ଅସଲି ମଦ ଦୋକାନରେ ନକଲି ମଦ କାରବାର, ୨ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅସଲି ମଦ ଦୋକାନରେ ନକଲି ମଦ କାରବାରକୁ ନେଇ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପଦ୍ମପୁର ଅବକାରୀ ପୋଲିସ । ସୂଚନାଯୋଗ୍ୟ ଯେ, ପଦ୍ମପୁର ଅବକାରୀ ଥାନା ଅନ୍ତର୍ଗତ ଜମଲା ଅଞ୍ଚଳରେ ନକଲି ବିଦେଶୀ ମଦ ତିଆରି କରି ବିକ୍ରି କରୁଥିବା ନେଇ ଖବର ପାଇବା ପରେ ଏହାର ତଦନ୍ତ କରି ସଠିକ ତଥ୍ୟ ସଂଗ୍ରହ କରି ପଦ୍ମପୁର ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଥାନା ଅଧିକାରୀ ଏଚ ଜଗା ରାଓଙ୍କ ନେତୃତ୍ୱରେ ଏକ ଟିମ୍‌ ଜମଲା ବିଦେଶୀ ମଦ ଦୋକାନରେ ଚଢ଼ାଉ କରିଥିଲେ । ଚଢାଉରେ ନକଲି ମଦ ତିଆରି ପାଇଁ ବ୍ୟବହାର ହେଉଥିବା ବୋତଲ, ବୋତଲ ଠିପି, ନକଲି ଲେବୁଲ, ନଗଦ ୫୦,୦୦୦ ଟଙ୍କା, ବିପୁଳ ପରିମାଣର ନକଲି ମଦ ସହ ମଦ ତିଆରି କରି ବିକ୍ରି କରୁଥିବା ଜମଲା ବିଦେଶୀ ମଦ ଦୋକାନର ଦୁଇ କର୍ମଚାରୀ ସୁରେନ୍ଦ୍ର ପ୍ରସାଦ ଓ ପୄଥ୍ୱିରାଜ ପାଣ୍ଡେଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପଦ୍ମପୁର ଅବକାରୀ ପୋଲିସ । ସୂଚନା ଅନୁସାରେ, ଜମଲା ବିଦେଶୀ ମଦ ଦୋକାନର ଲାଇସେନ୍ସ ପାଇକମାଲର ଶୁଭ୍ରାଂଶୁ ପଣ୍ଡା ଓରଫ ଲକି ପଣ୍ଡାଙ୍କ ନାମରେ ରହିଛି । ଏହି ଚଢାଉରେ ଦେବେନ୍ଦ୍ର ବରିହା, ମୁକେଶ ବିଶ୍ୱାଳ, ବିନୋଦ ତିର୍କୀ, ଶିବାନୀ ଭୋଇ ଓ ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ ।

Leave A Reply

Your email address will not be published.