର ସୁଶ୍ରୀ ନିବେଦିତା ପରିଡ଼ା ମତ ପ୍ରକାଶ କରିଥିଲେ । ସେହିପରି ପିଲାମାନଙ୍କ ସୁନ୍ଦର ଚରିତ୍ର ଗଠନ ପ୍ରତି ଗୁରୁଜୀ ଓ ଗୁରୁମାମାନେ ଯତ୍ନବାନ ହେବାକୁ ଏବିଇଓ ଯୁଧିଷ୍ଠିର ପରିଡ଼ା ପରାମର୍ଶ ଦେଇଥିଲେ । ପିଲାମାନେ ପ୍ରତିଯୋଗୀ ମନ ହୋଇ ନିଜର ଜୀବନ ଗଢି ତୋଳିବାକୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗନ୍ଧର୍ବ ଜେନା ଉପଦେଶ ଦେଇଥିଲେ । ଏହି ଅବସରରେ ନୃତ୍ୟଗୁରୁ ଟୁକୁ ବେହେରାଙ୍କ ନିର୍ଦ୍ଦେଶନାରେ କୁନିକୁନି ପିଲାମାନଙ୍କ ଦ୍ଵାରା ପୁଲୁୱାମା ଆକ୍ରମଣ ଉପରେ ପର୍ଯ୍ୟବେଶିତ ନାଟକ, ଦେଶାତ୍ମବୋଧ ସଙ୍ଗୀତ, ଓଡ଼ିଶୀ ନୃତ୍ୟ ଓ ଭଜନ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଅଧ୍ୟୟନ, କ୍ରୀଡା, ସଙ୍ଗୀତ ଓ କଳା କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ବାର୍ଷିକ ଉତ୍ସବ ପରିଚାଳନା କାର୍ଯ୍ୟରେ ଡ଼. ବସନ୍ତ କୁମାର ଦାଶ ଓ ସୂର୍ଯ୍ୟ ନାରାୟଣ ସେଠୀଙ୍କ ସମେତ ବିଦ୍ୟା ମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ । ଶିଶୁ ବିଦ୍ୟା ମନ୍ଦିରର ସମ୍ପାଦକ କିଶୋର କୁମାର ପ୍ରଧାନ ସହଯୋଗ ପାଇଁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.