
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରର ହାଟପଦାରେ ଜଣେ ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ସେ ଟାଉନ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି । ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ହେଲେ ହାଟପଦାର ସୁଶାନ୍ତ ପାତ୍ର । ସୂଚନା ଅନୁସାରେ, ହାଟପଦାର ଜଣେ ଯୁବକ ଦୀର୍ଘ ୨ ମାସ ହେବ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ତାଙ୍କର ବ୍ୟାଙ୍କ ଏକାଉଣ୍ଟରୁ ସେ ଟଙ୍କା ନେଇଯାଇଥିବା ସେ ଅଭିଯୋଗ କରିଥିଲେ । ଏପରିକି ଉକ୍ତ ଯୁବକ ହ୍ୱାଟସ୍ଏପରେ ତାଙ୍କୁ ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି । ସୁଶାନ୍ତ ବର୍ତ୍ତମାନ ତାଙ୍କ ଜୀବନ ପ୍ରତି ବିପଦ ଥିବା ବେଳେ ଉକ୍ତ ଯୁବକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି ।