ଡଲଫିନ୍ ସୁରକ୍ଷା ସଚେତନତା ପାଇଁ ଡେଲାଙ୍ଗରୁ ସାଇକେଲରେ ଯାତ୍ରା କଲେ ବିଶ୍ୱଜିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିରଳ ଚିଲିକାର ସାତପଡ଼ା ଅଂଚଳରେ ଦେଖାଯାଉଥିବା ଏରୱାଡି ଡଲଫିନ୍‌ଙ୍କ ପ୍ରତିବର୍ଷ ପରି ଚଳିତ ବର୍ଷ ଡ଼ଲଫିନ୍‌ ଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁଯାଉଛି । ଏହି ଏରୱାଡି ଡ଼ଲଫିନ୍ ନାମ ମିଆଁମାରର ଏକ ନଦୀର ନାମ ଅନୁସାରେ ହୋଇଥିବା ବେଳେ ସ୍ଥାନୀୟ ଲୋକଙ୍କ ଭାଷାରେ ଏହାକୁ ମଗରମାଛ, ଭୂଆସୁଣୀ ମାଛ, କ୍ଷେରା ଏବଂ କେହିକେହି ଏହାକୁ ଚିଲିକାର ସାଧବବୋହୂ ବୋଲି କହିଥାନ୍ତି । ପ୍ରତିଦିନ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକ ଶୀତଦିନେ ଏହାର ଜଳକ୍ରୀଡା ଦେଖିବାକୁ ଛୁଟି ଆସିଥାନ୍ତି । ଏହି ସାତପଡ଼ା ଅଂଚଳରେ ପ୍ରତିଦିନ ଯନ୍ତ୍ର ଚାଳିତ ଡ଼ଙ୍ଗା ଶବ୍ଦରେ ଡ଼ଲଫିନ୍‌ମାନଙ୍କ ଚଳପ୍ରଚଳରେ ବାଧା ସୃଷ୍ଟି ହୋଇଥାଏ । ଏହା ବ୍ୟତୀତ ଫାଇବର ଜାଲରେ ପଡି ଏହି ସ୍ଥନ୍ୟପାୟୀ ପ୍ରାଣୀଙ୍କର ମୃତ୍ୟୁ ହୋଇଥାଏ । ଏହି ଡ଼ଲଫିନ୍ ଗଣନା କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବୋଲକଣା ଗ୍ରାମର ପ୍ରକୁତିବନ୍ଧୁ ତଥା ପରିବେଶ କର୍ମୀ ବିଶ୍ୱଜିତ ପରିଡା ଚିଲିକାର ସାତପଡ଼ା ଅଂଚଳରେ ଦେଖାଯାଉଥିବା ବିରଳ ଏରୱାଡି ଡ଼ଲଫିନ୍‌ର ସୁରକ୍ଷା ପାଇଁ ସାଇକେଲ ଯୋଗେ ଡେଲାଙ୍ଗରୁ ସାତପଡ଼ା ଅଞ୍ଚଳକୁ ଯାତ୍ରା କରିଛନ୍ତି । ସେ ବେରବୋଇ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରୁ ଏହି ଯାତ୍ରା ଆରମ୍ଭ କରିଛନ୍ତି । ଏହି ଯାତ୍ରାକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କାମିନୀ ପ୍ରଭା ବେହେରା ଓ ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ସାହୁ ପତାକା ଦେଖାଇ ଶୁଭ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ ଡ଼ଲଫିନ୍ ସୁରକ୍ଷା ପାଇଁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଛାତ୍ରଛାତ୍ରୀମାନେ ଚିଲିକାକୁ ପରିଭ୍ରମଣରେ ଗଲାବେଳେ ଚିଲିକା ମଧ୍ୟକୁ ପଲିଥିନ ନନେବା ପାଇଁ ଶପଥ ନେଇଥିଲେ । ପ୍ରକୁତିବନ୍ଧୁ ଶ୍ରୀ ପରିଡା ଡେଲାଙ୍ଗରୁ ଦୀର୍ଘ ୮୦ କି.ମି. ସାଇକେଲ ମାଧ୍ୟମରେ ଯାତ୍ରା କରିବେ । ଡେଲାଙ୍ଗ-ଇନ୍ଦିପୁର-ଶୁକଳ-ଖଜୁରିଆ-ବ୍ରହ୍ମଗିରି-ପଣସପଦା ଆଦି ଅଞ୍ଚଳରେ ଥିବା ସ୍କୁଲମାନଙ୍କରେ ଛାତ୍ରଛାତ୍ରୀମାନଙ୍କୁ ଭେଟି ଡ଼ଲଫିନ୍ ସୁରକ୍ଷା ନେଇ ସଚେତନ କରାଇବା ସହିତ ଆସନ୍ତା ଡ଼ିସେମ୍ବର ୨୧ ତାରିଖ ସକାଳ ସମୟରେ ବନ ବିଭାଗ ତରଫରୁ ହେବାକୁଥିବା ଡ଼ଲଫିନ୍ ଗଣନା କାର୍ଯ୍ୟକ୍ରମରେ ଯୋଗଦେବେ । ଶ୍ରୀ ପରିଡା ଏହିପରି ଦୀର୍ଘ ୫ ବର୍ଷ ହେଲା ଏହି ସାଇକେଲ ଯାତ୍ରା କରି ଆସୁଛନ୍ତି । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ପ୍ରକାଶ କୁମାର ସାହୁ, ତୁଷାର କାନ୍ତ ନାୟକ, ପ୍ରମୋଦ କୁମାର ପଣ୍ଡା, ସାତ୍ୱିକି ରଞ୍ଜନ ଗିରି, ପୂର୍ଣ୍ଣଚନ୍ଦ୍ର ସାହୁ, ଶିକ୍ଷୟିତ୍ରୀ ଜ୍ୟୋତିପ୍ରଭା ସାହୁ, ଉର୍ବଶୀ ପ୍ରଧାନ, ବନିତା ସାହୁ, ରୋଜିତା ସାହୁ, ଅମ୍ରିତା ରାୟ, ହେମାଙ୍ଗିନୀ ନାୟକ, ପ୍ରକଳ୍ପିନି ପଟ୍ଟନାୟକ, ଇତିପ୍ରଭା ପାଇକରାୟ, ବିଶ୍ୱଜିତ ଜେନା, ବିନାୟକ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.