ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମି ପରିସରରେ ଟମାଟୋରେ ବିଶ୍ୱର ସର୍ବବୃହତ ସାଣ୍ଟାକ୍ଳଜ୍ ପ୍ରସ୍ତୁତ କରିଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଗୋପାଳପୁର ବେଳାଭୂମି ମହୋତ୍ସବ କାର୍ଯ୍ୟକ୍ରମରେ ସାମିଲ ହେବା ଅବସରରେ ଏହି ବିରଳ କଳାକୃତି ପ୍ରସ୍ତୁତ କରିଛନ୍ତି ସୁଦର୍ଶନ । ଏଥିରେ ପ୍ରାୟ ୧୫ ଶହ କିଲୋ ଟମାଟୋ ବ୍ୟବହାର କରାଯାଇଛି । ଏହା ୨୭ ଫୁଟ୍ ଉଚ୍ଚ ଏବଂ ୬୦ ଫୁଟ୍ ପ୍ରଶସ୍ତ ରହିଛି । ଏହି ସାାକ୍ଳଜକୁ ତିଆରି କରିବା ପାଇଁ ୧୮ ଘଣ୍ଟା ସମୟ ଲାଗିଥିଲା । ଏଥି ସହିତ ସେ ସମସ୍ତଙ୍କୁ ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇଛନ୍ତି । ଶନିବାର ସନ୍ଧ୍ୟାରେ ଏହି କଳାକୃତିକୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ୱି.କିର୍ତ୍ତି ଭାସନ, ବ୍ରହ୍ମପୁର ମହାନଗର ନିଗମର କମିଶନର ଜେ.ସୋନାଲ, ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ସମେତ ପ୍ରଶାସନିକ ଅଧିକାରୀ ଏବଂ ଜନସାଧାରଣ ଉପସ୍ଥିତ ଥିଲେ ।