ଖପ୍ରାଖୋଲ ଲୋକ ଉତ୍ସବ ଉଦ୍‌ଯାପିତ

  • ପ୍ରତିଯୋଗିତାରେ ଅଂଶଗ୍ରହଣ କଲେ ୧୦୬ ଦଳ, ଉପଖଣ୍ଡସ୍ତରୀୟ ଲୋକ ଉତ୍ସବକୁ ୬ଟି ଦଳ ହେଲେ ମନୋନୀତ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ମିନି ଷ୍ଟାଡିୟମ ଠାରେ ଚାଲିଥିବା ବ୍ଲକସ୍ତରୀୟ ଲୋକ ଉତ୍ସବ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି । ଚଳିତ ବର୍ଷ ସର୍ବାଧିକ ରେକର୍ଡ ସଂଖ୍ୟକ ୧୦୬ଟି ଦଳ ଲୋକ ଉତ୍ସବରେ ଅଂଶଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୬ଟି ବିଭାଗର କୃତି ପ୍ରତିଯୋଗୀଙ୍କୁ ଉପଖଣ୍ଡସ୍ତରୀୟ ଲୋକ ଉତ୍ସବରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ କରାଯାଇଛି । ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରଞ୍ଜନ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଯାପନୀ ସମାରୋହରେ ପାଟଣାଗଡ ଉପଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଂସ୍କୃତି ପରମ୍ପରା ମାନବ ଜୀବନର ଏକ ପ୍ରମୁଖ ଅଙ୍ଗ ଅଟେ । ଲୋକ କଳା ଓ ସଂସ୍କୃତିରେ ଆମ ଜନ ଜୀବନର କଥା ରହିଥିବା ବେଳେ ଏହାକୁ ବଂଚାଇ ରଖିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ଅଟେ ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ସମାରୋହରେ ପାଟଣାଗଡ ସହକାରୀ ଜିଲ୍ଲାପାଳ କ୍ଷୀରୋଦ୍ର କୁମାର ସାହୁ, ବେଲପଡା ତହସିଲଦାର ପ୍ରଶାନ୍ତି ପ୍ରଧାନ, ପାଟଣାଗଡ ଏନ୍‌ଏସି ଅଧ୍ୟକ୍ଷା ମାନସୀ ବିଶ୍ୱାଳ, ପାଟଣାଗଡ ଏସିଏସ୍‌ଓ ମାୟାଧର ସାହୁ, ଖପ୍ରାଖୋଲ ପଂଚାୟତ ସମିତି ଅଧ୍ୟକ୍ଷା ନିରୂପମା ପଟେଲ, ପାଟଣାଗଡ ବିଧାୟକ ପ୍ରତିନିଧି ରମେଶ ପଧାନ, ବ୍ଲକ ଉପାଧ୍ୟକ୍ଷ ସୁଖିରାମ ଷାଣ୍ଢ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଥିଲେ । ଲୋକନୃତ୍ୟ ଦଳୀୟରେ ସୌଖିନ କଳାପରିଷଦ ଫୁଲକିମୁଣ୍ଡା ପ୍ରଥମ, ମାଁ ସମଲେଶ୍ୱରୀ ଦଣ୍ଡନୃତ୍ୟ କର୍ଲାକୁଟୁନା ଦ୍ୱିତୀୟ ଏବଂ କଲଙ୍ଗା ଦଣ୍ଡା ଲୋକନୃତ୍ୟ ପତ୍ରାପାଲି ଏବଂ ମାଁ କରମସାନୀ କଲାପରିଷଦ ବୁରୋମାଲ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ଲୋକବାଦ୍ୟ ଦଳୀୟରେ ମାଁ ଦୁର୍ଗା ଗଣ୍ଡାବଜା ଜଲପାଙ୍କେଲ ପ୍ରଥମ, ମାଁ ସମଲେଶ୍ୱରୀ ଗଣ୍ଡାବଜା ଜଲିଆବାହାଲ ଦ୍ୱିତୀୟ, ଫିଲ୍‌ମାଇଁ ଦିଲ୍‌ ଦୁଲ୍‌ଦୁଲି ରେଙ୍ଗାଲି ତୃତୀୟ ସ୍ଥାନ ଅଧିକାର କରିଥିଲେ । ଲୋକ ସଂଗୀତ ଦଳୀୟରେ ଖଞ୍ଜଣୀ ଭଜନ ବନ୍ଦେପଦର ପ୍ରଥମ, ଖଞ୍ଜଣୀ ଭଜନ ପାଚେର ଦ୍ୱିତୀୟ ଏବଂ କୃଷ୍ଣଗୁରୁ ପାର୍ଟି ତୁର୍ଲା ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ଲୋକ ନାଟକରେ ରାମଳୀଳା ଧଣ୍ଡାମୁଣ୍ଡା ପ୍ରଥମ, ବୀଣାପାଣି ନାଟ୍ୟ ସଂସଦ ଦ୍ୱିତୀୟ ଏବଂ ରାମଳୀଳା କଟାପାଲି ତୃତୀୟ ସ୍ଥାନ ଅଧିକାର କରିଥିଲେ । ଲୋକବାଦ୍ୟ ଏକକରେ ଚନ୍ଦନ କୁମ୍ଭାର(ମୃଦଙ୍ଗ) ପ୍ରଥମ, ଡୋଲାମଣି ବରିହା (ବଂଶୀ) ଦ୍ୱିତୀୟ ଏବଂ ଅଜିତ ମହାନନ୍ଦ (ମହୁରୀଆ) ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଲୋକ ସଂଗୀତ ଏକକରେ ସହଦେବ ବରିହା ପ୍ରଥମ, ଶୋଭାପତି ପାଥର ଦ୍ୱିତୀୟ ଏବଂ ବୁଧୁ ପଟେଲ ତୃତୀୟ ସ୍ଥାନ ଅଧିକାର କରି ଉପଖଣ୍ଡସ୍ତରୀୟ ଲୋକ ଉତ୍ସବରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ ହୋଇଥିଲେ । ଏହି ସମସ୍ତ କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପ୍ରମାଣ ପତ୍ର ବିତରଣ କରିଥିଲେ । ଉପଖଣ୍ଡ ମଙ୍ଗଳ ଅଧିକାରୀ ଦିପ୍ତିମନ୍ତ ଭୋଇ, ହରିବୋଲ ପୋଢ, ମନୋଜ ବାଗ, ହରେକୃଷ୍ଣ ବାରିକ ବିଚାରକ ଭାବେ ଯୋଗଦେବା ସହିତ ଉତ୍ସବରେ ସେମାନେ ମତବ୍ୟକ୍ତ କରିଥିଲେ । ଉପଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ ବିଡିଓ ରଶ୍ମିରଞ୍ଜନ ରାଉତଙ୍କୁ ଶ୍ରେଷ୍ଠ ପ୍ରଶାସକ ଭାବେ ରାମଚନ୍ଦ୍ର ଗଡତ୍ୟା ସ୍ମୃତି ପୁରସ୍କାର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ସେହିପରି ସାହିତ୍ୟ ପାଇଁ କାର୍ତ୍ତିକେଶ୍ୱର ବେହେରା ଏବଂ କବୟିତ୍ରୀ ସାବିତ୍ରୀ ସାହୁ, ସମାଜସେବା ପାଇଁ ଅବସରପ୍ରାପ୍ତ ଶିକ୍ଷକ ଚୂଡାମଣୀ ଭୋଇ ଏବଂ ଅଧ୍ୟାପକ ବଳଭଦ୍ର ଦାଶ, ସଂଗୀତ ପାଇଁ ହରିବୋଲ ପୋଢ, ମଂଚ ପରିଚାଳନା ପାଇଁ ହୃଷିକେଶ ବେହେରା, ରକ୍ତଦାତା ଅନନ୍ତ ବାରିକଙ୍କୁ ରାମଚନ୍ଦ୍ର ଗଡତ୍ୟା ସ୍ମୃତି ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଖୋ ଖୋ ଏବଂ ଫୁଟବଲରେ ଉଭୟ ବାଳକ ଓ ବାଳିକା ବିଭାଗରେ ଚାମ୍ପିୟନ ହୋଇଥିବା ଲୁହାସିଂହା, ଭାନପୁର, ଖପ୍ରାଖୋଲ, ତେଲେନପାଲି ପଂଚାୟତକୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଅଧ୍ୟାପକ ବଳଭଦ୍ର ଦାଶ ଉତ୍ସବକୁ ସଂଯୋଜନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ସମ୍ବଲପୁର ଖୁସି ମେଲୋଡି ପକ୍ଷରୁ ଚିତାକର୍ଷକ ସଂଗୀତ ଏବଂ ନୃତ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ହଜାର ହଜାର ଦର୍ଶକ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ବସିରହି ଏହାକୁ ଦେଖିଥିଲେ । ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁଙ୍କ ନେତୃତ୍ୱରେ ପୋଲିସ ମୁତୟନ କରାଯାଇ ଶୃଙ୍ଖଳା ରକ୍ଷା କରିଥିଲେ ।

Leave A Reply

Your email address will not be published.

error: Content is protected !!