ଗଞ୍ଜାମ ଓ ଗଜପତି ଜିଲ୍ଲାର ଜଳଉତ୍ସ ଗୁଡିକର ସୁରକ୍ଷା ନେଇ ଉଚ୍ଚସ୍ତରୀୟ ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ସରକାରଙ୍କ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ପ୍ରାକୃତିକ ଜଳଉତ୍ସ ଓ ସହରାଞ୍ଚଳରେ ରହିଥିବା ଜଳ ସମୃଦ୍ଧି ଯୋଜନାର ସୁରକ୍ଷା ଓ ତା’ର ରକ୍ଷଣାବେକ୍ଷଣ କରାଯାଇ ଜଳାଶୟ ପରିସରରେ ସୌନ୍ଦର୍ଯ୍ୟକରଣ ପାର୍କ ଆଦି କରାଯିବା, ବିଭିନ୍ନ ଜଳାଶୟ ଗୁଡିକର ପୁନଃରୁଦ୍ଧାର କରାଯିବା ଉପରେ ପ୍ରଶାସନ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି । ଏହାକୁ ନେଇ ଏକ ମାଷ୍ଟରପ୍ଲାନ ପାଇଁ ପ୍ରସ୍ତୁତି ହୋଇଛି । ଗଜପତି ଜିଲ୍ଲାର ରାମକୁଣ୍ଡ, ସୀତାକୁଣ୍ଡ ଏବଂ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ, ଚିଲିକା ହ୍ରଦ ସମେତ ଅନ୍ୟ ସମସ୍ତ ନଦୀ ସମୂହ, ହ୍ରଦ, ବନ୍ଧ, କେନାଲ, ଝରଣା ଆଦି ପ୍ରାକୃତିକ ଜଳଉତ୍ସ ଗୁଡିକର ସୁରକ୍ଷା ଓ ରକ୍ଷଣାବେକ୍ଷଣ ପ୍ରତି ଯତ୍ନବାନ ହେଲେ ଯେପରି ଜଳସମସ୍ୟା ଦୂରୀକରଣ ହୋଇପାରିବ । ସେ ଦିଗରେ ରାଜ୍ୟ ପ୍ରଶାସନ ଜଳ ସମୃଦ୍ଧି ଯୋଜନାକୁ ତ୍ୱରାନ୍ୱିତ କରିବାକୁ ଆଗଭର ହୋଇଛି । ଏପରିକି ସହରାଞ୍ଚଳରେ ରହିଥିବା ପୁଷ୍କରିଣୀ ଗୁଡ଼ିକର ପୁନଃରୁଦ୍ଧାର, ପୁନଃନିର୍ମାଣ ଓ ତା’ରି ପରିସରରେ ଆଲୋକୀକରଣ, ସୌନ୍ଦର୍ଯ୍ୟକରଣ କରିବା ନେଇ ଆଲୋଚନା ହୋଇଛି । ମଙ୍ଗଳବାର ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରସ୍ଥ ଜିଲ୍ଲା ପରିଷଦ ଭବନର ଋଷିକୂଲ୍ୟା ସମ୍ମିଳନୀଗୃହରେ ଏକ ଉଚ୍ଚସ୍ତରୀୟ ବୈଠକ ଆଲୋଚନା ହୋଇଛି । ଏଥିରେ ଗଞ୍ଜାମ ଓ ଗଜପତି ଜିଲ୍ଲାର ସମସ୍ତ ମ୍ୟୁନିସିପାଲ କର୍ମଚାରୀ, ଯନ୍ତ୍ରୀ, ଚେୟାରମ୍ୟାନ୍, ନିର୍ବାହୀ ଅଧିକାରୀ, ପାରଳାଖେମୁଣ୍ଡି ଚେୟାରମ୍ୟାନ, ନିର୍ବାହୀ ଅଧିକାରୀ, ଛତ୍ରପୁର ଚେୟାରମ୍ୟାନ ଶର୍ମିଷ୍ଠା ପ୍ରଧାନ, ଛତ୍ରପୁର ନିର୍ବାହୀ ଅଧିକାରୀ ଉମାକାନ୍ତ ନାୟକ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଗୃହ ଓ ନଗର ଉନ୍ନୟନ ବିଭାଗର ସ୍ଵତନ୍ତ୍ର ସଚିବ ଶ୍ରୀମତୀ ସାଗରିକା ପଟ୍ଟନାୟକ, ଯୁଗ୍ମ ସଚିବ ଶାରଦା ପ୍ରସାଦ ପଣ୍ଡା, ବିଭାଗୀୟ ମୁଖ୍ୟଯନ୍ତ୍ରୀ ତଥା ସହକାରୀ ସଚିବ ଡ.ଭକ୍ତକବି ଦାସ, ୱାଟେର ବଡ଼ି ରିଜୁଏନଭେସନ ୟୁନିଟର ମୁଖ୍ୟ ଦେବସୁନ୍ଦର ମହାପାତ୍ର, ପ୍ରିନ୍ସିପାଲ ଚିଫ୍ କନଜେରଭେଟର, ଗୋୱା, ଜଙ୍ଗଲ, ତଟକୂଳ ବିଶେଷଜ୍ଞ ତଥା ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଡ଼. ଅଜିତ ପଟ୍ଟନାୟକ, ଆନନ୍ଦ ମାଲିଗାଭାଦ, ଅନୁପ ଦାଶ୍, କଟକ ମହାନଗରର ପ୍ରାକ୍ତନ ସିଟି ଯନ୍ତ୍ରୀ ଶୁଭାରାଓ ପାତ୍ର ପ୍ରମୁଖ ରାଜ୍ୟ ଜଳ ସମୃଦ୍ଧି ଯୋଜନା ବିଶେଷଜ୍ଞମାନେ ଯୋଗଦେଇ ଜଳଉତ୍ସର ସୁରକ୍ଷା ଦିଗରେ ଆଲୋକପାତ କରି ଏହାର ବିହିତ ପଦକ୍ଷେପ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦିଗରେ ପ୍ଲାନ ପ୍ରସ୍ତୁତ ସମ୍ପର୍କରେ ବୁଝାଇଥିଲେ ଏବଂ ବରିଷ୍ଠ ପଦାଧିକାରୀଗଣ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.

error: Content is protected !!