କୁରସୁଡ ଆଦର୍ଶ ବିଦ୍ୟାଳୟର ବାର୍ଷିକୋତ୍ସବ

  • ‘ଶିକ୍ଷାରେ ପ୍ରତିଯୋଗଶତା ନୁହଁ ସହଯୋଗ ଓ ସହଭାଗିତା ଆବଶ୍ୟକ’

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜିର ଶିକ୍ଷା ପ୍ରତିଯୋଗିତାମୂଳକ ହୋଇଯାଇଛି । ତେଣୁ ଛାତ୍ରଛାତ୍ରୀ କେବଳ ପ୍ରଥମ ହେବାର ନିଶା ରଖି ଅହଂକାରୀ ହେଉଛନ୍ତି । ଏହା ସମାଜ ପାଇଁ ମଙ୍ଗଳକର ହେଉନାହିଁ । ବରଂ ଏହା ପରେ ତାଙ୍କୁ କର୍ମମୟ ଜୀବନରେ ଦୁର୍ନୀତିଗ୍ରସ୍ତ କରାଉଛି । ତେଣୁ ଶିକ୍ଷା ପ୍ରତିଯୋଗିତାମୂଳକ ନହୋଇ ସହଯୋଗ ଓ ସହଭାଗିତାମୂଳକ ହେବାର ଆବଶ୍ୟକତା ରହିଛି ବୋଲି ଆଜି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ବ୍ଲକର କୁରସୁଡ ଆଦର୍ଶ ବିଦ୍ୟାଳୟର ବାର୍ଷିକୋତ୍ସବରେ ଯୋଗ ଦେଇଥିବା ବିଶିଷ୍ଟ ଶିକ୍ଷାବିଦ୍‌ ତଥା ସ୍ତମ୍ଭକାର ପ୍ରଫେସର ଡ. ଛାୟାକାନ୍ତ ଷଡଙ୍ଗୀ ମତ ଦେଇଛନ୍ତି । ବିଦ୍ୟାଳୟର ଅଧ୍ୟକ୍ଷ ଯଶୋବନ୍ତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଟିଟିଲାଗଡ ଉପଜିଲ୍ଲାପାଳ ଦୟାମୟ ପାଢୀ, ମୁଖ୍ୟବକ୍ତା ଭାବରେ କୋଶଲୀ କବି ପଦ୍ମଶ୍ରୀ ହଳଧର ନାଗ, ଡିଏଭି କଲେଜରେ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଡ. ଛାୟାକାନ୍ତ ଷଡଙ୍ଗୀ, ସମ୍ମାନିତ ଅତିଥି ଭାବରେ ଆଦର୍ଶ ସ୍କୁଲର ବଲାଙ୍ଗିର ଜିଲ୍ଲା ନୋଡାଲ ଅଧ୍ୟକ୍ଷ କ୍ଷମାନିଧି ଝାଙ୍କର, ଟିଟିଲାଗଡ ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାଏକ, ଜିଲ୍ଲା ପରିଷଦ ସଭ୍ୟ ସଂଜୟ ବେହେରା, ସ୍କୁଲ କମିଟିର ସଭ୍ୟ ନିମାଇଁ ବେହେରା, କୁରସୁଡ ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଜୟପ୍ରସାଦ ନାୟକ ଓ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ । ପଦ୍ମଶ୍ରୀ ହଳଧର ନାଗ ତାଙ୍କ ବକ୍ତବ୍ୟରେ ନିଜର ମାତୃଭାଷାର ମର୍ଯ୍ୟାଦା ରକ୍ଷା କରିବାକୁ ଆହ୍ୱାନ ଦେଇଥିଲେ । ପଥରଚେପା ସ୍କୁଲର ଅଧ୍ୟକ୍ଷ କ୍ଷମାନିଧି ଝାଙ୍କର ତାଙ୍କ ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କୁ ଭଲ ମଣିଷ ଭାବରେ ଗଢିବାରେ ଅଭିଭାବକ, ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଭୂମିକା ଅତି ମହତ୍ୱପୂର୍ଣ୍ଣ । ସମାଜର ସମସ୍ତ ବର୍ଗର ମଣିଷମାନଙ୍କର ଯୋଗଦାନ ସମାଜ ଗଠନରେ ଥାଏ ଏବଂ ପଦକୁ ମହତ୍ୱ ନଦେଇ ପ୍ରତ୍ୟେକ ଜୀବିକାକୁ ସମ୍ମାନ ଦେବା ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ । ଉପସ୍ଥିତ ବ୍ଲକ ଅଧ୍ୟକ୍ଷା, ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ ପ୍ରତିନିଧି ଓ ସମିତି ସଭ୍ୟ ସ୍କୁଲ ଛାତ୍ରଛାତ୍ରୀ ସ୍କୁଲର ମହତ୍ୱ ବଢାଇବା ସହିତ ଖେଳ ଓ ଅନ୍ୟାନ୍ୟ ଦିଗ ଉପରେ ଧ୍ୟାନ ଦେବା ପାଇଁ କହିଥିଲେ । ଏହି ଅବସରରେ ସ୍କୁଲର ଶ୍ରେଷ୍ଠ ଛାତ୍ରୀ ତନୁଶ୍ରୀ ସେନାପତି, ଶେଖରସୁମନ ସାହୁ, ସାଇସତ୍ୟମ ସାହୁ, ସିତଲବାଇ ଜୈନଙ୍କୁ ଟ୍ରଫି ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି କ୍ରୀଡା ଓ ଅନ୍ୟାନ୍ୟ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା କୃତି ଟିମ୍‌କୁ ମଧ୍ୟ ସିଲ୍ଡକପ ଦେଇ ପୁରସ୍କୃତ କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ ଅଧ୍ୟାପକ/ଅଧ୍ୟାପିକା ତଥା ପରିଚାଳନା କମିଟି ଓ କର୍ମଚାରୀ ସହଯୋଗ କରିଥିଲେ । ଅଧ୍ୟାପକ ଥୟରାଜ ଜ୍ୟୋତିଷ ଓ ଅଧ୍ୟାପିକା ସ୍ୱର୍ଣ୍ଣପ୍ରଭା ନାଏକ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ।

Leave A Reply

Your email address will not be published.