ସର୍ବସାଧାରଣଙ୍କ ପାଇଁ ମଙ୍ଗଳବାରଠାରୁ ଖୋଲିବ ‘ଅମୃତ ଉଦ୍ୟାନ’

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରବିବାର ଉଦ୍ୟାନ ଉତ୍ସବ ୨୦୨୩ର ଉଦ୍‌ଘାଟନ କରିଛନ୍ତି । ରାଷ୍ଟ୍ରପତି ଭବନରେ ଥିବା ଐତିହାସିକ ମୋଗଲ ଗାର୍ଡେନର ନାମ ବଦଳାଇ ଶନିବାର ଏହାର ନୂତନ ନାମ ରଖାଯାଇଥିଲା ‘ଅମୃତ ଉଦ୍ୟାନ’ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ‘ଅମୃତ ଉଦ୍ୟାନ’ ପରିଦର୍ଶନ କରିଥିଲେ । ଏହି ସୌନ୍ଦର୍ଯ୍ୟଭରା ଉଦ୍ୟାନକୁ ପ୍ରତିବର୍ଷ ଗୋଟିଏ ଥର ସର୍ବସାଧାରଣଙ୍କ ପାଇଁ ଖୋଲାଯାଏ । କିନ୍ତୁ ଏଥର ଏହି ଉଦ୍ୟାନ ସାଧାରଣ ଲୋକଙ୍କ ପାଇଁ ୩୧ ଜାନୁଆରୀରୁ ୨୬ ମାର୍ଚ୍ଚ ପର୍ଯ୍ୟନ୍ତ ଖୋଲା ରହିବ । ଏହି ଉଦ୍ୟାନ ସକାଳ ୧୦ଟାରୁ ୪ଟା ପର୍ଯ୍ୟନ୍ତ ଖୋଲା ରହିବ । କିନ୍ତୁ ପ୍ରତ୍ୟେକ ସୋମବାର ଅମୃତ ଉଦ୍ୟାନ ବନ୍ଦ ରହିବ ବୋଲି ରବିବାର ରାଷ୍ଟ୍ରପତି ଭବନରୁ ଜାରି ବିବୃତିରେ କୁହାଯାଇଛି । ତେବେ ମାର୍ଚ୍ଚ ୨୮ରୁ ୩୧ ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କ ପାଇଁ ଏହା ଖୋଲା ରହିବ । ତେବେ କୃଷକଙ୍କ ପାଇଁ ମାର୍ଚ୍ଚ ୨୮ରେ, ଭିନ୍ନକ୍ଷମଙ୍କ ପାଇଁ ୨୯ରେ ପ୍ରତିରକ୍ଷା, ଅର୍ଦ୍ଧସାମରିକ ବଳ ଓ ପୁଲିସ ପାଇଁ ୩୦ରେ ଏବଂ ଆଦିବାସୀ ମହିଳାଙ୍କ ସ୍ୱୟଂ ସହାୟକ ଗୋଷ୍ଠୀ ସମେତ ମହିଳାଙ୍କ ପାଇଁ ମାର୍ଚ୍ଚ ୩୧ରେ ଖୋଲା ରହିବ । ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଥିବା ‘ଅମୃତ ମହୋତ୍ସବ’ର ବିଷୟବସ୍ତୁକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମୋଗଲ ଗାର୍ଡେନର ନାମ ଅମୃତ ଉଦ୍ୟାନକୁ ପରିବର୍ତ୍ତନ କରିଛନ୍ତି ।

Leave A Reply

Your email address will not be published.