ଜଙ୍ଗଲ ନିଆଁ ନିରାକରଣ ସଚେତନତା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ରସମୁଣ୍ତା ଗ୍ରାମରେ ନୃସିଂହନାଥ ବନାଞ୍ଚଳ ବିଭାଗ ପକ୍ଷରୁ ନିଆଁ ନିରାକରଣ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା ସଭାରେ ଭିଏସ୍‌ଏସ୍‌ ତଥା ଯୁବନେତା ବାଜୁବନ ନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଦେଇଥିବା ବେଳେ ଫରେଷ୍ଟ ରାଧାକାନ୍ତ କୁମ୍ଭାର ସଚେତନତା ସଭା ଆୟୋଜନ କରିଥିଲେ । ଏହି ନିଆଁ ନିରାକରଣ ସଚେତନତା ସଭାରେ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ଓ ମହିଳା, ପୁରୁଷ, ଏସ୍‌ଏଚ୍‌ଜି ସଙ୍ଗଠନର ମହିଳାମାନେ ଉପସ୍ଥିତ ଥିଲେ । ଜଙ୍ଗଲରେ ନିଆଁ ଲାଗିଲେ କ’ଣ କ୍ଷତି ଓ ନଷ୍ଟ ହୁଏ, ନିଆଁ ନ ଲାଗିଲେ ଜଙ୍ଗଲରୁ କ’ଣ ସବୁ ଲାଭ ହୁଏ ସେହି ସଂପର୍କରେ ଯୁବନେତା ଶ୍ରୀ ନାୟକ ସଭାରେ ଉପସ୍ଥାପନା କରିଥିଲେ । ବିଡି, ସିଗାରେଟ, ପିକନିକ ଓ ଶିକାରୀମାନଙ୍କ ଦ୍ୱାରା, ମହୁଲ ଗଛ ପୋଡି, କେନ୍ଦୁପତ୍ର ପାଇଁ ପୋଡି, ଜମିର ଅନାବନା ଘାସ, ନଡା ଆଦିରୁ ଜଙ୍ଗଲରେ ନିଆଁ ଲାଗିଥାଏ । ଫଳରେ ଅନେକ ବନୌଷଧି, ଗଛ, ବାଉଁଶ ଏବଂ ଛୋଟ ଛୋଟ ଜୀବମାନେ ନଷ୍ଟ ହୋଇ ଯାଆନ୍ତି ଓ ଜଙ୍ଗଲ ପଦା ହୋଇଯାଏ । ସେହି ନିଆଁ ନ ଲାଗିଲେ ଅନେକ ବନୌଷଧି, ପଶୁପକ୍ଷୀ, ଗଛଲତା ବଞ୍ଚିତ ରହିବ, ଆମକୁ ସୁସ୍ଥ ସ୍ୱାସ୍ଥ୍ୟ ଓ ଅମ୍ଳଜାନ ମିଳିବ । ବର୍ଷାର ଲାଭ ମିଳେ ଫଳରେ ଚାଷୀ ଉପକୃତ ହୁଏ । ଏଣୁ ଜଙ୍ଗଲରେ ନିଆଁ ନ ଲଗାଇବା ପାଇଁ ପରସ୍ପର ମଧ୍ୟରେ ଆଲୋଚନା କରି ଜଙ୍ଗଲର ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ନେବା ନିମନ୍ତେ ଯୁବନେତା ଶ୍ରୀ ନାୟକ ମତବ୍ୟକ୍ତ କରିଛନ୍ତି । ପରିଶେଷରେ ଫରେଷ୍ଟର ଶ୍ରୀ କୁମ୍ଭାର ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରି ଜଙ୍ଗଲ ଓ ପରିବେଶ ଉପରେ ଆଲୋକପାତ କରି ସଚେତନତା ସଭାକୁ ସାଙ୍ଗ କରିଥିଲେ ।

Leave A Reply

Your email address will not be published.

error: Content is protected !!