jayashree

ହକି ବିଶ୍ୱକପ୍ ଟ୍ରଫିକୁ ଗଞ୍ଜାମ ଜିଲ୍ଲାର ଭଞ୍ଜନଗରରେ ସ୍ଵାଗତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୁରୁଷ ହକି ବିଶ୍ୱକପ୍ ଆସନ୍ତା ୨୦୨୩ ଜାନୁଆରୀ ୧୩ ତାରିଖରୁ ଓଡିଶାରେ ଆରମ୍ଭ ହେବାକୁ ଯାଉଛି । ଭୁବନେଶ୍ଵର ଏବଂ ରାଉରକେଲାରେ ୧୩ ରୁ ୨୯ ତାରିଖ ପର୍ଯ୍ୟନ୍ତ ମ୍ୟାଚ ହେବ । ଏଥିରେ ୧୬ଟି ଦେଶ ଭାଗ ନେଉଛନ୍ତି । ଟୁର୍ଣ୍ଣାମେଣ୍ଟ କିଭଳି ସଫଳ ହେବ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଏହାପୂର୍ବରୁ ହକି ବିଶ୍ୱକପ୍ ଟ୍ରଫିକୁ ବିଭିନ୍ନ ସ୍ଥାନରେ ସ୍ଵାଗତ କରାଯାଇଛି । ଏହିଭଳି ଆମ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ତ୍ତମାନ ବିଶ୍ୱକପ୍ ହକି ଟ୍ରଫିକୁ ସ୍ଵାଗତ କରାଯାଉଛି । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି । ବୁଧବାର ପୂର୍ବାହ୍ନ ୧୧ ଟାରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁର୍ଗାପ୍ରସାଦ ଠାରେ ବିଶ୍ୱକପ୍ ଟ୍ରଫିକୁ ସ୍ଵାଗତ କରାଯାଇଥିଲା । ଏହାପରେ ମୁଯାଗଡ଼, ଆର୍‌ଟିଓ ଅଫିସ, କେଏସ୍‌ୟୁ ବି କଲେଜ ସମ୍ମୁଖରେ ଟ୍ରଫିକୁ ଛାତ୍ରଛାତ୍ରୀ ଏବଂ ଅନ୍ୟମାନେ ସ୍ଵାଗତ କରିଥିଲେ । ଏହାପରେ ଭଞ୍ଜନଗର କଲେଜ ରୋଡ ଚକରା ବିଷୋୟୀ ଛକରେ ସ୍ଵାଗତ କରାଯିବା ପରେ ସହର ପରିକ୍ରମା କରିଥିଲା । ଏହି ସମୟରେ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ବିଡିଓ ଶଶୀଭୂଷଣ ମହାପାତ୍ର, ତହସିଲଦାର ଅଚ୍ୟୁତାନନ୍ଦ ଜାନି, ଏସ୍‌ଡିପିଓ ଶୁଭ୍ରାଂଶୁ ମିଶ୍ର, ଆଂଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରାୟ, ଥାନା ଅଧିକାରୀ ଧୀରେସ ଦାସ, ବ୍ଲକ ଅଧ୍ୟକ୍ଷ ନରି ସଭା ନାୟକ, ଏନ୍‌ଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ସାଂସଦ ପ୍ରତିନିଧି ପଞ୍ଚାନନ ପାଳ, ସାମାଜିକ କର୍ମୀ ଶୂଳ ପାଣି ଶତପଥୀ, କେଏସ୍‌ୟୁବି କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର ଦାସ, ସାବିତ୍ରୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ ଜୟରାମ ସେନାପତି, ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଗୌରୀଶଙ୍କର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ । ଟ୍ରଫିକୁ ସ୍ଵାଗତ କରିବା ପାଇଁ ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପରିଲକ୍ଷିତ ହୋଇଥିଲା । ଭଞ୍ଜନଗର ସହର ପରିକ୍ରମା କରିବା ପରେ ଟ୍ରଫିକୁ ବାଉଁଶଲୁଣ୍ଡି ଠାରେ ଆସିକା ତହସିଲଦାର ଏବଂ ବିଡିଓଙ୍କୁ ହସ୍ତାନ୍ତର କରାଯାଇଥିଲା ।

Leave A Reply

Your email address will not be published.