csstore

ଚଳିତ ବର୍ଷ ସର୍ବଭାରତୀୟ ମଠଖାଇ ମହୋତ୍ସବରେ ପ୍ରଦର୍ଶିତ ହେବ ଭିନ୍ନ ଭିନ୍ନ ଭାଷାର ୫ଟି ଉଚ୍ଚକୋଟୀର ନାଟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ସର୍ବଭାରତୀୟ ମଠଖାଇ ମହୋତ୍ସବରେ ପ୍ରଦର୍ଶିତ ହେବ ଭିନ୍ନ ଭିନ୍ନ ଭାଷାର ୫ଟି ଉଚ୍ଚକୋଟୀର ନାଟକ । ଏ ସଂପର୍କରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ସ୍ଥାନୀୟ ଲ’ କଲେଜ ପରିସରରେ ମଠଖାଇ ମହୋତ୍ସବ କମିଟି ଓ ‘ଭୂମିକା’ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମଠଖାଇ ମହୋତ୍ସବ କମିଟି ଅଧ୍ୟକ୍ଷ ବିଧାୟକ ନରସିଂହ ମିଶ୍ର, ଉପଦେଷ୍ଟା ପ୍ରଫେସର ମଧୁସୂଦନ ପତି, ଉପଦେଷ୍ଟା ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଏବଂ ‘ଭୂମିକା’ର ସଭାପତି ବ୍ୟାସଦେବ ନନ୍ଦ ମଂଚାସୀନ ଥିବା ବେଳେ ‘ଭୂମିକା’ର ବରିଷ୍ଠ ସଦସ୍ୟ ଚିତ୍ତରଂଜନ ଦାଶ ଆସନ୍ତା ୮ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ସର୍ବଭାରତୀୟ ମଠଖାଇ ମହୋତ୍ସବର ସଂପୂର୍ଣ୍ଣ ବିବରଣୀ ପ୍ରଦାନ କରିଛନ୍ତି । ମଠଖାଇ ମହୋତ୍ସବ କମିଟି ଅଧ୍ୟକ୍ଷ ବିଧାୟକ ଶ୍ରୀ ମିଶ୍ର ମଠଖାଇ ମହୋତ୍ସବକୁ ଅଧିକ ଲୋକାଭିମୁଖୀ କରିବା ନିମନ୍ତେ ଗଣମାଧ୍ୟମ ଆହୁରି ଅଧିକ ଯତ୍ନବାନ ହେବା ଆବଶ୍ୟକ ବୋଲି ମତ ରଖିଥିବା ବେଳେ ଉପଦେଷ୍ଟା ପ୍ରଫେସର ପତି ମଠଖାଇ ମହୋତ୍ସବକୁ ସମସ୍ତ ଦିଗରୁ ଶୃଙ୍ଖଳିତ ଭାବେ ଆୟୋଜନ କରାଯିବାକୁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଦିଗ୍‌ଦର୍ଶନ ଦେଇଥିଲେ । ଉପଦେଷ୍ଟା ନାଟ୍ୟଭୂଷଣ ଶ୍ରୀ ଛୁରିଆ ମଠଖାଇ ମହୋତ୍ସବ ଅବସରରେ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମରେ କିଭଳି ଅଧିକରୁ ଅଧିକ ଗ୍ରାମାଂଚଳର ଲୋକେ ସାମିଲ୍‌ ହୋଇପାରିବେ, ସେଥିପ୍ରତି ଯତ୍ନବାନ ହେବାକୁ କହିଥିଲେ ।

ଦିଆଯାଇଥିବା ସୂଚନା ଅନୁସାରେ ଜାନୁଆରୀ ୮ ତାରିଖ ରବିବାର ଦିନ ସଂଧ୍ୟାରେ ସ୍ୱଦେଶ ଦୀପକଙ୍କ ରଚିତ ତଥା ସଂଜୟ ଲାଲଙ୍କ ଦ୍ୱାରା ନିର୍ଦ୍ଦେଶିତ ହିନ୍ଦୀ ନାଟକ ‘କୋର୍ଟ ମାର୍ସଲ୍‌’ ପ୍ରଦର୍ଶିତ ହେବ । ଏହାପରେ ଗାଇସିଲେଟ, ବରଗଡ଼ର ସରଗମଲି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ‘ଡାଲଖାଇ’ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ । ଏହି ସଂଧ୍ୟାରେ କେନ୍ଦ୍ର ସାହିତ୍ୟ ଏକାଡେ଼ମୀ ପୁରସ୍କାରପ୍ରାପ୍ତ ଯୁବ ଲେଖକ ଚନ୍ଦ୍ରଶେଖର ହୋତାଙ୍କୁ ସମ୍ବର୍ଦ୍ଧିତ କରାଯିବ । ତେବେ ୮ ତାରିଖ ଦିନର ମଂଚକୁ ସୁନାମଧନ୍ୟ ନାଟକ ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକ ସ୍ୱର୍ଗତ ପ୍ରଦୀପ ଭୋଳଙ୍କ ନାମିତ କରାଯିବ । ସେହିପରି ୯ ତାରିଖ ଦିନର ମଂଚକୁ ସୁନାମଧନ୍ୟ ନାଟକ ତଥା ଚଳଚ୍ଚିତ୍ର କଳାକାର ସ୍ୱର୍ଗତ୍‌ ସୁରେଖା ସିକ୍ରିଙ୍କ ନାମରେ ନାମିତ କରାଯିବ । ଏହି ମଂଚରେ ଏଚ୍‌ଏସ୍‌ସି ପରୀକ୍ଷାରେ ସେକେଣ୍ଡ ପୋଜିସନ୍‌ ରଖିଥିବା ଛାତ୍ର ଆୟୁଷ ମେହେରଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏହି ସଂଧ୍ୟାରେ ଅଦୈତ୍ୱ ମଲ୍ଲାବର୍ମନ୍‌ଙ୍କ ରଚିତ ତଥା ପ୍ରବୀର ଗୁହାଙ୍କ ନିର୍ଦ୍ଦେଶିତ ବଙ୍ଗାଳି ନାଟକ ‘ତିଷ୍‌ଟା ଏକ୍‌ଟି ନଦୀର୍‌ ନାମ୍‌’ ପ୍ରଦର୍ଶିତ ହେବ । ନାଟକ ପରେ ପରେ ବରବାହାଲ, ବଲାଙ୍ଗିରର ପାଟଣେଶ୍ୱରୀ କଲଙ୍ଗା କଳାସଂସ୍କୃତ ସଂଘ ଦ୍ୱାରା ପ୍ରସ୍ତୁତ କଲଙ୍ଗା ନୃତ୍ୟ ପରିବେଷଣ ହେବ । ୧୦ ତାରିଖ ଦିନ ସଂଧ୍ୟାରେ ପ୍ରଦର୍ଶିତ ହେବ ଓଡ଼ିଆ ନାଟକ ‘ଫୁଲ୍‌ ଟେନ୍‌ସନ୍‌’ । ଏହାର ଲେଖକ ହେଉଛନ୍ତି ଆନନ୍ଦ ଚନ୍ଦ୍ର ପହି ଏବଂ ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି ହରେନ ସାହୁ । ଏହାପରେ ରାୟଗଡ଼ାର ଗାୟତ୍ରୀ କଳା ସଂଗଠନ ପକ୍ଷରୁ ଢେ଼ମ୍‌ସା ନୃତ୍ୟ ପରିବେଷଣ ହେବ । ଏହି ସଂଧ୍ୟାର ମଂଚକୁ ସୁନାମଧନ୍ୟ ନାଟକ ତଥା ଚଳଚ୍ଚିତ୍ର ଅଭିନେତା ତଥା ନିର୍ଦ୍ଦେଶକ ସ୍ୱର୍ଗତ ଅଜିତ ଦାଶଙ୍କ ନାମରେ ନାମିତ କରାଯାଇଥିବା ବେଳେ ସଫଳ ନାରୀ ଅଭିନେତ୍ରୀ କନକ ଦଣ୍ଡସେନାଙ୍କୁ ଏହି ମଂଚରେ ସମ୍ବର୍ଦ୍ଧନା ପ୍ରଦାନ କରାଯିବ । ୧୧ ତାରିଖ ଦିନ ସଂଧ୍ୟାରେ କେଶରଂଜନ ପ୍ରଧାନଙ୍କ ଲିଖିତ ତଥା ରବିରଂଜନ ପ୍ରଧାନଙ୍କ ନିର୍ଦ୍ଦେଶିତ କୋଶଲୀ ନାଟକ ‘କିଂଚିତ୍‌ ଭୋଗମ୍‌’ ପ୍ରଦର୍ଶିତ ହେବ । ଏହାପରେ ଟିଟିଲାଗଡ଼ର ଦୀପକ ଜାଲ ଏଣ୍ଡ୍‌ ଗ୍ରୁପ୍‌ ପକ୍ଷରୁ ‘ଢ଼ାପ୍‌’ ପରିବେଷଣ ହେବ । ଏହି ସଂଧ୍ୟାରେ ମହିଳା ଶିକ୍ଷା ପ୍ରସାରିକା ଶ୍ରୀମତୀ ସୁମତି ସା’ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବ । ତେବେ ୧୧ ତାରିଖର ମଂଚକୁ ସୁନାମଧନ୍ୟ ନାଟକ ତଥା ଚଳଚ୍ଚିତ୍ର କଳାକାର ସ୍ୱର୍ଗତ ଜ୍ୟୋତିରଂଜନ ପାଣିଗ୍ରାହୀଙ୍କ ନାମରେ ଉତ୍ସର୍ଗ କରାଯାଇଛି । ସେହିପରି ୧୨ ତାରିଖ ଦିନ ଛତିଶଗଡ଼ି ନାଟକ ‘ସକୁବାଇ’ ପ୍ରଦର୍ଶିତ ହେବ । ଏହାର ଲେଖକ ନଦୀରା ବାବର ଏବଂ ନିର୍ଦ୍ଦେଶକ ଯୋଗ ମିଶ୍ର । ନାଟକ ପରେ ପରେ ଦର୍ଶକଙ୍କ ପାଇଁ ପ୍ରସ୍ତୁତ ହେବ ବଲାଙ୍ଗିର ଦୁଲ୍‌ଦୁଲି କଳାପରିଷଦ ପକ୍ଷରୁ ଘୁଡ଼୍‌କା । ଏହି ସଂଧ୍ୟାର ମଂଚକୁ ସୁନାମଧନ୍ୟ ନାଟକ ତଥା ଚଳଚ୍ଚିତ୍ର କଳାକାର ଓ ନିର୍ଦ୍ଦେଶକ ସ୍ୱର୍ଗତ ପଞ୍ଚାନନ ମିଶ୍ରଙ୍କ ନାମରେ ଉତ୍ସର୍ଗ କରାଯାଇଥିବା ବେଳେ ଏହି ମଂଚରେ ସମ୍ବର୍ଦ୍ଧିତ ହେବେ ସୁନାମଧନ୍ୟ ନାଟ୍ୟ ସାଧକ ତଥା ଆୟୋଜକ ଡ.ରୁଦ୍ରନାରାୟଣ ପଟେଲ ।

jayashree
Leave A Reply

Your email address will not be published.