
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସରସ୍ୱତୀ ପୂଜା ମହା ଆଡ଼ମ୍ବରରେ ପାଳିତ ହୋଇ ଯାଇଛି । ମୁଦିରଥ ପଣ୍ଡା ଓ ଯଦୁମଣି ମିଶ୍ର ପୂଜକ ଦାୟିତ୍ୱ ତୁଲାଇଥିଲେ । ଏହି ଅବସରରେ ବିଦ୍ୟା ମନ୍ଦିର ପରିସରରେ ଶିଶୁ ବାଟିକା ବିଭାଗର ବିଦ୍ୟାରମ୍ଭ ସଂସ୍କାର (ଯଜ୍ଞ) ଓ ସାର୍ବଜନୀନ ଖଡ଼ିଛୁଆ ଉତ୍ସବ ପାଳିତ ହୋଇଯାଇଛି । ପ୍ରାରମ୍ଭରେ କଳସ ଶୋଭାଯାତ୍ରାରେ ଶିଶୁମାନେ ପାଳିଙ୍କି ଧରି ମୁଣ୍ଡରେ ମାଟି ସିଲଟ ଓ ଗୀତା ବହିକୁ ବୋହି ଶୋଭାଯାତ୍ରାରେ ବାହାରିଥିଲେ ଫେରିବା ସମୟରେ ବିଦ୍ୟା ମନ୍ଦିର ମୁଖ୍ୟ ଗେଟ୍ରେ ସ୍ୱାଗତ କରାଯାଇ ଶିଶୁମାନଙ୍କୁ ଗୋଡ଼ଧୂଆ କରାଇ ଯଜ୍ଞ ମଣ୍ଡପକୁ ପାଛୋଟି ନିଆଯାଇଥିଲା ପରେ ଯଜ୍ଞଶାଳାରେ ଅର୍ନ୍ତଯାମୀ ମେହେର ଓ ଗୁରୁକୂଳ ନବପ୍ରଭାତ ଆଶ୍ରମର ଦୁଇ ଜଣ ବ୍ରହ୍ମଚାରୀଙ୍କ ତତ୍ତ୍ୱାବଧାନରେ ଯଜ୍ଞ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ୫ଟି ହୋମକୁଣ୍ଡରେ ୧୦ ଯୋଡ଼ା ସପତ୍ନିକ ଯଜ୍ଞ କର୍ତ୍ତା ରୂପେ ଉପବିଶନ କରି ହୋମ ଆହୁତି ପ୍ରଦାନ କରିଥିଲେ ଓ ଉପସ୍ଥିତ ୧୧୦ ଜଣ ଶିଶୁମାନଙ୍କୁ ତାଙ୍କ ମାଆ ମାନଙ୍କ ଦ୍ୱାରା ମନ୍ତ୍ର ଉଚ୍ଚାରଣର ତାଳେ ତାଳେ ବିଦ୍ୟାରମ୍ଭ ସଂସ୍କାର କରିଥିଲେ ।ଏହି ଅବସରରେ ସାର୍ବଜନୀନ ଖଡ଼ିଛୁଆ ଉତ୍ସବରେ ପ୍ରାୟ ୨୦୦ରୁ ଅଧିକ ଶିଶୁମାନଙ୍କ ଖଡ଼ିଛୁଆ କରାଯାଇଥିଲା ଉକ୍ତ କାର୍ଯ୍ୟକ୍ରମରେ ପୃଥ୍ୱୀରାଜ ସାହୁ ସଭାପତି, ଜନକଲାଲ ମେହେର ସମ୍ପାଦକ ଭାବେ ଯୋଗ ଦେଇଥିଲେ । ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ ସ୍ୱାଗତ ବାର୍ତ୍ତା ସହିତ ସୂଚନା ପ୍ରଦାନ କରିଥିଲେ । ଶେଷରେ ସୁଜାତା ତ୍ରିପାଠୀ ଗୁରୁମା ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।