ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ପଦ୍ମପୁର ଉପଖଣ୍ଡ ସୋହେଲା ବ୍ଲକରେ ଇତି ମଧ୍ୟରେ ପ୍ରଥମ ବର୍ଷ ପାଇଁ ପ୍ରଥମ କରି ମାଣ୍ଡିଆ ମଣ୍ଡି ଉଦ୍ଘାଟିତ ହୋଇଯାଇଛି । ଆତ୍ମା ବରଗଡ, ଓଡିଶା ମିଲେଟ୍ସ୍ ମିଶନ ୱାସନ୍ର ମିଳିତ ସହାୟତା ତଥା ସ୍ୱେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନର ସହଯୋଗରେ ଚିରସବୁଜ କୃଷକ ଉତ୍ପାଦକ କମ୍ପାନୀ ମାଣ୍ଡିଆ ମଣ୍ଡି ପରିଚାଳନା ଦାୟିତ୍ୱ ବହନ କରିଛି । ଖରିଫ ୨୦୨୨-୨୩ ବର୍ଷ ପାଇଁ ବ୍ଲକର ୧୦ ଗୋଟି ଗ୍ରାମ ପଞ୍ଚାୟତର ୨୪ ଗୋଟି ଗ୍ରାମର ୩୪୪ ଜଣ ଚାଷୀଙ୍କଠାରୁ ମାଣ୍ଡିଆ କ୍ରୟକରି ଟିଡିସିସି ଜରିଆରେ ଓଡିଶା ସରକାରଙ୍କୁ ପ୍ରଦାନ କରିବାକୁ ଏହି କମ୍ପାନୀର କାର୍ଯ୍ୟକ୍ରମ ରହିଛି । ୨୦୨୨-୨୩ ବର୍ଷରେ ୩୪୪ ଜଣ ଚାଷୀଙ୍କ ୨୧୨.୯ ହେକ୍ଟର ଚାଷ ଜମିରେ ମାଣ୍ଡିଆ ଚାଷ ହୋଇଛି । ଚାଷୀଙ୍କର ଉତ୍ପାଦିତ ମାଣ୍ଡିଆର ସଠିକ୍ ବିକ୍ରୟ ପାଇଁ ବ୍ଲକର ୩ ଗୋଟି ସ୍ଥାନ- ମରେକେଲ, କନାପାଲି ଓ ଜାମଛପର ଠାରେ ମାଣ୍ଡିଆ ସଂଗ୍ରହ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ସରକାର ଚଳିତ ବର୍ଷ ଏଫ୍ଏବ୍ୟୁ ମାନର ମାଣ୍ଡିଆ ଦର କ୍ୱିଣ୍ଟାଲ ପ୍ରତି ଟ.୩୫୭୮/- ଧାର୍ଯ୍ୟ କରିଛନ୍ତି । ବରଗଡ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ମରେକେଲ୍ ଗ୍ରାମରେ ମାଣ୍ଡିଆ ମଣ୍ଡି ଉଦ୍ଘାଟନ ଅବସରରେ ଟୁଙ୍ଗିବନ୍ଧଲି ଗ୍ରାମ ପଞ୍ଚାୟତ ସରପଞ୍ଚ ବାଲ୍ମୀକି ପାଣ୍ଡେ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡିଶା ମିଲେଟ୍ସ୍ ମିଶନର ବ୍ଲକ କୃଷି ଅଧିକାରୀ ପ୍ରାଣବନ୍ଧୁ ସାହୁ, ସହ କୃଷି ଅଧିକାରୀ ସରିତା ବାରାଲ, ଭିଏଡବ୍ଲୁ ଯଜ୍ଞ ମଲ୍ଲିକ, ଜିଲ୍ଲା ମିଲେଟ୍ସ୍ ମିଶନ ସଂଯୋଜକ ସବ୍ୟସାଚୀ ହନୁମାନ ପ୍ରମୁଖ ଉପସ୍ଥିତ ଥିଲେ । ଇତି ଅବସରରେ ୨୫ ଜଣ ଚାଷୀଙ୍କଠାରୁ ୩୫୫ କ୍ୱିଣ୍ଟାଲ ମାଣ୍ଡିଆ କ୍ରୟ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ବ୍ଲକ ସଂଯୋଜକ ଗୌରଚନ୍ଦ୍ର ରଣା ପରିଚାଳନା କରିଥିବା ବେଳେ ସହ ସଂଯୋଜକ ମଶାଲୁ ସେଠ୍ ଧନ୍ୟବାଦ ଅର୍ପଣ କରିଥିଲେ ।