ବଲାଙ୍ଗିରରେ ଓଡିଶା ରାଜ୍ୟ ସିନିଅର ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା : ୧୩ରୁ ମିନି ଓ ସବ୍ଜୁନିଅର୍, ୧୫ରୁ ରାଜ୍ୟ ସିନିଅର୍ ବ୍ୟାଡମିଣ୍ଟନ ଚମ୍ପିଆନସିପ୍
- ସାରା ରାଜ୍ୟରୁ ଭାଗ ନେବେ ୩୫୦ ପ୍ରତିଯୋଗୀ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ଅକ୍ଟୋବର ମାସରେ ବାଲାଙ୍ଗିର ପିଆର୍ ହାଇସ୍କୁଲ ଷ୍ଟାଡିଅମ ଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ସବ୍ଜୁନିଅର ପ୍ରତିଯୋଗିତାର ବିଶେଷ ସଫଳତା ପରେ ପୁଣି ରାଜ୍ୟ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ବାଲାଙ୍ଗିରକୁ ଫେରିଛି । ଭାରତୀୟ ତଥା ରାଜ୍ୟ ବ୍ୟାଡମିଣ୍ଟନ ସଂଘର ଅନୁମୋଦନ ଦ୍ୱାରା ପିଆର ହାଇସ୍କୁଲ ଇନଡୋର ବ୍ୟାଡମିଣ୍ଟନ୍ ଷ୍ଟାଡିଅମ ଠାରେ ଜିଲ୍ଲା ବ୍ୟାଡମିନ୍ଟନ୍ ସଂଘ ଆନୁକୁଲ୍ୟରେ ଆସନ୍ତା ଜାନୁଆରୀ ୧୩ରୁ ମିନି ଓ ସବ୍ଜୁନିଅର ବିଭାଗର ର୍ୟାଙ୍କିଂ ପ୍ରତିଯୋଗିତା ଆରମ୍ଭ ହେଉଥିବାବେଳେ ୧୫ ତାରିଖରୁ ଓଡିଶା ରାଜ୍ୟ ସିନିଅର ଚମ୍ପିଆନସିପ୍ ଅନୁଷ୍ଠିତ ହେବ । ଏଥିରେ ସାରା ରାଜ୍ୟରୁ ପ୍ରାୟ ୩୫୦ ପ୍ରତିଯୋଗୀ ଭାଗ ନେବେ, ଯାହାକୁ ବଲାଙ୍ଗିରବାସୀ ତଥା ବ୍ୟାଡମିଣ୍ଟନ୍ ପ୍ରେମୀ ନିଶୁଳ୍କରେ ଉପଭୋଗ କରି ପାରିବେ ବୋଲି ଜିଲ୍ଲା ବ୍ୟାଡମିଣ୍ଟନ୍ ସଂଘ ପକ୍ଷରୁ ଇନଡୋର ଷ୍ଟାଡିଅମରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରତିଯୋଗିତାର ସାଂଗଠନିକ ସଂପାଦକ ସୁରୁଲାଲ ମଟାରୀ ସୂଚନା ଦେଇଛନ୍ତି ।
ସେ ଆହୁରି ସୂଚନା ଦେଇଛନ୍ତି ଯେ, ବଲାଙ୍ଗିରରେ ଓଡିଶା ରାଜ୍ୟ ସିନିଅର ବ୍ୟାଡମିଣ୍ଟନ୍ ଚମ୍ପିଆନସିପ୍ର ଆୟୋଜନ ବଲାଙ୍ଗିର ପାଇଁ ପ୍ରଥମ । ସାରା ରାଜ୍ୟରୁ ୨୦୦ ବଛା ବଛା ଖେଳାଳି ଏଥିରେ ଭାଗ ନେବେ । ତେଣୁ ପ୍ରତ୍ୟେକ ମ୍ୟାଚ୍ ରୋମାଞ୍ଚକର ହେବା ନେଇ ଆଶା କରାଯାଉଛି, ଯାହା ଆମ ଅଂଚଳର ଖେଳାଳି ତଥା ବ୍ୟାଡମିଣ୍ଟନ୍ ପ୍ରେମୀଙ୍କୁ ନୁତନ ଖେଳ କୌଶଳ ଜାଣିବା ପାଇଁ ଖୋରାକ ଯୋଗାଇବ । ଉଭୟ ପୁରୁଷ ଓ ମହିଳା ବର୍ଗର ଖେଳାଳିମାନଙ୍କ ରହିବା ଓ ଖାଇବାର ସୁବନ୍ଦୋବସ୍ତ କରାଯାଇଛି । ବିଜୟ କୁମାର ବାଗ ସିନିଅର ଚମ୍ପିଆନସିପ୍ର ଚିଫ୍ ରେଫରି ଓ ମ୍ୟାଚ କନ୍ଟ୍ରୋଲର ରହିବେ । ସେହିପରି ୧୩ ତାରିଖରୁ ଓଡିଶା ରାଜ୍ୟ ୯, ୧୧ ବର୍ଷ ବର୍ଗ ପାଇଁ ମିନି ଓ ୧୫ ଓ ୧୭ ବର୍ଷ ବର୍ଗ ପାଇଁ ସବ ଜୁନିଅର ର୍ୟାଙ୍କିଂ ପ୍ରତିଯୋଗିତା ହେବ । ଏଥିରେ ସାରା ରାଜ୍ୟରୁ ପ୍ରାୟ ୧୫୦ ପ୍ରତିଯୋଗି ଭାଗ ନେବାର ସୂଚନା ରହିଛି । ଲକ୍ଷପତି ନନ୍ଦ ଓ ଜୟନ୍ତ ମିଶ୍ର ଏହି ପ୍ରତିଯୋଗିତାର ରେଫରି ତଥା ମ୍ୟାଚ କନ୍ଟ୍ରୋଲର ଦାୟିତ୍ୱ ତୁଲାଇବେ ବୋଲି ଶ୍ରୀ ମଟାରୀ ପ୍ରକାଶ କରିଛନ୍ତି । ଆଜିର ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂଘ ସଭାପତି ଗୋପାଳ ପଣ୍ଡା, ଉପ ସଭାପତି ପବିତ୍ର ବେହେରା, ବରିଷ୍ଠ ସଭ୍ୟ ତଥା ଉପଦେଷ୍ଟା ବିରେନ୍ଦ୍ର ମିଶ୍ର, ଜୋନାଲ କୋଡିନେଟର ଦେବାଶିଷ ମିଶ୍ର, ଭେନ୍ୟୁ ଇନଚାର୍ଜ ଅନନ୍ତ ବେହେରା ଓ ଫୁଡ୍ ଏକୋମୋଡେସନ ଇନଚାର୍ଜ ମାନସ ମହାନ୍ତି ମଞ୍ଚାସୀନ ଥିଲେ ।