ଯୁବ କଣ୍ଠଶିଳ୍ପୀ ସୁମନ ଶେଖର ମିଶ୍ରଙ୍କ ବିୟୋଗରେ ଶୋକସଭା

  • ସଙ୍ଗୀତ ଜଗତ ପାଇଁ ଅନେକ ସମ୍ଭାବନା ଥିଲେ ସୁମନ

ମ. ରାମପୁର, (ହେମନ୍ତ ସାହୁ) : ଉଦୀୟମାନ ଯୁବ କଣ୍ଠଶିଳ୍ପୀ ସୁମନ ଶେଖର ମିଶ୍ର(୨୫)ଙ୍କ ଆଜି ଭୋର୍‌ରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି । ସେ ଗତ କିଛି ମାସ ଧରି ଯକୃତ ରୋଗରେ ପୀଡ଼ିତ ଥିବା ବେଳେ ତାଙ୍କର ଚିକିତ୍ସା ଚାଲିଥିଲା । କିନ୍ତୁ ଗତ ରାତିରେ ଦେହ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ନେଇଥିଲେ । ତେବେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏହି ଖବର ପ୍ରଚାର ହେବା ପରେ ମ. ରାମପୁର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସୁମନ ମ. ରାମପୁରରେ ଥିବା ବିଟସ ମେଲୋଡିର ଜଣେ ଯୁବ କଣ୍ଠଶିଳ୍ପୀ ଥିବାବେଳେ ପରବର୍ତ୍ତୀ ସମୟରେ ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରା ସମୟରେ ବଡ଼ଦାଣ୍ଡରେ ଭଜନ ପରିବେଷଣ, ଜିଲ୍ଲା ଓ ଜିଲ୍ଲା ବାହାରେ ବିଭିନ୍ନ ମଞ୍ଚରେ ସଙ୍ଗୀତ ପରିବେଷଣ କରି ବହୁତ ଲୋକ ପ୍ରିୟ ହୋଇ ପାରୁଥିଲେ । ମ.ରାମପୁର ଜନସାଧାରଣ ମଧ୍ୟ ସୁମନଙ୍କ ପାଇଁ ସହାୟତାର ହାତ ବଢ଼ାଇ ଥିଲେ । କିନ୍ତୁ ଶେଷକୁ ସେ ଆଜି ଆରପାରିକୁ ଚାଲିଯିବା ଅନେକଙ୍କୁ ମର୍ମାହତ କରିଛି । ପରଲୋକ ପରେ ଦୁର୍ଗା ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ୨୦୧୨ ମାଟ୍ରିକ ବ୍ୟାଚ୍‌ ତରଫରୁ ଏକ ଶୋକସଭା ସହପାଠୀ ଅଭିଷେକ, ସୁମିତ୍, କୁନା, ଆଲୋକ, ପିକୁନ୍, ଜିତୁ, ନବୀନ, ଧର୍ମେନ୍ଦ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ସଭାକୁ ହେମନ୍ତ ସାହୁ ପରିଚାଳନା କରିଥିବା ବେଳେ ସମାଜସେବୀ ସତ୍ୟ ନାରାୟଣ ସାହୁ, ଆଇନଜୀବୀ ରାକେଶ ଶତପଥୀ, ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ଆଚାରୀ, ଶିକ୍ଷକ ଶେଷ ଦେବ ସାହୁ ପ୍ରମୁଖ ଉପସ୍ଥିତ ରହି ନୀରବ ପ୍ରାର୍ଥନା ସହ ସ୍ମୃତିଚାରଣ କରିଥିଲେ । ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିଲେ । ସୁମନଙ୍କ ବିୟୋଗରେ ବିଟସ ମେଲୋଡି ମୁଖ୍ୟ ଅବିନାଶ ଶତପଥୀ, ସୁମନଙ୍କ ସଙ୍ଗୀତ ଗୁରୁ ସନ୍ତୋଷ କୁମାର ଦୁବେ, ସନ୍ତୋଷ କୁମାର ଦାଶ, ଯୁଗ ଯାତ୍ରୀ ସାହିତ୍ୟ ସଂସଦ ସଭାପତି ପଦ୍ମ ଲୋଚନ ମିଶ୍ର ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.